Jump to content

ପୃଷ୍ଠା:Hada bagicha.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାଜି ତାକୁ ଘେରିରହି ତାର ଶବ୍ଦର ଉଷୁମତାକୁ ଆଘ୍ରାଣ କରୁଥାଆନ୍ତି । ତାର ଆଖିର ରଙ୍ଗ, ଦେହର ପ୍ରସାରଣ, ଡେଣା ଓ ଲାଞ୍ଜର କମ୍ପନକୁ ଚୁପ୍ ଚାପ୍ ନିରୀକ୍ଷଣ କରୁଥାଆନ୍ତି । କିନ୍ତୁ କେହି ବି ତା କଥାର ତାତ୍ପର୍ଯ୍ୟ୍ୟକୁ ବୁଝିପାରୁଥିବା ପରି ଜଣାଯାଉ ନ ଥାନ୍ତି । କିଛି ସମୟ ସମସ୍ତ ବାତାବରଣଟି ନିରବିଗଲା । ସମସ୍ତେ ଚୁପ୍, ସ୍ଥିର, ସ୍ତବ୍ଧ । କ୍ୱଚିତ୍ କାହାର ଲାଞ୍ଜଟି ଆସ୍ତେ ଆସ୍ତେ ଦୋହଳୁଥାଏ । ଯାଯାବର ସାମନାକୁ ପ୍ରକାଣ୍ଡକାୟ କାଚର ପରଦାଟିଏ ଅଣାଗଲା । ସେ ଜାଣିନଥିଲା ଏହାକୁ ଟିଭି କୁହାଯାଏ ବୋଲି । ତାକୁ କୁହାଗଲା ଏହାକୁ ସେ ଦେଖୁ । ସେ ଦେଖିଲା କାଚପରଦାରେ ନିଜେ ବାହାରିଛି । ନିଜେ କଣ କଣ କହୁଛି । ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ । ଟିକେ ପାଖକୁ ଯାଇ ଆହୁରି ମନଯୋଗ ଦେଇ ଦେଖିଲା । ତା ଦେହ, ତା ଡେଣା, ତା ଲାଞ୍ଜ, ତା ଗାଲିସିର ଉତ୍ଥାନ ପତନ, ତା ପେଟର ସଂକୋଚନ ପ୍ରସାରଣ, ତା ପାଟିର ବିିଳାପ, ତା ପାଟି ଭିତରର ଦୃଶ୍ୟ, ତା ଲାଲ ଆଖିର ରଙ୍ଗ, ତା କାନ୍ଦ, ତା ଚିତ୍କାର ସବୁ ଦେଖିଲା । ତା ଭିତରେ ସାହାସର ଲହରୀଟିଏ ଧୀରେ ଧୀରେ ପ୍ରସାରିତ ହେଉଥାଏ । ତା ଭିତରେ ଆତ୍ମବିଶ୍ୱାସର ଖିଅଟିଏ ଉଙ୍କି ମାରୁଥାଏ । ନିଜ ଜୀବନକୁ ସେ ବାହାରୁ ଥାଇ ଦେଖୁଛି । ସେ ପରଦା ଭିତରେ ଓ ବାହାରେ ଉଭୟ ସ୍ଥାନରେ ନିଜେ । ଯାଯାବର ଭାବିଲା ନିଜ ଶରୀରଟି ବାହାରେ ଓ ପରଦାରେ ଯାହା ଅଛି ତାହା ହେଉଛି ତାର ଛାଇ, ତାର ଆତ୍ମା, ତାର ଭାଗ୍ୟ । ପରଦାରେ ନିଜେ ବାହାରି ପୁଣି ଉଭେଇ ଯିବାପରେ ପୁଣି ଥରେ ଦେଖିଲା, ପୁଣି ଥରେ, ପୁଣି ଆଉ ଥରେ । ଏପରି ସେଇ ସମାନ ଦୃଶ୍ୟକୁ ସେ ପାଞ୍ଚଥର ଦେଖିଲା । ଭାବିଲା ତା ଆତ୍ମା, ତା ଭାଗ୍ୟ ଏବେ ତାର ଅକ୍ତିଆରକୁ ଚାଲି ଆସିଛି । ପୂର୍ବରୁ ଭାଗ୍ୟ ତାକୁ ଆବୋରି ବସିଥିଲା, ଭାଗ୍ୟ ତାକୁ ନିୟନ୍ତ୍ରଣ କରୁଥିଲା । ଭାଗ୍ୟର ଇସାରାରେ ସେ ପରିଚାଳିତ ହେଉଥିଲା । ଏବେ ଭାଗ୍ୟକୁ ସେ ନିଜ ଆକ୍ତିଆରରେ ରଖିଛି । ତା ଦେହରେ କେବଳ ଛାଞ୍ଚଟିଏ ଅଛି । ସେ ଛାଞ୍ଚଟି ଏବେ ମରିଗଲେ ବି କ୍ଷତି ନାହିଁ । ଭାଗ୍ୟ ତାକୁ କିଛି କରିବାକୁ ଦେଉ ନ ଥିଲା । ତାର ଖୁସି, ତାର ସ୍ୱାସ୍ଥ୍ୟ, ତାର ମୋହ, ତାର ବଞ୍ଚିବାର ପ୍ରତିଶ୍ରୁତିକୁ ଲୁଟି ନେଇଥିଲା । ଯାଯାବର ନିଦରୁ ଉଠିଥିବା ପରି ନିଜକୁ ସତେଜ ଭାବରେ ଆବିଷ୍କାର