ଏମିତି ସ୍ଥାନଟେ ତା ଜୀବନରେ କେବେ ଦେଖି ନଥିଲା ସେ । ହଜାର ହଜାର ଛୋଟ ବଡ ଶାମୂକା । ଚକ୍ ଚକ୍ ପଥର । ସ୍ଥାନଟି ଆଲୋକିତ ହୋଇଥାଏ । ନାଲିନେଳି ଆଲୋକମାଳାରେ ସଜ୍ଜିତ ପାର୍କପରି ଦେଖାଯାଉ ଥାଏ । ସ୍ଥାନେ ସ୍ଥାନେ କୋରାଲର୍ ଢିପ, ଗୁଡ଼ାଏ ଗଛ, ଗୁଡ଼ାଏ ତାରାମାଛ, ଏକକୋଷୀ ସ୍ପଂଜ୍, ଆମିବାର ଲହ ଲହ ଉଦ୍ଗତ ମାଂସର ଡାଳ, ମିଞ୍ଜିମିଞ୍ଜି ଆଖି । ଗୁଡ଼ାଏ ଛୋଟ ଛୋଟ ରଙ୍ଗିନ ମାଛ । କୌଣସି ଶାମୁକାଗର୍ଭରୁ ପାଣିର ଧାର ପିଚକାରି ମାରିଲାପରି ବାହାରି ଝରଣାର ଭ୍ରମ ସୃଷ୍ଟି କରୁଥାଏ । ଛୋଟ ଛୋଟ ଗୁମ୍ଫା । ଗୁମ୍ଫା ଭିତରେ ଉଜ୍ଜ୍ୱଳ ମାଛ । କୋରାଲ୍ ଧଡ଼ିରେ ପୋଲିପ୍ ମାଛସବୁ ଓହଳି ରହି ପର୍ବତାରୋହୀ ଦଳପରି ଦେଖାଯାଉଥାନ୍ତି । ବୃଦ୍ଧ ଯାଯାବର ଏମିତି ସ୍ଥାନଟେ କଳ୍ପନାରେ ସୁଦ୍ଧା କେବେ ଦେଖି ନ ଥିଲା । ତା ଚାରିପଟେ ଶିଶୁମାଛମାନେ ଘେରିଯାଇ ତା ଦେହରେ ଘସିହୋଇ ତାକୁ କୁତୁକୁତୁ ହେବାର ପୁଲକ ଆଣୁଥିଲେ । ତା ଦେହର କ୍ଷତମାନଙ୍କୁ ସେମାନେ ଚାଟି ସଫାକଲା ବେଳକୁ ତାକୁ ଖୁବ ଆରାମ ଲାଗୁଥାଏ । ସେ ଚୁପ୍ ଚାପ୍ ଦୁଇ ଘଣ୍ଟାଯାଏ ଗୋଟିଏ ସ୍ଥାନରେ ସ୍ଥିରହୋଇ ରହି ଯାଇଥାଏ ଓ ତାର ଗତ ଦଶଦିନର ଦୁର୍ଦଶାକୁ ମନେ ପକାଉଥାଏ । ଭବିଷ୍ୟତର ଯୋଜନା ବିଷୟରେ ଭାବୁଥାଏ ଏବଂ ତା ଦେହର ଉଷୁମ ଉପସମକୁ ଉପଭୋଗ କରୁଥାଏ । ଛୋଟ ଛୋଟ ଆମିବାମାନେ ତା ଦେହରେ ଘଷିହୋଇ ତାକୁ ଉଲ୍ଲସିତ କରୁଥାନ୍ତି । ସେ କୁରୁଳି ଉଠୁଥାଏ । ତା ଦେହକୁ ଉଶ୍ୱାସ ଲାଗୁଥାଏ । ଟଣକି ଯାଇଥିବା ଘା'ର ଚାରିପଟେ ଆଉଁସୁ ଥିବାର ସୁଖ ସେ ଅନୁଭବ କରୁଥାଏ । ତା ସାମନାରେ କେତେବେଳେ ପାଞ୍ଚଟି ପ୍ରକାଣ୍ଡକାୟ ଧଳାମାଛ ଧୀରଗତିରେ ଆସି ଉପସ୍ଥିତ ଥିଲେ ସେ ଜାଣିପାରି ନ ଥିଲା । ତା ଆଖି ଖୋଲା ଥିବା ସତ୍ୱେ ସେ ଦେଖିପାରି ନଥିଲା । ହଠାତ୍ ଦେଖି ଭୟ ପାଇ ଯାଇଥିଲା । କିନ୍ତୁ ଅନ୍ୟ ଛୋଟ ଛୋଟ ମାଛ, ଓ ଆମିବାମାନେ ନିଜନିଜ କାର୍ଯ୍ୟରେ ତଥାପି ବ୍ୟସ୍ତ ଥିବାର ଦେଖି ଏବଂ କେହି ବି ଛାନିଆ ନ ହେବାର ଦେଖି ତା ମନରେ ଟିକେ ସାହସ ବାନ୍ଧିଲା ଓ ସ୍ଥିର ହୋଇ ନିରୀକ୍ଷଣକଲା ସେମାନଙ୍କ ଗତି ବିଧିକୁ । ତାକୁ କେହି କିଛି କହିଲେ ନାହିଁ । ପରସ୍ପର ମଧ୍ୟରେ କଥାହୋଇ ସେମାନେ ତା ପାଇଁ ଖାଦ୍ୟ ପରଷି ଦେଲେ । ସେ ନିରୀହତାର ଚରମ ସୀମାରେ ଥାଇ ଖାଇଲା । କିଛି ଭୟ, କିଛି ନିର୍ଭୟ, କିଛି ସଂକୋଚ, କିଛି ହୀନମନ୍ୟତା ତାକୁ ଘାରି ରଖିଥାଏ । ଅତି ଧୀରେ ଧୀରେ ଖୁବ ବେଳ ଯାଏ ଖାଇଲା । ମୃତକୀଟ, ମୃତଯୋକ, ମୃତ ମାଛମାନଙ୍କ ଅନ୍ତଃସ୍ଥଳି ପାକସ୍ଥଳି । ତା ଦେହର କ୍ଷତକୁ ଚାଟି ସଫାକରୁଥିବା କ୍ଷୁଦ୍ର ମାଛମାନେ ବି ତା ଖାଦ୍ୟରୁ ଲୁଟି ଖାଇଲେ । ତଥାପି ତାର ପନ୍ଦର ଦିନର ଖାଲିପେଟଟି ପୂରିଗଲା । ନିସ୍ତେଜ ଶରୀରରେ ସାମାନ୍ୟ ତେଜ ଆସିଲା । ସାମୁଦ୍ରିକ କିଶଳୟମାନଙ୍କ ଉହାଡ଼ରେ ବିଶ୍ରାମ ନେବାପରି ଚୁପ୍ ଚାପ୍ ରହିଯାଇଥାଏ ବୃଦ୍ଧ ଯାଯାବର । କିଛି ସମୟପରେ ପ୍ରକାଣ୍ଡକାୟ ମାଛମାନଙ୍କ ମଧ୍ୟରୁ ଜଣେ ଗୁରୁ ଗମ୍ଭୀର ସ୍ୱରରେ ପଚାରିଲା ""କୁହ ତୁମର ଇତିବୃତ୍ତ, ଭୟକରନା, ଆମେ ତୁମକୁ ଆସନ୍ତାକାଲି ପାଇଁ ବଞ୍ଚିବାର ସମସ୍ତ ସୁଯୋଗ ଓ ସାମର୍ଥ୍ୟ ଦେବାର ପ୍ରତିଶ୍ରୁତି ଦେଉଛୁ । ସେ କିଛି କହିବା ପୂର୍ବରୁ ଗୋଟାଏ ମୁଭି କେମେରା ଆଣି ତାକୁ କେଂଦ୍ରକରି ରଖାଗଲା । ତା ଉପରେ ଉଜ୍ଜ୍ୱଳ ଆଲୋକ ଚାରିଦିଗରୁ ପଡୁଥିବାର ଦେଖି ସେ ସଙ୍କୁଚିତ ଓ ଭୟଭୀତ ହୋଇଗଲା କିଛି ସମୟ ପାଇଁ । ତାକୁ ବୁଝାଇଦିଆଗଲା ଆଲୋକ ଓ କେମେରାର ତାତ୍ପର୍ଯ୍ୟ୍ୟ ଓ ଧୀରେ ଧୀରେ ସେ କହିଗଲା ତାର ବୃତ୍ତାନ୍ତ । କେମିତି ସେ ଭୋକଉପାସରେ ମାଡଖାଇ ବନ୍ଧାହୋଇ ରହିଥିଲା । ତା' ସ୍ତ୍ରୀ ପୁଅ ଝିଅ ବୋହୂ ସମସ୍ତେ କେମିତି କୁଆଡ଼େ ହଜି ଯାଇଛନ୍ତି । ସେମାନେ କେମିତି ଭାଗ୍ୟ ଅନ୍ୱେଷଣରେ ଯାଇ ଦୂର୍ଭାଗ୍ୟର ଘେରରେ ବନ୍ଧା ପଡିଛନ୍ତି । ତାର ଜୀବନ କେମିତି ଦୁର୍ବିଷହ, କେମିତି ହାହାକାର, କେମିତି ଅନ୍ଧାର ହୋଇଯାଇଛି । କହିଲା ବେଳକୁ ତା ପାଟି ଖନିମାରି ଯାଉଥାଏ । ତା ଛାତି ଭିତରୁ କୋହ ଉଠୁଥାଏ, ହୃତସ୍ପଂଦନ ଦ୍ରୁତତର ହେଉଥାଏ । ତା ଲାଲ ଆଖିର ରଙ୍ଗ ଗାଢ଼ ହେଉଥାଏ । ତାର ଡେଣା, ତା ଲାଞ୍ଜ ସବୁ ଖୁବ୍ ଜୋର୍ରେ ଥରି ଉଠୁଥାଏ । ତାର ଗାଲିସି ଉଠ୍ପଡ୍ ହେଉଥାଏ, ପାଣି ଫୋଟକା ସବୁ ତା ପାଟି ଭିତରୁ ବୁଦ୍ବୁଦ ହୋଇ ବାହାରି ଆସୁଥାଏ ନିରନ୍ତର, ପାଟିକୋଣରୁ ଛେପ ଉଗାଳି ପଡୁଥାଏ । ତା ଦେହର ଚର୍ମ ସଙ୍କୁଚିତ ପ୍ରସାରିତ ହେଉଥାଏ । ବେଳେ ବେଳେ ସେ ଚିତ୍କାର କରୁଥାଏ । କଇଁ କଇଁ କାନ୍ଦି ପକାଉଥାଏ । ବିଳାପ କରୁଥାଏ । ମଝିରେ ମଝିରେ ସେ ନିଜକୁ ଗାଳି କରୁଥାଏ, ନିଜ ଭାଗ୍ୟକୁ ନିଂଦୁଥାଏ ଓ ବିଳିବିଳେଇ ଯାଉଥାଏ, ଗୁଣୁଗୁଣେଇ ହେଉଥାଏ, ଫିସ୍ ଫିସ୍ କରି କଣ କଣ ସବୁ କହିଯାଉଥାଏ କେହି ବୁଝିପାରୁ ନ ଥାନ୍ତି । ମୁହୂର୍ତେ ଅଟକି ଯାଇ, ମୁଣ୍ଡକୁ ଦୁଇ ଚାରିଥର ଟୁଙ୍ଗାରି, କାନ୍ଦ ବନ୍ଦ କରି ପୁଣି ଆସ୍ତେ ଆସ୍ତେ ତା ସ୍ୱର ବାହାରକରେ । ପାଖରେ ଥିବା ଛୋଟ ଛୋଟ ରଙ୍ଗିନ ମାଛଙ୍କ ସଂଖ୍ୟା ଏ ଭିତରେ ଖୁବ୍ ବଢ଼ି ଯାଇଥାଏ । ସେମାନେ ନିରବଦ୍ରଷ୍ଟା
ପୃଷ୍ଠା:Hada bagicha.pdf/୭୭
ଦେଖଣା