କନିଷ୍କ ନିର୍ବିକାରରେ ଚାହିଁ ରହେ ତାକୁ ସେ ଜାଣିପାରେନା ବିଧାତାଙ୍କ ହସ-ଉପହାସ-କାନ୍ଦ-ଖେଳ । ଶୂନ୍ୟସ୍ଥାନ ପୂରଣ କରିବା କନିଷ୍କର ଏକ ଅଭ୍ୟାସ । ଆଁ କରି ପାଟି ଭିତରେ ଶୂନ୍ୟସ୍ଥାନକୁ ଆଙ୍ଗୁଠିରେ ପୂରଣ କରେ । କାନ୍ଥର କଣାରେ ଆଙ୍ଗୁଠି ଗଳାଏ, ପିମ୍ପୁଡ଼ି ଗାତରେ ବାଲି, ମୂଷା ଗାତରେ ପାଣି ଭରି ଶୂନ୍ୟସ୍ଥାନ ପୂରଣ କରେ, ବାପାଙ୍କ ନାକପୁଡ଼ା, ମାଙ୍କ କାନ, ପରିଚାରିକାର ଆଖିରେ ଆଙ୍ଗୁଠି ପୂରାଇ ବେଳେବେଳେ ରକ୍ତବି ଭର୍ତି କରିପକାଏ । ଯେମିତି ଫମ୍ପା କବର ଓ ଫମ୍ପା ଗର୍ଭାଶୟକୁ ପୂରଣ କରିବା ମଣିଷର ଏକ ଆଦିମ ଅଭ୍ୟାସ, ସେମିତି ଶୂନ୍ୟସ୍ଥାନ ପୂରଣ କରିବା କନିଷ୍କର ଏକ ଅଭ୍ୟାସ । କନିଷ୍କର ସ୍ୱର ପେଟିକାରୁ କେବଳ ସ୍ୱରବର୍ଣ ହିଁ ବାହାରେ । ସବୁ ସ୍ୱରବର୍ଣର ଅର୍ଥକୁ ପଖାଳି ଆଣିବାରେ କୁମାରୀ ପରିଚାରିକା ଏବେ ଅଭ୍ୟସ୍ତ । ଯେମିତି ସେ ‘ଆ’ କହିଲେ କୁମାରୀ ନାବାଳିକା ବୁଝିଯାଏ ଯେ ସେ ଔଷଧ ଖାଇବ, ଦୁଧ ପିଇବ, ପାଉଁରୁଟି ଖାଇବ ନଚେତ ଭାତ ଖାଇବ । ‘ଇ’ କହିଲେ ସେ ବୁଝିଯାଏ ତାକୁ ପୋଷାକ ଲଗାଇବାକୁ ପଡ଼ିବ, ପାଉଡ଼ର ଲଗାଇବାକୁ ପଡ଼ିବ, ବୋକ ଦେବାକୁ ପଡ଼ିବ ଏବଂ ପ୍ରଜାପତି ପଛରେ ଗୋଡ଼ାଇବାକୁ ପଡ଼ିବ । ‘ଉ’ କହିଲେ ସେ ବୁଝେ ଯେ ଏବେ କନିଷ୍କ ପୋକ ଦେଖିଛି, ମୂଷା ଦେଖିଛି, ଘା ଦେଖିଛି, କିମ୍ବା ରକ୍ତ ଦେଖିଛି କିମ୍ବା ବେଂଡେଜ ଦେଖିଛି । ‘ଏ’ କହିଲେ ବୁଝାପଡ଼େ ସେ ଏବେ ଟମି ପାଖକୁ ଯିବ, ବାଛୁରି ପାଖକୁ ଯିବ, ‘ମୋ ଛବି ବହି’ ପାଖକୁ ଯିବ, ଫୁଲ ବଗିଚାକୁ ଯିବ, ଯୁଆଡ଼େ ହେଉ ଯିବ । କୁମାରୀ ନାବାଳିକା ପରିଚାରିକାକୁ ସମୟ ଅସମୟରେ ଆଦେଶ ଦିଆଯାଏ କନିଷ୍କକୁ ନେଇ ସେ ମିନାବଜାର ଦେଖାଇଆଣୁ । କନିଷ୍କ ମିନାବଜାର ଦେଖିଯାଏ । ଲକ୍ଷେସରି ପାଳଭୂତଙ୍କ ପଟୁଆର- ହୋରିବେଳର ଚିରା ରଙ୍ଗିନ ଜାମା, କଳାହାଣ୍ଡିରେ ଚୂନଘସା ଆଖି,ନିଶ, ଓଠ, ପାଳରେ ତିଆରି ହାତ, ପାଦ, ଆଙ୍ଗୁଠି, ସହର ମଝିରେ ପଟୁଆର, ହାତରେ ତାଙ୍କର ପ୍ଲାକାର୍ଡ ତହିଁରେ ଅନାବନା ଅକ୍ଷର, ‘ଢୋଢୋ, ଘୋଘୋ, ଧାତ୍ ଧାତ୍, ହୁଟ୍ହୁଟ୍’, ପକ୍ଷୀସମୂହ ଇତସ୍ତତଃ- ଭୟରେ, ବ୍ୟାକୁଳରେ, ଶଙ୍କାରେ, ତାଙ୍କର ଫେରିଯିବାର ବାଟ ନ ଥାଏ, ଆକାଶ ନଥାଏ, ତାରାଙ୍କୁ ଚରା ଭାବିବାର ଯୁ ନ ଥାଏ, ଏପଟେ ପୁଣି ଘରେ, ଦ୍ୱାରେ, ଝରକାରେ କରିଡରରେ, ବାଲକୋନିରେ ଟେକ୍ସିଡରମୀ ନାରୀଙ୍କ ପ୍ରବଳ ଭିଡ଼, ବିଷ୍ଫାରିତ ଆଖି, ଚକ୍ ଚକ୍ ଶାଢ଼ିର ଧାରୁଆ ଧଡ଼ି, ଲାଲ ବୋମାର ଓଠ, ଉଦ୍ଧତ ବାୟୋନଟର ସ୍ତନ, ସମୁଦାୟ ସହରଟା ଏକ ମିନାବଜାର, ସମୁଦାୟ ମିନାବଜାରଟା ଉଦ୍ଧତ ନାରୀ ଓ ପାଳଭୂତଙ୍କ ପଟୁଆରରେ ଭରପୁର । କୁମାରୀ ନାବାଳିକା ପରିଚାରିକା ଝୁଣ୍ଟି ପଡ଼େ । କନିଷ୍କ ମୁହଁ ବିକୃତ କରେ, ହସେ, ଖତେଇ ହୁଏ ଓ ନିର୍ବିକାରରେ ମିନାବଜାର ଦେଖୁଥାଏ, କୁମାରୀ ପରିଚାରିକାର ବହଳ ଦେହ ଭିତରେ ସାଲୁବାଲୁ ସରିସୃପ, ସରିସୃପ ଓ ସରିସୃପ । ବାପା ମା ଅଫିସ ଗଲାପରେ କୁମାରୀ ପରିଚାରିକା ସମୁଦାୟ ଖରାବେଳଟା ଏକା ଏକା । କନିଷ୍କକୁ କେଂଦ୍ରବିନ୍ଦୁ କରି ବୃତ୍ତ ଟାଣେ, କଂଚାସୁଆଦି ଡେଣା ପିନ୍ଧି ଘୁରିବୁଲେ, ନିଜକୁ ସଜ କରେ, କନିଷ୍କକୁ ସଜକରେ, ବୃତ୍ତ ଭିତରେ ସଜାଡ଼ି ରଖେ ସ୍ୱପ୍ନ, ଦର୍ପଣ, ଓଦାଓଠ, ଚକ୍ ଚକ୍ ଆଖି, ଶାଗୁଆ ଛାତି, ଛୋଟ ବେଣୀର କଳା ଏବଂ ସର୍ବୋପରି ଲଥ୍ ଲଥ୍ କନିଷ୍କ । ମୁହଁ ବିକୃତ କରି ଦର୍ପଣକୁ ଖତେଇ ହୁଏ, ଓଠରେ ଚଟ୍ କରି ସରୁହସଟିଏ ଟାଣିଦିଏ । ବୋକ ଦିଏ- ଦର୍ପଣକୁ, କନିଷ୍କକୁ ପାଉଡର ବୋଳେ- ଦର୍ପଣକୁ କନିଷ୍କକୁ ବିଂଦି ଲଗାଏ- ଦର୍ପଣକୁ କନିଷ୍କକୁ କାନ୍ଧ ଉପରେ ସେଫ୍ଟିପିନ୍ ଲଗାଇ ନିଜକୁ ତଦାରଖ କରେ । ଛାତିରୁ ଅଞ୍ଚଳ ଖସୁଛି କି ନାଇଁ, ନିଜ ଆଗରେ ଧରା ପଡୁଛି କି ନାଇଁ, ଖବର କାଗଜର ମୁକୁଟ ପିନ୍ଧାଇ କନିଷ୍କକୁ ଦର୍ପଣ ଦେଖାଏ ଓ ହସେ ପ୍ରଚୁର, ଫୁଲ ପାଖୁଡ଼ାର ହାର ଗୁଂଥି ଲଗାଇ ଦିଏ, ପାଦ ଭିଜା ଅଳତା, ହାତଭିଜା ମଂଜୁଆତିକୁ ନେଇ ଘୋ-ଘୋ-ରାଣୀ ଖେଳେ, ସମୁଦାୟ ଖରାବେଳଟା ଏମିତି ଖେଳି ଖେଳି କଟିଯାଏ- ଫୁଲ, ବିଂଦି, ମୁକୁଟ ଓ କନିଷ୍କ, ଖରାବେଳ ଏମିତି କଟେ ସ୍ୱପ୍ନ ଭିତରେ । ସୂର୍ୟ୍ୟାସ୍ତବେଳେ ପୁଣି ଯୂଇ, ଜୀବନ, ଜଂଜାଳ ଓ ଯୂପକାଠ । ସେଦିନ ତା ବା’ ଆସେ ବଳଦଗାଡ଼ି ନେଇ, କୁମାରୀ ସାବାଳିକା ପରିଚାରିକା ପୁଣି ଏବେ ଫେରିଯିବ ପାହାଡ଼ ସେ ପଟକୁ, କିନ୍ତୁ ସେ ମନାକରେ, ‘ଯିବିନି, ଯିବିନି, ଯିବିନି, ଯାଃ,’ କାନ୍ଦେ, ତା ବା ହସେ, ଅନ୍ୟମାନେ ବୁଝାଂତି, ‘ସେ ଯାଉ, ଘର ସଂସାର କରୁ, ଖଟୁ,
ପୃଷ୍ଠା:Hada bagicha.pdf/୫୭
ଦେଖଣା