ପୃଷ୍ଠା:Hada bagicha.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କର ବହୁଦିନର ଦାବି । ଖେଳନା ନାରୀଟି ଶାଢ଼ି, ବିଂଦି ଓ ଆର୍ମଲେଟ୍ ଲଗାଇଥିବ । ଯଦି ଆର୍ମଲେଟ୍ ଲଗାଇ ନ ଥିବ ତେବେ ତା ପାଇଁ ଗୋଟେ ଗଢ଼ା ହେବ । ତାକୁ ଟି.ଭି ପାଖରେ ଠିଆ କରାଯିବ । ଗୋପାଙ୍କ ଦାବିକୁ ବୁଦ୍ଧଦେବ ବାବୁ ମନେ ରଖିଥାନ୍ତି । ତାଙ୍କ ଚାକିରି ସଂକ୍ରାନ୍ତୀୟ କେସ ପାଇଁ ତାଙ୍କୁ ବାରମ୍ବାର ଭୁବନେଶ୍ୱର ଧାଇଁବାକୁ ପଡ଼େ । କୋର୍ଟ କାମସାରି ଅନେକ ଦୋକାନ ଘୂରି ବୁଲଂତି । ‘ଲାଇଫ ସାଇଜର ଖେଳନା ଝିଅ ଅଛି କି?’ ଦୋକାନୀମାନେ ଅନ୍ୟଥରକୁ ଆଣି ଦେବାର ପ୍ରତିଶ୍ରୁତି ଦିଅନ୍ତି । ଅନ୍ୟଥର ବି କେବଳ ପ୍ରତିଶ୍ରୁତି ହିଁ ମିଳେ । ଥରେ ‘ଉକ୍ରଳିକା’ରୁ ଲାଇଫ୍ ସାଇଜର ନାରୀ ମୂର୍ତ୍ତିଟିଏ ଧରି ବୁଦ୍ଧଦେବ ବାବୁ ଘରକୁ ଫେରନ୍ତି । କଳା ମୁଗୁନି ପଥରରେ ତିଆରି ନାରୀଟି ଛନ୍ଦାୟିତ ନୃତ୍ୟ ମୁଦ୍ରାରେ ଥାଏ । ଗୋପା ଖୁବ୍ ଖୁସୀ ହୋଇ ଯାଆନ୍ତି । ଘରଟା ଅହରହ ସ୍ୱରବର୍ଣର ସଂଗିତରେ ଝଂକୃତ ହେଲାପରି ଲାଗୁଥାଏ । ମଝିରେ ମଝିରେ ସ୍ୱାମୀଂକ ମୁଣ୍ଡରୁ ପାଚିଲାବାଳ ଟାଣିବା ବେଳେ, ଗୋପା ଶାଢ଼ି ପିନ୍ଧିବା ସମୟରେ ବୁଦ୍ଧଦେବ ତାଙ୍କ କୁଞ୍ଚସବୁ ଚଉତିଚାଉତି ଧରୁଥିବା ବେଳେ, ଗୋପା ସେପରି କଂଢେଇ ଆଉ ମିଳିବ କି ନାଇଁ ପଚାରନ୍ତି । ଘରକୁ ସ୍ପାଇଡର୍ ମେନ୍ ଆସେ, ସୁପର୍ମେନ୍ ଆସେ, ମାଇକେଲ୍ ଜେକ୍ସନ୍ ଆସେ- ସଭିଏଁ ଲାଇଫ୍ ସାଇଜ୍ର । ସଭିଂକୁ କାନ୍ଥରେ ମରାହୁଏ । ଏଣୁ ଏଣିକି ଘରଟା ଗହଳି ଲାଗେ । ଅନେକ ଲୋକ ଏକାଠି ରହୁଛନ୍ତି ପରି ଲାଗେ । ପ୍ରତିଥର ଗୋପା ଖବ୍ ଖୁସୀ ହୁଅନ୍ତି । ବୁଦ୍ଧଦେବ ବ୍ୟସ୍ତ ଥାଆନ୍ତି ଚାକିରି ସ୍ଥାୟୀ କରାଇବା ସମସ୍ୟା ନେଇ । ସ୍କୁଲ ଅଫିସ୍ରୁ ଡି.ପି.ଆଇ. ଅଫିସ୍ ଓ ମୁଖ୍ୟମନ୍ତ୍ରୀଙ୍କ ଘରଠୁ ସେକ୍ରେଟେରିଏଟ୍ ଯାଏ ଟ୍ରିବ୍ୟୁନାଲ୍ର ରାୟ ଧରି ବୁଲୁଥାନ୍ତି । ଦିନେ ଜଣେ ଦୋକାନୀ ଘର ଖୋଜି ଖୋଜି ଆସି ଖବର ଦିଏ ଯେ ସେପରି ଖେଳନା ଆସିଛି । ବୁଦ୍ଧଦେବ ବାବୁ କଥାଟାକୁ ଏତେ ଗୁରୁତ୍ୱ ଦିଅନ୍ତି ନାଇଁ । ଏ ଦୋକାନ ସେ ଦୋକାନ ହୋଇ ଖୋଜିଲା ବେଳକୁ ନିଜକୁ ଖୁବ୍ ବ୍ୟସ୍ତ ରହିଲା ପରି ଜଣା ପଡୁଥାଏ । ଖେଳଣା ଆସିବ ଯଦି ସେ ବ୍ୟସ୍ତତା ଚାଲିଯିବ । ତେଣୁ ସେ, ‘ହଉ ମୁଁ ସଂଧ୍ୟାରେ ଯାଇ ନେଇ ଆସିବି’ କହି ଦି’ଦିନ ଯାଏ ଚୁପ୍ ରୁହନ୍ତି । ପ୍ରତି ରବିବାର ସ୍ୱାମୀ ସ୍ତ୍ରୀ ଦୁହେଁ ବୁଲି ବାହାରନ୍ତି ସକାଳୁ ସକାଳୁ ଏବଂ ଏମିତି ରବିବାରରେ ହିଁ ଗୋପା ନିଜ ଅଜବ ଇଚ୍ଛା ସବୁ ଗୁହାରି କରନ୍ତି । ସେଦିନ ଏମିତି ବଡ଼ି ଭୋର୍ରୁ ଜେଲ୍ଖାନା ଛକ ଦେଇ ଯାଉ ଯାଉ ଗୋପା ଅନ୍ୟ ଏକ ଖିଆଲ ତାଙ୍କୁ ଜଣାଂତି । ଇଚ୍ଛାଟି ହେଲା, ଛକରେ ଥିବା ବିରାଟକାୟ ଘୋଡ଼ା ମୂର୍ତ୍ତି ଉପରେ ସେ ଟିକେ ବସି ଦେଖିବେ କେମିତି ଲାଗୁଛି । ସେ ବି କହିଲେ, ସୁନ୍ଦର ଆଇଡିଆଟେ, କିନ୍ତୁ ଆଜି ନୁହେଁ, ପୁଣି କେବେ, ମାନେ ଆସନ୍ତା ରବିବାର । ସେଦିନ କେମେରା ଆଣି ଆସିବା, ତମର ଫଟୋ ନେବା । ଆଜି ତ ସେ ଖେଳନା ଆଣିବାର ଅଛି । ଗୋପା ଘୋଡ଼ାକୁ ପର୍ଯ୍ୟ୍ୟବେକ୍ଷଣ କରୁଥାନ୍ତି । ଘୋଡ଼ାଟି ଦୌଡ଼ିବା ମୁଦ୍ରାରେ, ଆକାଶକୁ ମୁଣ୍ଡ ଟେକି ହୋଇଥାଏ । ପିଠିର ବାଳ ଓ ଲାଞ୍ଜ ଟାଙ୍କୁରି ଉଠିଥାଏ । ଦୁଇଟି ଗୋଡ଼ ଶୂନ୍ୟରେ ଓ ଅନ୍ୟ ଦୁଇଟି ତଳେ ଲାଗିଥାଏ । ଆନୁମାନିକ ଆଠଫୁଟ ଉଚ୍ଚ ହେବ ତା ପିଠି । କଳା ଓ ଭୟଙ୍କର । ପୋକଯୋକଙ୍କୁ ଭୟ କରୁଥିବା ଗୋପାଙ୍କ ଇଚ୍ଛା ତା ପିଠିରେ ବସଂତେ । ସେଦିନ ଘରକୁ ଫେରି ବୁଦ୍ଧଦେବ ବାବୁ ଖିଅର ହୋଇ ଯୋତାର ଫିତାବାନ୍ଧି ସ୍କୁଟର ସଫାକରି ଖେଳନା ନାରୀ ଉଦେ୍ଧଶ୍ୟରେ ବାହାରି ପଡ଼ନ୍ତି । ଦୋକାନୀ କଂଢେଇକୁ ଦର୍ପଣ ସାମନାରେ ଛିଡ଼ା କରାଇଥାଏ । ପ୍ରାୟ ପାଞ୍ଚଫୁଟ ଉଚ୍ଚର ନାରୀ ଓ ତାର ପ୍ରତିବିମ୍ବକୁ ଦେଖି ସେ ବି ଆଶ୍ଚର୍ଯ୍ୟ ହେଲେ । ପେକିଂ କେମିତ କରାହେବ କହିଲେ । କିଛି ସମୟ ପରେ ବିରାଟ ପେକିଂ କେଶକୁ ଉଠାଇ ରିକ୍ସାରେ ଥୋଇଲେ । ତାକୁ କହିଲେ, ‘ଏକ ନମ୍ବର ୱାର୍ଡ଼, ଏକାବନ ନମ୍ବର ଗଳି, ଏକଶହ ଏକ ନମ୍ବର ଘର ଦେଖିପାରିବୁ? ସେଠିକୁ ନେବୁ, ବୁଦ୍ଧଦେବ ବାବୁଙ୍କ ଘରକୁ, ଯା’ । ନିଜେ ଶୀଘ୍ର ଫେରି ଆସି ଆଗତୁରା ଗୋପାଙ୍କୁ ଖେଳନା ନାରୀ ଆସୁଥିବାର ଖବର ଦେବେ ବୋଲି ଭାବି କଲିଂବେଲ୍ରେ ହାତ ଦେଲେ । ଦୁଇ ତିନି ମିନିଟ୍ ଯାଏ ଗୋପା କବାଟ ନ ଫିଟାଇବାରୁ ଡାକିଲେ, ‘ଗୋପା, ଗୋପା’ । ଆହୁରି ଡାକିଲେ, ‘ଗୋପା ଗୋପା ।’ ପୁଣି କଲିଂ ବେଲ୍ରେ ହାତ ଦେଲେ । ପୁଣି ଅପେକ୍ଷା କଲେ । ଦଶ ଏଗାର ମିନିଟ୍ ପରେ ରିକ୍ସା ଆସିଲା । ୟା’ ଭିତରେ ବୁଦ୍ଧଦେବ ବାବୁ ଦଶଥର ତଳ ଉପର ହୋଇ ସାରିଥିଲେ । ପାଖରେ ରହୁଥିବା ନାନିଂକ ସ୍କୁଲ କଲେଜରେ ପଢୁଥିବା ନାବାଳିକା ଝିଅ ଦି’ଜଣ ଆସି ପଚାରିଲେ, ‘ଅଙ୍କଲ୍ ୟା ଭିତରେ କଣ ଅଛି?’ ‘ୟା ଭିତରେ? ଆଂଟି’ ସେମାନେ ହସିଲେ । ସଭିଏଁ ମିଶି ପେକିଂ କେଶକୁ ଉପରକୁ ଆଣିଲେ । ରିକ୍ସାବାଲା ଦଶଟଙ୍କା ନେଇ ଚାଲିଗଲା । ପଡ଼ୋଶୀ ନାନି ଆସି କହିଲେ, ‘ଏବେ ତ ଆମେ ଶାଗ କିଣିଲୁ, ଶାଗରେ ପୁଣି ପୋକ ବାହାରିଲା କି? ଗୋପା ଡରିଯାଇ ମୂର୍ଛା ହୋଇନାହାନ୍ତି ତ?