ପୃଷ୍ଠା:Hada bagicha.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଁର ମୁସ୍ତାଫିଜ୍ ପାଉଁରୁଟିବାଲା ତା ଝିଅ ପାଖକୁ ଚିଠି ଲେଖେ, ‘ବେଟୀ ଗୁଲ୍ସନ୍, ତୋର ୟାଦ ଅଛି ନା ବେଟୀ, ତୋ ମା ଚାଲିଯିବାପରେ, ତୋର ଦୁଷ୍ରି ମା ତୋତେ କ୍ଷୀର ଖୁଆଇ ବଡ଼ କରିଥିଲା । ମେହେଂଦି ଲଗାଇ ଦେଉଥିଲା । ତୋର ସାଦୀ ବେଳେ କେତେ କାମ କରିଥିଲା । ୱ ତେରୀ ଦୁଷିରି ମା ଗୁଜରଗୟୀ, ବେଟୀ । ବୁଢ଼ା ଅବ୍ ଅକେଲା, ତାର ଅପାହିଜ୍ ପୁଅ ଛଡ଼ା ଆଉ କିଏ ଅଛି?’ ପାଖ ଗାଁର ଚିନାବାଦାମବାଲା ତା ପୁଅକୁ ଲେଖିଲା, ‘ବାବୁ ତୋର ଆଉମା କାଲି ମରିଗଲା । ତୁ ଛୋଟ ଥିଲାବେଳେ ତୋତେ ତା କ୍ଷୀର ଖୁଆଇ ମଣିଷ କରିଛି । ତୁ କେତେ ବଡ଼ ହେବାଯାଏ ତା କ୍ଷୀର ଖାଉଥିଲୁ । ତୋ ସ୍କୁଲ ବାରଣ୍ଡାରେ ବି ତା ପସରା ଢାଙ୍କି ଦେଇ ଖଂବ ସେପଟେ ଲୁଚାଇ ଲୁଚାଇ ତୋତେ କ୍ଷୀର ଖୁଆଉଥିଲା । ସେ ଆରପାରିକୁ ଚାଲିଗଲା ।’ ଥରେ ଦଳେ ଡାକ୍ତର ଗାଁକୁ ଆସିଥିଲେ ବିଦେଶରୁ । କହୁଥିଲେ ତା ବଡ଼ପୁଅକୁ ନେଇ ସେମାନେ ଚାଲିଯିବେ । ଖୁବ୍ ପଇସା ଦେବେ । ତାକୁ ପରୀକ୍ଷା କରିବେ । ବୁଢ଼ାବୁଢ଼ୀ ଦୁହେଁ ମନା କଲେ । ପୁଅର ଖଟକୁ ଜାବୁଡ଼ି ଧରି ତାଙ୍କ ଲୁହରେ ଭିଜା କନ୍ଥାକନାକୁ ଆହୁରି ଓଦା କରିଦେଲେ । ପିଲାଟି ଖରାଦିନେ ପାଣିଟାଙ୍କିରେ ପଡ଼ି ରହିଥାଏ ନିର୍ବିକାର ଭାବେ । ଯେମିତି ମହିଷିଁ । ଅନ୍ୟ ସମୟରେ ତାଖଟ, ତା ବିଛଣାରେ ଢଳାଯାଏ ପାଣି । ଆକସ୍ମାତ ପାଣି ଶୁଖିଗଲେ ସେ ଛାଟିପିଟି ହୁଏ । ଚିତ୍କାର କରେ ବଡ଼ ପାଟିରେ । ଯାହାପାଏ ଭାଂଗେ । ତା ଦେହରେ ଏତେ ବଳ । ତା ଗୋଡ଼ପିଟି ଘରର କାନ୍ଥକୁ, ତା ମୁଣ୍ଡପିଟି ଘରର ଛାତକୁ ଦୁଲୁକାଇ ଦିଏ । ଚାଲିଗଲା ଲୋକେ ବି କେବେ କେବେ ପାଣି ବାଲ୍ଟିଏ ଢାଳି ଦିଅନ୍ତି । ସେ ଦାନ୍ତ ନେଫେଡ଼ି ଫିକ୍ କିନା ହସିଦିଏ । ବୁଢ଼ୀ ମଲାବେଳକୁ ତାର ହାତ ବାନ୍ଧି ଟାଣି ଟାଣି ଶ୍ମଶାନକୁ ନିଆଗଲା । ଗାଁର ଦଶଦିଗ ଶ୍ମଶାନ । ବୁଢ଼ୀରୁ ମୁଣ୍ଡପଟେ ନିଆଁ ଲାଗିଲା ବେଳକୁ ସେ ହଠାତ୍ ଚିତ୍କାର କରିଥିଲା । ମାତ୍ର କାରଣଟା ନିଆଁ ନୁହେଁ । କାରଣ, ତା ଦେହଟା ଶୁଖିଯାଇଛି । ପାଣିବାଲ୍ଟିଏ ଢାଳି ଦେଲେ ପୁଣି ସ୍ଥିର ହୋଇଯାଏ । ହସିଦିଏ । ତା ହାତ ଦୁଇଟି ଛୋଟ ଛୋଟ ଓ ପତଳା । ହାତ ନୁହେଁ ତ ଯେମିତି ଲହକା ଡଙ୍କ । ଅଠର ବର୍ଷକାଳ ଏମିତି ଓଦା କନ୍ଥା କନାରେ ପାଣିଟାଙ୍କିରେ ପଡ଼ି ରହିଥିଲା । ତା ଚର୍ମ ବତୁରି ପ୍ରୋଜେରିଆ ରୋଗୀ ପରି ଅଦିନେ ବୁଢ଼ା ହେଉଥିଲା । ଥରେ ମାତ୍ର ପୋଖରୀକୁ ନିଆ ହୋଇଥିଲା ଯେ ତିନିଦିନ ତିନିରାତି କାଳ ତା ଭିତରୁ ଆଉ ବାହାରିଲା ନାହିଁ । ହଂସାବୁଢ଼ା ଓ ତା ଯକ୍ଷ ଦିନତମାମ ରାତିତମାମ ଜଗି ରହିଥାନ୍ତି ତାକୁ । କାଳେ ବେଶୀ ପାଣିରେ ବୁଡ଼ିଯାଇପାରେ । ଶେଷରେ ଚାରିଜଣ ବୁଢ଼ାଲୋକ ଚାରିଘଣ୍ଟା ପରିଶ୍ରମ କଲାପରେ ତାକୁ ପୋଖରି ହିଡ଼କୁ ଅଣାଯାଇଥିଲା । ଗୋଟିଏ ବିରାଟ ଜଳଚର ପ୍ରାଣୀକୁ ପାଣିରୁ ଅଲଗା କରିବା କି କଷ୍ଟ । ବୁଢ଼ୀ ମରିବାର କିଛି ଦିନ ଯାଏ ତା ପସରାରେ ବଳିଯାଇଥିବା ଅଁଳା- ତେନ୍ତୁଳି- ଲେତି- ଚିନାବାଦାମ-ବରକୋଳି- ପିଜୁଳି- ଡିଂବିରି- କଂଟେଇକୋଳି- କୁସୁମ- ବଢ଼ିଅଳ- ଚଣା- ଆଚାର ଖାଇ ତା ବଡ଼ପୁଅ କିଛିଦିନ ପାଣି ଟାଙ୍କିରେ ନିଶ୍ଚିନ୍ତରେ ପଡ଼ି ରହିଥିଲା ଏବଂ ଯେଉଁଦିନ ସରିଗଲା ସେଦିନ ହିଁ ସେ ମରିଯାଇଥିଲା । ହଂସାବୁଢ଼ା ଓ ଗାଁ ଲୋକେ ଜାଣିଲେ ଦିନେ ପରେ ଯେତେବେଳେ ଯକ୍ଷ ପ୍ରଥମଥର ପାଇଁ ଭୁକିଲା । ସାରା ଗାଁ ସ୍ତବ୍ଧ ହୋଇ ଯାଇଥିଲା । ଏ ଗାଁରେ କେହି ମଲେ କୁକୁରମାନେ ହିଁ ଘୋଷଣା କରିଥାନ୍ତି । ବୃଦ୍ଧ ସାଂବାଦିକ ଦୁହେଁ ସେମାନଙ୍କ କଥାବାର୍ତା ମଝିରେ ଗାଡ଼ି ଭିତରେ ବସି ସାରିଥାନ୍ତି ଏବଂ ସମୁଦାୟ କଥାବାର୍ତା ନ ସରୁଣୁ ଗାଡ଼ି ଷ୍ଟାର୍ଟ କରିସାରିଥାନ୍ତି । ସହସ୍ର ଅଶ୍ୱଂକ ପୁଚ୍ଛଛଟା ଗତି, ଖୁରା ଓ ହ୍ରେସାଧ୍ୱନି ନେଇ ବିରିପାଲି ଗାଁକୁ ଆସିଥାଏ ଭୟଙ୍କର ଏକ ସଂଧ୍ୟା । ଏ ଧରାପୃଷ୍ଠରେ ବିରିପାଲି ଗାଁ ଶୀତଳ କୋରଡ଼ ଭିତରେ ତୁଷାର ପୁରୁଷର ନିବାସ ସମ, ଦଳବଦ୍ଧ ହୋଇ ଏ ଗାଁ ଛାଡ଼ି ଲୋକେ ସେପାରିର ସେପାରିକୁ ଫେରାର୍ । କୋଇଲି ବି ଏ ଗାଁକୁ ଭୟ କରେ । ବିରିପାଲି ଗାଁରେ କାଉ ବି କା’ କରେନା ।