ପୃଷ୍ଠା:Hada bagicha.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାଯାବରକୁ ବଂଦିକରି ରଖା ହୋଇଥିଲା । କିନ୍ତୁ ପରେ ହୃଦ୍ବୋଧ ହୋଇଥିଲା ଯେ ସେ ପ୍ରକୃତରେ ତା ପରିବାର ବିଷୟରେ କିଛି ଜାଣେ ନାହିଁ । ସତ କହିବାକୁ ଗଲେ ଆମେ ବି ଜାଣି ନାହୁଁ । "ଏମିତି ଆମେ ପ୍ରତିବର୍ଷ ପଚାଶ ହଜାର ସରିକି ଶ୍ରମିକ ଚାଲାଣ କରୁଁ । ଚାଲାଣ କରିବା କି କଷ୍ଟ । ସେମାନେ ମନା କରୁଥିବେ । ଆମେ ଲୋଭ ଦେଖାଉଥିବୁ । ସ୍ୱପ୍ନ ଦେଖାଉ ଥିବୁ । ଖାଦ୍ୟ ପରଷି ଦେବୁ । ଅହରହ ଠକୁଥିବୁ । ଠକିବାର କଳା ସମସ୍ତଙ୍କୁ ଜଣା କି? ଜଣକୁ ଠକିବା ତ ଖୁବ୍ ସହଜ । ମାତ୍ର ପଚାଶ ହଜାର ମାଛଙ୍କୁ ଅହରହ ଠକି ଚାଲିଥିବା ଏତେ ସହଜ ନୁହେଁ । ତାଙ୍କ ଆସିବା ବାଟରେ ଖାଦ୍ୟ ପରଷି ପରଷି ଆମେ ଆଗେ ଆଗେ ଚାଲୁଥିବୁ । ଆମ ଭିତରୁ କିଛି ତାଙ୍କ ପଛେ ପଛେ ବି ଚାଲି ଥିବେ । ସେମାନେ ଦୁର୍ଦାନ୍ତ ଦେଖା ଯାଉଥିବେ । କାରଣ ଠକିବା ସାଙ୍ଗରେ, ଡରାଇବା ଅନିବାର୍ୟ୍ୟ । ନଚେତ୍ ଆମେ ଠକରେ ପଡ଼ିଯିବା ସମ୍ଭାବନା ଅଛି । ସେମାନେ କିଛି ଆଶା କିଛି ନିରାଶାରେ ଧୀରେ ଧୀରେ ଡେଣା ହଲାଇ ଚାଲିଥାନ୍ତି । କିନ୍ତୁ ସେମାନେ ଜାଣିପାରି ନ ଥାନ୍ତି ଯେ ପ୍ରକାଣ୍ଡକାୟ ଜାଲଟେ ସେମାନଙ୍କୁ ଘେରି ରହିଛି । ଜଣେ ଦି ଜଣ କେହି ଖସିଯିବାକୁ ଚେଷ୍ଟାକରି କିଛି ଦୂର ଯାଇ ଜାଲକୁ ଦେଖି ଫେରି ଆସିବାକୁ ବାଧ୍ୟ ହୋଇଥାନ୍ତି । ସେମାନେ ଅନ୍ୟମାନଙ୍କୁ ଫିସ୍ ଫିସ୍ କହିଥାନ୍ତି ଜାଲ ବିଷୟରେ । ବିଶ୍ୱାସ ଅବିଶ୍ୱାସ ଭିତରେ ଜାଲର ଘେର ଭିତରେ ଚାଲିଥାନ୍ତି । କିଛି ବାଟ ଗଲା ପରେ ସେମାନଙ୍କୁ ଆଉ ଖାଦ୍ୟ ପରଷା ଯାଏ ନାହିଁ । ଆରବ ସାଗରରେ ପହଞ୍ଚିଲା ବେଳକୁ ସମସ୍ତେ ନିସ୍ତେଜ ଓ ମୁମୂର୍ଷୁ ହୋଇ ଯାଇଥାନ୍ତି । ସଙ୍ଗେ ସଙ୍ଗେ ସେମାନଙ୍କୁ ଖାଦ୍ୟ କିଛି ଦିଆହୋଇ ସିଧାସଳଖ କାମକୁ ପଠାଯାଏ । ସେମାନଙ୍କୁ ବେଠି ଖଟାଯାଏ । ଏହା ଶ୍ରମିକ ପାରିଶ୍ରମିକର ବ୍ୟବସ୍ଥା ନୁହେଁ । ବରଂ ବେଠି ଓ ଶୋଷଣର ଏକ ସୁଚିଂତିତ ଯୋଜନା । ତାଙ୍କର ଡେଣା ଛିଣ୍ଡି ଯାଏ । ଲାଞ୍ଜ କଟିଯାଏ । ଦେହସାରା ଦାଗ ହୋଇଯାଏ । କ୍ଷତାକ୍ତ ହୋଇ ଯାଆନ୍ତି ସେମାନେ । ତାଙ୍କର କଥା କହିବା ଶକ୍ତି ଚାଲିଯାଇଥାଏ । ତାଙ୍କର ସ୍ୱାଧୀନତା ଅପହରଣ କରି ନିଆହୋଇ ଥାଏ । ତେଣୁ ସେମାନେ ପ୍ରତିବାଦ କରିପାରନ୍ତି ନାହିଁ । ଏପରି ଶ୍ରମିକଗଣ ନିଜଠାରୁ ନିଜ ବ୍ୟକ୍ତିତ୍ୱକୁ ବିଚ୍ଛିନ୍ନ କରି ଯଂତ୍ର ପରି ଏଠୁ ସେଠିକି ଯା ଆସ କରି କାମ କରି ଚାଲିଥାନ୍ତି । ଖାଇବାକୁ ଦେଲେ ଖାଆନ୍ତି, କମ୍ ଖାଇବାକୁ ଦେଲେ ବି ଚୁପ୍ ଥାଆନ୍ତି । ନିଜ କ୍ଳୀବତ୍ୱର ଅନୁଭୂତିରେ ପେଷି ହୋଇଯାଆନ୍ତି । ନିଜ ଜୀବନର ମୂଲ୍ୟହୀନତା, ନିଜ ପରିଶ୍ରମର ନିରର୍ଥକତା ଓ ଏକ ବିକଟାଳ ନିଃସଂଗତାକୁ ଅନୁଭବ କରି ଭାଗ୍ୟକୁ ଆଦରି ପଡ଼ି ରହିଥାନ୍ତି । ଏ ଜାଲରୁ କେମିତି ବର୍ତିଯିବେ ସେଥିପାଇଁ କୌଣସି ସଂକେତ କୌଣସି ଦିଗରୁ କେବେହେଲେ ପାଇପାରନ୍ତିନାହିଁ । ଏଭଳି ପରିବେଶ ମଧ୍ୟରୁ ମୁକୁଳି ଯାଯାବରର ସ୍ତ୍ରୀ ପୁଅ ଝିଅ ବୋହୂ କୁଆଡ଼େ ଗଲେ, କେମିତି ଗଲେ ତାହା ହିଁ ଆମକୁ ଆଶ୍ଚର୍ଯ୍ୟ କରିଛି ।' ହଜାର ହଜାର ମାଛଙ୍କୁ ଚକିତ କରାଇ, କଳା ବାଦମୀ ମାଛଙ୍କୁ ଧଳାମାଛମାନଙ୍କୁ ଚକିତ କରାଇ, ଖୋଦ୍ ଯାଯାବରକୁ ଚକିତ କରାଇ ଏ ପରିବେଶ ମଧ୍ୟରେ ଅନେକ ସାପ ପରି ମାଛଙ୍କ ଗହଣରେ ହଠାତ ପ୍ରବେଶ କଲେ ତା ସ୍ତ୍ରୀ ଝିଅ ପୁଅ ଓ ବୋହୂ । କ୍ଳାନ୍ତ, ଶ୍ରାନ୍ତ, କ୍ଷତ-ବିକ୍ଷତ, ମୂକ ବଧିର ହୋଇ ପ୍ରବେଶ କଲେ । ଆଖିରେ ତାଙ୍କର ଭୟ, ଶରୀର କ୍ଷୀଣ, ଛିଣ୍ଡା ଲାଞ୍ଜ, ଲୋଳିତ ଚର୍ମ, ଗଳିତ ମାଂସପେଶୀ । ସ୍ୱପ୍ନ ସବୁ କେବେଠୁ ହଜିଯାଇଥାଏ, ଉଜୁଡ଼ି ଯାଇଥାଏ ଆଶା, ଭୁଷୁଡି ଯାଇଥାଏ ଦଶଦିଗ । ତାଙ୍କର ହସିବାର, କାନ୍ଦିବାର ଶକ୍ତି ନଥାଏ । ଡିମା ଡିମା ଆଖି ଗୁଡ଼ାକରେ ଦୃଷ୍ଟି ଥାଏ କି ନଥାଏ ଜଣାପଡୁ ନ ଥାଏ । ନିଜ ସ୍ୱାମୀ, ପିତା ବା ଶ୍ୱଶୁରକୁ ଦେଖି ପାରିଲେ କି ନାହିଁ, ଯଦିବା ଦେଖିଲେ ଖୁସି ହେଲେ କି ନାହିଁ, କିଛି ହେଲେ ଜଣାପଡୁ ନ ଥାଏ । ତାଙ୍କର ଆବେଗ ସବୁ ନିଃଶେଷ ହୋଇ ଯାଇଥାଏ । ଜଣା ଯାଉଥାନ୍ତି ସତେ ଯେପରି ସେମାନେ ସ୍ୱଚ୍ଛ ପ୍ଳାଷ୍ଟିକ୍ରେ ତିଆରି ଖେଳନା । ଏତେ ଦିନ ହେଲା କୁଆଡ଼େ ଯାଇଥିଲେ, କଣ କରୁଥିଲେ, କିପରି ଏତେ ଦୂର ବାଟକୁ ଫେରିପାରିଲେ କିଛି ଜାଣିପାରୁ ନ ଥାନ୍ତି । ଯାଯାବରର ସ୍ତ୍ରୀଟି କେବଳ ମୁଣ୍ଡ ଟୁଙ୍ଗାରୁ ଥାଏ ଅହରହ । କିଛି କହୁ ନଥାଏ ା ତା ପୁଅଟି ମୁଣ୍ଡତଳକୁ କରି ଛିଣ୍ଡା ଲାଞ୍ଜକୁ ଉପରକୁ କରି ଭାଷୁଥାଏ ଓ ମୁହଁକୁ ହସିବା ପରି କରିଥାଏ । ତା ଝିଅ ଓ ବୋହୂ ଦୁହେଁ ପାଖାପାଖି ଘସି ହୋଇ ପେଟକୁ ଉପରକୁ କରି ଚିତ୍ ହୋଇ ପଡିଥାନ୍ତି । ତାଙ୍କ ଆଖିର ପରଦାରେ କାହାରି ହେଲେ ପ୍ରତିବିମ୍ବ ନ ଥାଏ । ଥାଏ କେବଳ ପାଣିର ଛବି ଓ ଶୂନ୍ୟତା । ସଭିଏ ଅର୍ଧପାଗଳ ହୋଇଯାଇଥାନ୍ତି । ଯାଯାବର ସମସ୍ତଙ୍କୁ ଯାଇ ଛୁଇଁଲା । ଘଷି ହେଲା । ଆଉଁସି ଦେଲା । କେହି ହେଲେ କିଛି ପ୍ରତ୍ୟୁତ୍ତର ଦେଲେ ନାହିଁ । ସେମାନଙ୍କୁ ଖାଦ୍ୟ ପରଷାଗଲା । କେହି ଖାଇବାକୁ ଉପକ୍ରମ ବି କଲେ ନାହିଁ ।