କଲା । ତାର ଜୀବନ କାଳ ମଧ୍ୟରେ ନିଜକୁ ଆବିଷ୍କାର କରିବାର ଭାବ ତା ମନରେ କେବେ ବି ଉଦୟ ହୋଇ ନ ଥିଲା । ସେ ଗର୍ବରେ କୁଣ୍ଡେମୋଟ ହୋଇଗଲା । ଭାବିଲା, ଇଶ୍ୱରଙ୍କ ସାଙ୍ଗରେ ଦେଖା ହେଲେ ସେ କହିବ, ସେ ଯେମିତି ନିଦରୁ ଉଠି ନିଜକୁ ଦେଖିବାର କ୍ଷମତା ପାଇବ ସେପରି ବ୍ୟବସ୍ଥା କରି ଦିଅନ୍ତୁ । ତା ଆଖିପତା ଯେମିତି ନିରନ୍ତର ଖୋଲିବ ଓ ବନ୍ଦ ହେବ ସେପରି ବ୍ୟବସ୍ଥା କରି ଦିଅନ୍ତୁ । ହଠାତ୍ ସେ ଖୁବ୍ ଜୋର୍ରେ ଚିତ୍କାର କଲା, "ମୁଁ ଏବେ ମଲେ ବି ଚଳିବ, ମୁଁ ଏବେ ମଲେ ବି ଚଳିବ, କିଏ ଅଛ, ଆସ, ମୋତେ ମାର, ମୁଁ ମରିବାକୁ ପ୍ରସ୍ତୁତ ।' ଏମିତି କହି ଆଖି ପିଛୁଳାକେ କୁଆଡ଼େ ଉଭାନ୍ ହେଲା । ଏତେ ତୀର ଗତିରେ ପହଁରି ଗଲାଯେ ତାକୁ ଅନୁସରଣ କରିବା କାଠିକର ହୋଇ ପଡ଼ିଲା । ତା ପଛେ ପଛେ କିନ୍ତୁ ପ୍ରାୟ ପଚାଶ ସରିକି ବଡ଼ ବଡ଼ ମାଛ ତାକୁ ଖୋଜିବାକୁ ଚାଲିଗଲେ । ଦୁଇ ଦିନରୁ ବେଶି ସମୟ ଖୋଜିଲା ପରେ ସେମାନେ ତାକୁ ହଠାତ୍ ଦେଖିଲେ ଚାରିଟି ବଦ୍ମାସ ବାଦାମୀ ଓ କଳାମାଛ ସାମନାରେ ସେ ପାଟି କରୁଛି । ଯୁକ୍ତି କରୁଛି । ତା ସ୍ତ୍ରୀ ପୁଅଝିଅ ବୋହୂଂକୁ ସେମାନେ ଖୋଜି ନ ଆଣିଲେ ସେ ଦେଖି ନେବ ବୋଲି ଧମକ ଦେଉଛି । ତାର ଆତ୍ମବିଶ୍ୱାସ ଦେଖି ସେମାନେ ମଧ୍ୟ ସ୍ତବ୍ଧ ହୋଇ ଯାଇଥିଲେ । ଯାଯାବରର ଧମକ ଦେଖି ଓ ପ୍ରାୟ ପଚାଶ ସରିକି ମାଛଙ୍କ ଘେର ଦେଖି କଳାମାଛ ଚାରିଜଣ ଭୟ ପାଇଗଲେ । କିଛି କହିଲେ ନାହିଁ । ଚୁପ୍ ଚାପ୍ ସ୍ଥିର ହୋଇ ରହିଗଲେ । ପଳେଇଯିବା ପାଇଁ ବାଟ ପାଇଲେ ନାହିଁ । ସେମାନଙ୍କୁ ବଂଦି କରି ଅଣାହେଲା ନିଜ ଇଲାକାକୁ । ପାଞ୍ଚଜଣ ପ୍ରକାଣ୍ଡକାୟ ଧଳାମାଛଙ୍କ ସାମନାରେ ସେମାନଙ୍କୁ ଉପସ୍ଥାପନ କରାଗଲା । ଜେରା କରାଗଲା । ତାଙ୍କ ସର୍ଦାର ଯାହା କହିଲା ତାକୁ ମୁଭି କେମେରା ମାଧ୍ୟମରେ ରେକଡିଂ କରାଗଲା । ସେ କହିଲା, ସେମାନେ ହେଉଛନ୍ତି ଦଲାଲ୍ ଚାରି ଜଣ । ଅନ୍ୟ ଧନୀ ମାଛଙ୍କ ପାଇଁ ସେମାନେ କାମ କରନ୍ତି । ତାଙ୍କ କାମ ହେଲା ଦୁଃଖୀ ଦରିଦ୍ର ମାଛଙ୍କୁ ବଙ୍ଗୋପସାଗରରୁ ଆରବସାଗରକୁ ଚାଲାଣ କରିବା । ସେଠି ଅନେକ ଶିଳ୍ପ ସଂସ୍ଥା ଅଛି । ମାତ୍ର ଶ୍ରମିକର ଅଭାବ । ତେଣୁ ଏଠୁ କିଛି କିଛି ଆଗତୁରା ଲୋଭ ଦେଖାଇ ଓ ସ୍ୱପ୍ନ ଦେଖାଇ ଶ୍ରମିକ ଚାଲଣ କରାହୁଏ । ଯାଯାବରର ସ୍ତ୍ରୀ ପୁଅଝିଅ ବୋହୂମାନଙ୍କୁ ମଧ୍ୟ ଏକଦା ଚାଲାଣ କରା ହୋଇଥିଲା । ସେମାନେ ଏବେ ଲୁଚି ଲୁଚି କୁଆଡ଼େ ଖସି ଚାଲି ଯାଇଛନ୍ତି । ଆମର ବିଶ୍ୱାସ ଥିଲା ସେମାନେ ଯାଯାବର ପାଖକୁ ଯେମିତି ହେଉ ଆସିବେ । ତେଣୁ