ପୃଷ୍ଠା:Hada bagicha.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାହିଁ । କିଛି ସମୟପରେ ଭୟ ପାଇଗଲା । ଆହୁରି କିଛି ସମୟପରେ ସେ ଜାଣିଲା ତା ମୃତ୍ୟୁ ପାଖେଇ ଆସିଛି । ସେ ସ୍ଥିର ହୋଇ ରହିଗଲା । ସେମାନେ ବି ରହିଗଲେ । ଜଣେ କହିଲା, "ଆମେ ତୋତେ ତୋ ଇଲାକାରୁ ଖୋଜିଖୋଜି ଆସୁଛୁଁ । ତୁ ଏଠି ଅଛୁ, ହାରାମଜାଦା । ଚାଲ୍ ଆମ ସାଙ୍ଗରେ ।' ଯିଏ ଏପରି କହିଲା ତାର ଅପେକ୍ଷାକୃତ ବଡ଼ବଡ଼ ନିଶ ଓ ବଡ଼ବଡ଼ ଦାନ୍ତ । ତା ଆଗରେ ଅନ୍ୟମାନଙ୍କ ପାଟି ବି ଫିଟୁ ନ ଥିଲା । ତା ସବୁକଥା ସେମାନେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସେ ଥିଲା ସର୍ଦାର । ସର୍ଦାର ମାଛ କହିଲା, "ୟାକୁ ବାନ୍ଧ'ା ତଡିତ୍ ବେଗରେ ଅନ୍ୟମାନେ ଯାଯାବରକୁ ଏକ ପଥର ଦେହରେ ବାନ୍ଧି ଦେଲେ । ସର୍ଦାର କହିଲା, "ୟାକୁ ମାର' ସଙ୍ଗେ ସଙ୍ଗେ ଅନ୍ୟତିନୋଟି ମାଛ ତାକୁ ନିସ୍ତୁକ ମାଡ ଦେଲେ । ଜଣେ ଉପରକୁ ଉଠିଯାଇ ତୀର ପରି ତଳକୁ ଖସେ ଓ ଯାଯାବର ଦେହରେ ବାଡ଼େଇ ହୁଏ । ଅନ୍ୟଜଣେ ତା ଶକ୍ତ ଲାଞ୍ଜରେ ଯାଯାବରର ପିଠିରେ ପେଟରେ ପିଟି ପକାଏ । ଅନ୍ୟଜଣକ ସାମନାକୁ ପହଁରିଯାଏ ଓ ପାଗଳପରି ଛୁଟି ଆସି ତା ଦାନ୍ତରେ କାମୁଡ଼ି ପକାଏ ଯାଯାବରର ଗାଲିସିକୁ, ନାକକୁ । ଯାଯାବର ରଡି ଛାଡେ । ତା ପାଟିରୁ ରକ୍ତ ନିଗିଡ଼ି ପଡ଼େ । ତା ମୁଣ୍ଡ ଭିତରଟା ଝାଇଁ ଝାଇଁ କରେ । କଥା କଣ ସେ ତଥାପି ଜାଣି ପାରେନା । ସେମାନେ ପିଟି ପିଟି ନୟାଂତ ହେଲାପରେ କହନ୍ତି, "ଏଥର କହ ତୋ ସ୍ତ୍ରୀ ପୁଅ ବୋହୂ ଓ ଝିଅ ଜ୍ୱାଇଁ ସବୁ କୁଆଡ଼େ ଗଲେ? ତୁ ଶଳା ସେମାନଙ୍କୁ ଲୁଚାଇ ରଖିଛୁ । କହ ସେମାନେ ସବୁ କୁଆଡ଼େ ଗଲେ? ନ କହିବୁ ଯଦି ଏଠି ବାନ୍ଧି ହୋଇ ଭୋକରେ ଶୋଷରେ ମରିବୁ । କହ କେତେ କେତେ ଟଙ୍କା ସେମାନଙ୍କୁ ଆଗୁଆ ଦିଆ ହୋଇଥିଲା । ସେମାନେ କାମ ନ କରି ତୋ କଥାରେ କୁଆଡ଼େ ଫେରାର୍ ମାରିଛନ୍ତି । ତୁ ସେମାନଙ୍କୁ ଲୁଚାଇ ରଖିଛୁ । କହ, ନଚେତ୍ ସେମାନେ ନ ମିଳିବା ଯାଏ ତୁ ଏଠି ବାନ୍ଧି ହୋଇ ରହିବୁ । କହ, ମୂର୍ଖ ।' ଏତିକି କହି ସର୍ଦାର ଜଣକୁ ଜଗୁଆଳ କରି କୁଆଡ଼େ ଉଭାନ ହେଲା । ଏତେ ସମୟପରେ ସେ ଅନୁମାନ କଲା ବୋଧହୁଏ ତା ପରିବାର କୁଆଡ଼େ ଚାଲିଯାଇଛନ୍ତି । ଗତ ଚାରିମାସ ତଳେ ସେ ଘରେ ନ ଥିବାବେଳେ ଦଲାଲ ମାନେ ଆସି କିଛି ପଇସାଦେଇ ଜବରଦସ୍ତି େସମାନଙ୍କୁ ନେଇ ଚାଲିଯାଇଥିଲେ । କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଓ ଖାଦ୍ୟ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଚାଲାଣ କରିଥିଲେ । ଅନ୍ୟ ମାଛମାନଙ୍କୁ ମୁଖରୁ ସେ ଶୁଣିଥିଲା ତା ପରିବାରକୁ କୁଆଡ଼େ ବଙ୍ଗୋପସାଗରରୁ ଆରବସାଗର ଯାଏ ଚାଲାଣ କରାଯାଇଛି । ସେମାନେ ସେଠି ଖଟି ଖଟି ମରୁଛନ୍ତି । ସେମାନେ କେବେ ଫେରିବେ, ଫେରିବେ ନା ନାଇଁ କିଛି ଜଣାନାଇଁ । ଯାଯାବର ସେତେବେଳେ ଖୁବ୍ ଦୁଃଖ କରିଥିଲା, ଖୁବ୍ କଷ୍ଟପାଇଥିଲା, ଖୁବ୍ ଝୁରି ହୋଇଥିଲା । ଏବେ ସେମାନେ କୁଆଡ଼େ ଫେରାର ହୋଇଥିବା କଥାଶୁଣି ତା ଛାତି ଫାଟିପଡୁଛି । ତାକୁ ଚାରିଦିଗ ଅନ୍ଧାର ଦେଖାଯାଉଛି । କଣ କରିବ? କୁଆଡ଼େ ଖୋଜିବ? ତାର ସବୁ ଆଶା ଭରସା ପାଣିରେ ମିଳାଇ ଯାଉଛି । ତା ସଂସାର ଉଜୁଡ଼ି ଯାଉଛି । ତା ଡେଣା ତଳୁ ପାଣି ଉଭେଇ ଯାଉଛି । ନିର୍ବାକ୍, ନିସ୍ପଂଦ ହୋଇଯାଉଛି । ସେ ଭାବିଲା ତା ପରିବାର ଯଦି ଏମାନଙ୍କ ହାତରେ ଧରା ପଡ଼ନ୍ତି, ସେମାନଙ୍କ ଅବସ୍ଥା କଣ ହେବ  ! ତା ସ୍ତ୍ରୀ ଓ ଦୁଇ ବୋହୂଂକୁ ତ ଏମାନେ ଉଖାରି ଉଖାରି କଂଚା ଖାଇଯିବେ । ତା ଦୁଇ ପୁଅକୁ ଏମାନେ ପିଟି ପିଟି ଅକର୍ମଣ୍ୟ କରିଦେବେ । ଗାଲିସିରେ ଗାତ କରିଦେବେ । ଡେଣା ଉପାଡ଼ି ଦେବେ । ଲାଞ୍ଜ ଛିଣ୍ଡାଇ ଦେବେ । ଦେହ ସବୁ ଗାର ଗାର କରି ଦେବେ । କ୍ଷତାକ୍ତ, ରକ୍ତାକ୍ତ କରି ଦେବେ । କାହିଁକି ସେମାନେ ଏ ଭୁଲ୍ କରି ବସିଲେ? କୁଆଡ଼େ ସେମାନେ ଗଲେ? ସେ ବା କେମିତି କେଉଁଠି କେବେ ସେମାନଙ୍କୁ ଖୋଜିବ? ବୃଦ୍ଧ ଯାଯାବର କିଛି ଭାବିପାରିଲା ନାହିଁ । ତା କ୍ଷତାକ୍ତ ଦେହର ଯନ୍ତ୍ରଣା ସହି ମୁର୍ଦାର ପରି ପଡ଼ିରହିଲା । ସର୍ଦାର ପ୍ରତିଦିନ ତା ଦଳ ସାଙ୍ଗରେ ଦୁଇଥର ଆସେ ଓ ମାଡ଼ମାରି ସେଇ ସମାନ ପ୍ରଶ୍ନକୁ ଦୋହରାଏ । "କହ, କୁଆଡ଼େ ଲୁଚାଇ ରଖିଛୁ ତୋ ପରିବାରକୁ? ନଚେତ୍ ମାଡ଼ ଖା ।' ଜଣେ ଜଗିରହେ, ଅନ୍ୟମାନେ ଚାଲିଯାଆନ୍ତି । ଦଶଦିନ ଯାଏ ଏମିତି ମାଡ଼ଖାଇ ପଡ଼ିରହିଲା ପରେ ହଠାତ ସେ ଆବିଷ୍କାର କଲା ତା ଲାଞ୍ଜରେ ବନ୍ଧା ହୋଇଥିବା ଗଣ୍ଠିଟି ହୁଗୁଳା ହୋଇ ଯାଇଛି । ତା ମନରେ ଟିକିଏ ଆଶାର ସଂଚାର ହେଲା । ସର୍ଦାର ଆସିବା ପୂର୍ବରୁ ଏଠୁ ଚାଲିଯିବାପାଇଁ ଚେଷ୍ଟାକରିବା କିଛି ମନ୍ଦ ନୁହେଁ । ତା ମନଭିତରେ ଆଉ କୌଣସି ଦ୍ୱିତୀୟ ଭାବନା ପଶିବାକୁ ନ ଦେଇ ହଠାତ୍ ସେଇ ଜଗିଥିବା ମାଛକୁ ତାର ସମସ୍ତ ବଳକଷି ତା ମୁହଁଉପରେ ଏକ ଘୁଷି ଦେଇ ତୀର ବେଗରେ ଛୁଟିଲା ଆଗକୁ । ସେ ଜାଣିପାରିଲା ନାଇଁ କଣ ହେଇଗଲା । ନିଜକୁ ପ୍ରକୃତିସ୍ଥ କରାଉ କରାଉ ଯାଯାବର ତା ଦୃଷ୍ଟିର ପରିଧିର ବାହାରକୁ ଚାଲି ଆସିଥିଲା । ଯାଯାବର ଦିଗ ବଦଳାଇ ଛୁଟିଲା ଆଗକୁ ଆଗକୁ । ଏମିତି ଦୁଇଦିନ ଯାଏ ଏକା ଏକା ଯାଇ ଏକ ଅଜଣା ଇଲାକାକୁ ପହଞ୍ଚିଲା ।