ଅହରହ, ବାଟଘରେ ସୋଫାପଡ଼େ ଓ ତାକୁ ‘ଡ୍ରଇଂ ରୁମ୍’ କୁହାଯାଏ । ଭିତର ଘରେ ପଲଂକ ପଡ଼େ ଡ୍ରେସିଂ ଟେବୁଲ ରହେ ଓ ତାକୁ ନାଁ ଦିଆଯାଏ ‘ବେଡରୁମ୍’ । ରଂଧାଘରେ ଗ୍ୟାସ ଚୁଲି ରହେ ହିଟର ରହେ ଷ୍ଟୋଭ ରହେ ତାକୁ କୁହାଯାଏ ‘କିଚେନ୍’। ଅଫିସ୍ ଟେବଲ୍ ବାରଂଡାରେ ଖାଇବା ଟେବୁଲ ହୁଏ, ଅଲଗୁଣିରେ ନୂଆ ଶାଢ଼ି ବ୍ଲାଉଜ୍ ବ୍ରାସିୟର ଓଦା ହୁଏ ଶୁଖେ, ନୂଆ ଲୁଂଗି ଗେଂଜି ଅଂଡରୱାୟାର ଝୁଲେ, ଓଦାହୁଏ, ଶୁଖେ, ଦହନାର ମା ଆଉ ଦଶଟଂକା ଅଧିକା ନିଏ ପରିବାବାଲା ଆସେ, ଅଟକେ, ଚାଲିଯାଉଥାଏ, ଫେରିବାଲା ଆସେ, ଅଟକେ, ଚାଲିଯାଉଥାଏ, ଶାଗବାଲୀ ଭୁଜାବାଲୀ ମାନେବି ଆସଂତି, ଅଟକି ଚାଲିଯାଆଂତି, କୁମାରୀ ନବମ ଦଶମ ଏକାଦଶ ଶ୍ରେଣୀର କୋମଳ କଳେବରମାନେ ଭାଉଜ ଭାଉଜ କହି ରୁଂଡ ହୁଅଂତି, ଚାଲିଯାଆଂତି, ପାଖ ପଡ଼ୋଶୀର ବଧୂ ନିରୂପମା ମାନେ ଆସଂତି ଚାଲିଯାଆଂତି, ସଭିଂକୁ ଆଲବମ ଦେଖାହୁଏ, ଟେପ ରୁ ଗୀତ ଶୁଣାହୁଏ, ସପୁରି ପଣସ ସର୍ବତ୍ ଦିଆହୁଏ, ଚା ହୁଏ, ଆଚାର ଦିଆହୁଏ, ସଭିଁଏ ହସଂତି, ଜୀବନଦାସର ଫୁରସତ୍ ନ ଥିବା ସତ୍ୱେ ସେ ଅପରାହ୍ନରେ ଖାଇବାକୁ ଆସେ, ପୁଣି ରାତି ନ’ଟାରେ ଫେରେ, ଭିତରୁ ଫୁସୁର୍ ଫାସୁର୍ ଶୁଭେ, ହସ ଶୁଭେ, ରାତିରେ ଜହ୍ନହସେ ତାରା ହସେ, କାଂଥ ସାରା ଜିନତ୍ଅମନ୍ ପୁନମ ଧିଲନ୍ ହସୁଥାଂତି, ସରସ୍ୱତୀ ଓ ସାଇବାବା ହସୁଥାଂତି, ଝିଟିପିଟି ଓ ମକରା ମାନେ ବି ହସୁଥାଂତି ନୂପୁରର ନିକ୍ୱଣ ଶୁଭୁଥାଏ, ବଂଦ ହେଉଥାଏ, ପୁଣି ଶୁଭୁଥାଏ, କଂକଣର ରଣଝଣ ବି ଶୁଭୁଥାଏ, ବଂଦ ହେଉଥାଏ ପୁଣି ଶୁଭୁଥାଏ, ରାତ୍ରିର ଚାରି ପ୍ରହର ବେଳକୁ ଜୀବନ ଦାସ ଦ୍ୱାର ଖୋଲେ, ଏକ କରେ, ଅଂଧାରକୁ ଦେଖେନା, ଆଲୁଅକୁ ଦେଖେନା, ଚୁପ୍ ଚାପ୍ କର ଲେଉଟାଇ ଶୋଇପଡ଼େ, ଚାଂଦମାରି ପହପହ ସକାଳକୁ ସ୍ତ୍ରୀ ବାଚକଟି ଗାଧୋଇପାଧୋଇ ସିଂଦୁର ମାଖି ୟାଂକୁ ଉଠାଏ ‘ଏଇ, ଉଠ ସାତଟା ବାଜିଲା’, ତରବରରେ ଜୀବନ ଦାସ ହାଇ ମାରେ, ଖିଅର ହୁଏ, ଚା ଖାଏ, ନ୍ୟୁଜ ଶୁଣେ, ଅଫିସ୍ ଯାଏ, ସଲାମ ଠୁକେ ମଝିରେ ମଝିରେ ଟୁର୍ ରେ ଯାଏ, ସ୍ତ୍ରୀଂକୁ ତାଗିଦ୍ କରିଯାଏ, ‘ଦେଖ, ମାମିକୁ କହିବ ଏଠି ଶୋଇବା ପାଇଁ ସିଏ ହଁ କହେ ଏବଂ ଚେତାଇ ଦିଏ ‘ଦେଖ, ଦେହପା ଜଗି ଚଳୁଥିବ’ । ଘରେ ସ୍ତ୍ରୀ ବାଚକଟି ତା ବାହାବେଳେ ଆଣିଥିବା ଛୁଟି ବଢ଼ାଇ ଦରଖାସ୍ତ ଲେଖେ, ମାସେ, ପୁଣି ମାସେ, ପୁଣି ମାସେ ଟେପ୍ ଖୋଲେ, କାସେଟ୍ ଭରେ, ପ୍ଲେ, ଷ୍ଟପ୍ ଇଜେକ୍ଟ, ପ୍ଲେ ଷ୍ଟପ୍ ଇଜେକ୍ଟ ପ୍ଲେ ଷ୍ଟପ୍ ଇଜେକ୍ଟ- ପ୍ଲେ କରୁଥାଏ, ହାଇ ମାରୁଥାଏ, ଦିନ ଗଣୁଥାଏ, ଦ୍ୱିତୀୟା ଜହ୍ନ ଚତୁର୍ଦଶୀରେ ପହଂଚୁଥାଏ ଶୁକ୍ଳପକ୍ଷ ଗାଢ଼ତର ହେଉଥାଏ, ଏ ଭିତରେ ଠାକୁରଂକ ନବକଳେବର ସରିଯାଏ, ଦଶାବତାର ବି ସରିଯାଏ, ଏମିତି ଦିନେ ହଠାତ୍ ମଂଦାରଫୁଲିଆ ସଂଜବେଳକୁ ସ୍ତ୍ରୀ ବାଚକର ମୁଂଡ ବୁଲାଏ ବାଂତି ବାଂତି ଲାଗେ, ଜୀବନ ଦାସ ଡରିଯାଏ, ସ୍ତ୍ରୀ କହେ ‘ସିଏ କିଛି ନୁହେଁ’ ସେ ଦିନ ରାତିରେ ଉଠେନା ଜୀବନ ଦାସ- ଚୁପ୍ ଚାପ୍ କର ଲେଉଟାଇ ଶୋଇପଡ଼େ, ସକାଳକୁ ସି.ଏଲ୍. ପାଇଁ ଦରଖାସ୍ତ ଲେଖେ, ସ୍ତ୍ରୀଟି ମନା କରୁଥାଏ କିଂତୁ ସିଏ ବୁଝେନା, ନିଜ ଚାକିରିରେ ଯୋଗଦେଇ ପୁଣି ଫେରିଆସେ ସ୍ତ୍ରୀ ବାଚକ, କିଛିଦିନ ପରେ ରାହୁଳର ଜନମ ହୁଏ, ଜୀବନ ଦାସ ଗୁଡ଼ାଏ ପୋଷ୍ଟକାର୍ଡ କିଣେ, ମିଠା ବାଂଟେ, କୁମାରୀ ବିଭିନ୍ନ ଶ୍ରେଣୀ ଓ ଶ୍ରୀମତୀ ବଧୂ ନିରୂପମା ମାନେ ଧାଇଁ ଆସଂତି, ତା ବାପାର ମୁହଁ ଓ ମା’ର ରଂଗ ଆଣିଛି ବୋଲି କହଂତି ।
ପୃଷ୍ଠା:Hada bagicha.pdf/୬
ଦେଖଣା