ପୃଷ୍ଠା:Hada bagicha.pdf/୬୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବି ଶବ୍ଦଟିଏ ପାଇଁ କାକୁସ୍ଥ ହୋଇ ତାଙ୍କର ସମୁଦାୟ ଜୀବନଟି ବ୍ୟର୍ଥ ହୋଇଥିବାର ଅନୁଭବକୁ ବିଧାତା ଠିକ୍ ଠଉରାଇ ନେଇଥିଲେ ଏବଂ ଜଣେ ତୁଷାର ପୁରୁଷକୁ ଭେଟି ଦେବାର ପ୍ରତିଶ୍ରୁତି ସହ ଗାଁ ଭିତରକୁ ମାଡ଼ିଗଲେ । ପୁଣି ପରବର୍ତୀ ଏକ ଘଣ୍ଟାରେ ଛତିଶଶହ ହାତୁଡ଼ି ପିଟା ଶବ୍ଦ ପରେ ଆବିର୍ଭାବ ହେଲେ ଜଣେ କାବ୍ୟ ପୁରୁଷ ଏବଂ ଏମାନଙ୍କ ପ୍ରଶ୍ନକୁ ସେ ଉତ୍ତରିଲେ.... ଗାଁରେ ପିଲାଝିଲା ନାହାନ୍ତି କାରଣ ଏମାନେ ଦୂରଦେଶକୁ ଯାଇଛନ୍ତି ଆଠମାସ ହେବ ଇଟାଗଢ଼ିବା ଉଦେ୍ଧଶ୍ୟରେ । ଏ ଯାଏଁ କେହି ଫେରିନାହାନ୍ତି । ଫେରିବେନି ମଧ୍ୟ । କାହାରି ପାଖରୁ ଚିଠିପତ୍ର ଖବର ଅନ୍ତର କିଛି ନାହିଁ । କେବଳ ହଂସାବୁଢ଼ାର ଦ୍ୱିତୀୟ ପୁଅଟି କିଛି ଦିନ ତଳେ ଆଠଶହ କିଲୋମିଟର ରେଳଧାରଣା ଉପରେ ଚାଲି ଚାଲି ସେଠୁ ପଳାଇ ଆସିଥିଲା । ହଂସା ବୁଢ଼ା? ମୁଣ୍ଡ ଉପରେ ଚୁଟି ଓ ଛେଳିପରି ଦାଢ଼ିଥିବା ଓ ସାମାନ୍ୟ କୁଜ ହୋଇ ଚାଲୁଥିବା ବୃଦ୍ଧକୁ ଦେଖି ଏକଦା ବର୍ତମାନ ପରଲୋକଗତ ଜଣେ ସ୍କୁଲ ଛାତ୍ର ତାଙ୍କୁ ହୁଏନ୍ସାଂ ନା ଦେଇଥିଲା, ପରବର୍ତୀ କାଳରେ ତାହା ଅପଭ୍ରଂଶ ହୋଇ ‘ହୁଏନ୍ସାଂବୁଢ଼ା’ ସ୍ଥାନରେ ‘ହଂସାବୁଢ଼ା’ ହୋଇଛି । ତା ପ୍ରିୟ ସହଚର ପ୍ରାୟ ଲୋମହୀନ କୁକୁରର ନାଁ ଏକଦା ‘ଯକ୍ଷକୁବେର’ ଥିଲା । କିଛି କାଳପରେ ତାହାବି ଅପଭ୍ରଂଶ ହୋଇ ‘ଯକ୍ଷକୁକୁର’ ହୋଇଥିଲା । ଏବେ ତାହା କେବଳ ‘ଯକ୍ଷ’ ହୋଇଛି । ଆଠଶହ କିଲୋମିଟର ବ୍ୟାପୀ କାଠ ପଥର ଲୁହା, ସୂର୍ଯ୍ୟ ଚନ୍ଦ୍ର ତାରା ଶୀତ ଉତ୍ତାପ ପାଣି ପବନ ଭୋକ ଶୋଷ, ବାପାମା ଗାଁ କ୍ଷେତଖଳା ଦାଂଡ଼ ଦୁଆର ମୁଣ୍ଡକଥା ପେଟବଥା ରକ୍ତପୂଜ ଜୀବାଣୁ ବୀଜାଣୁ ମାନଙ୍କ ସାଥୀରେ ଅତିକ୍ରମ କରିଥିଲା । ଘରେ ପହଞ୍ଚିଲା ବେଳକୁ ଫଟା ମୁଣ୍ଡ ଫଟା ପାଦ, ଫୁଲି ଯାଇଥିବା ଗୋଡ଼, ଛିଂଡ଼ି ଯାଇଥିବା ଆଙ୍ଗୁଠି, ପୂଜଭର୍ତି ପେଟ ପିଠି, ପାଣି ଭର୍ତି ନାକ ଆଖି ଓ ତାର ଦେହ କୀଟମାନଙ୍କ ଅଣୁରେ ଭରପୁର । ଟଣକି ଯାଇଥିବା ଘା’କୁ ଆଉଁସି ତା ଜୀବନଯାତ୍ରାର ସୁଖ ଅନୁଭବ କରୁଥାଏ । ସେ ହିଁ ଗାଁର ଘାତକ ପରି ଖବର ନେଇ ଆସିଥିଲା ଯେ ଭୋକ ଓ ବାତ୍ୟାରେ ଅନ୍ୟସମସ୍ତ ବିରିପାଲିବାସୀ ସେଠି ମରିଯାଇଛନ୍ତି । ସେଠାକାର ମାଲିକ ଫେରାର । ଗାଁରେ ସେ ପହଞ୍ଚିବା ପରଦିନ ଦଲାଲର ସଇତାନି ନିଶ, ଆଖି ଓ ଠେଙ୍ଗାର ଭୟରେ ସେ ପୁଣି ତା ହାତଗଢ଼ା ଇଟାମାନଙ୍କ ପାଖକୁ ଯିବାକୁ ଜାଗତିଆର । ତା ପରଦିନ ଆଂଗୁଟି ଛିଣ୍ଡିଥିବା ଗୋଡ଼ ଦୁଇଟି ମାତ୍ର ରେଳଧାରଣା ଉପରେ ମିଳିଥିଲା । ଅବଶିଷ୍ଟାଂଶ ଶରୀର କୁଆଡ଼େ ଫେରାର୍ । ସେ ଚାଲି ଚାଲି ଆସିଥିବା ରେଳଧାରଣା ଉପରେ ପୂର୍ବରୁ ଆଙ୍ଗୁଠି କଟି, ମୁଣ୍ଡ ଫାଟି ରକ୍ତ ଛିଟିକି ଯାଇଥିଲା । ଏବେ ରକ୍ତ ମାଂସ ହାଡ଼ ଶିରା ଉପଶିରା ହୃତପିଣ୍ଡ ପାକସ୍ଥଳୀ, ତା ପଞ୍ଜରା, ତା ନାକ କାନ ଆଖି ଜିଭ ଦାନ୍ତ ସବୁ ଅଲଗା ଅଲଗା ଛିଟିକି ପଡ଼ିଲା । ରେଳଧାରଣାର ବେକଡ୍ରପ୍ରେ ସେ ଯେମିତି ଏକ କୋଲାଜ୍ । ହଂସାବୁଢ଼ା କିଛି କହିଲା ନାଇଁ । ଗୋଡ଼ ଦୁଇଟିକୁ ପୋଡ଼ିଦେଇ ନିଆଁର ଝାସ ମାଖି ଆସିଲା । ବିଷମାର୍କୀୟ ନିଶୁଆ ସାଂବାଦିକର ପରବର୍ତୀ ପ୍ରଶ୍ନରେ ତୁଷାର ପୁରୁଷଟି ଉତ୍ତରିଲା ଏବଂ ସେମାନେ କାଳିକଲମରେ ଟିପିଲେ ପାରୁପର୍ଯ୍ୟଂତ । ଆଜି ହଂସାବୁଢ଼ାର ସ୍ତ୍ରୀର ମୃତ୍ୟୁଦିନ । ଏ ଗାଁରେ ପ୍ରତି ସପ୍ତାହରେ ଯା’ଘରେ ବି ହେଉ ଜଣକର ମୃତ୍ୟୁଦିନ ପଡ଼େ । ତାହାହିଁ ଏଠାକାର ଉତ୍ସବର ଦିନ । ସମସ୍ତେ ଆଜି ହଂସାବୁଢ଼ା ଦୁଆରେ ପରସ୍ପରର ପଞ୍ଜରାହାଡ଼ ଦେଖାଇ ନିରବରେ ବସିବେ, ପେଟ ଦାଉରେ ଜଳିବେ, ଘାଟରେ ବୁଡ଼ ପକାଇବା ପାଇଁ ଯିବେ । ହଂସାବୁଢ଼ାର ସ୍ତ୍ରୀ ଗତବର୍ଷ ଆଜିର ଦିନରେ ମରିଛି । ତାକୁତ ଯମ ଝାମ୍ପି ନେଇ ଖାଇଗଲା । ସକାଳୁ ସକାଳୁ ବିରି ଚାଉଳ ବାଟି ଚକୁଳି ତିଆରି କଲା ବୁଢ଼ୀ । ତା ବଡ଼ପୁଅକୁ ଖୋଇଦେଲା । ତା ବଡ଼ପୁଅ ଓଦା କନ୍ଥା କନାରେ ପଡ଼ି ରହିଥାଏ ଅହରହ । ତା ସାନ ପୁଅକୁ ବି ଦେଲା । ସେ ଜିଦ୍ ଧରିଥାଏ ତାମିଲନାଡୁକୁ ଯିବ ଇଟା ଗଢ଼ିବା ପାଇଁ । ବୁଢ଼ୀ ମନା କରୁଥାଏ । ତା ପୁଅ ରୁଷି ଥାଏ । ବୁଢ଼ାକୁ ମଧ୍ୟ ଚକୁଳି ଦେଲା ଓ ବୁଢ଼ା ଦେହରେ କଚାଡ଼ି ହୋଇ ପଡ଼ିଲା । ପଡ଼ିଗଲା ଯେ ଆଉ ଉଠିଲା ନାହିଁ । ବୁଢ଼ା ତା ହାତରେ ସମ୍ଭାଳି ନେଲା ବୁଢ଼ୀକୁ ଓ କହିଲା ‘ତୋତେ ମୁଁ ହିଁ ଯମକୁ ସଅଁପି ଦେଲିରେ ବୁଢ଼ୀ, ଯା ଭଲରେ ଥା ।’ ହଂସାବୁଢ଼ା ପାଟିକରି କାନ୍ଦିବି ପାରିଲା ନାହିଁ । ଢେର ବେଳ ଯାଏ ତା ଆଖିରୁ ପାଣିର ଧାର ନିଗିଡ଼ି ଯାଉଥାଏ ଖାଲି । ତା ବଡ଼ପୁଅକୁ ଓଦା କନ୍ଥାକନାରେ ଶୋଇଥିବା ଅବସ୍ଥାରେ ନଣ୍ଡା କରାଯାଏ ଓ ସାନପୁଅ ନଣ୍ଡା ହୋଇ କୁଆଡ଼େ ଉଭାନ୍ ହୁଏ । ଆଠମାସ ପରେ ଯେଉଁଦିନ ସେ ଘରକୁ ଫେରେ ତାର ଦି ଦିନପରେ ମରେ । ହଟଲରୀୟ ନିଶୁଆ ସାଂବାଦିକଙ୍କ ପରବର୍ତୀ ପ୍ରଶ୍ନ ପାଇଁ ତୁଷାର ପୁରୁଷଟି ଉତ୍ତର ବାଢ଼େ........... ।