ସାପମାଛମାନଙ୍କ ମଧ୍ୟରୁ ଜଣେ କହିଲା, "ଏମାନେ ସବୁ କାମ କରି ଖଟି ଖଟି ମରୁଥିଲେ ବି ଯେତିକି ପାଉଣା ପାଇବାକଥା ପାଉ ନ ଥିଲେ । ପ୍ରତିବାଦ ଯେ କରୁଥିଲା ତାକୁ ଭୀଷଣ ମାଡ଼ ଦିଆଯାଉଥିଲା । ରହିବାପାଇଁ ମଧ୍ୟ କ୍ଷୁଦ୍ର ସ୍ଥାନଟେ ଦିଆ ହୋଇ ଥିଲା । ଅମ୍ଳଜାନ ବିହୀନ, ଦୁର୍ଗନ୍ଧ ସ୍ଥାନ, ତେଲ ଚିଟିକା ଓ ଫେଣ ଥିବା ସ୍ଥାନରେ ଗୁଡ଼ାଏ ମାଛଙ୍କୁ ଏକାଠି ରହିବାକୁ ପଡୁଥିଲା । ଦୁର୍ଦାନ୍ତ ଦଲାଲ ମାଛମାନେ ସେମାନଙ୍କୁ ସବୁବେଳେ ଘେରି ରହିଥିଲେ । କାହାର ସ୍ୱାସ୍ଥ୍ୟହାନି ହେଲେ ଦେଖାଶୁଣା କରିବା ପାଇଁ ପାଖରେ କେହି ନ ଥିଲେ । କାହାକୁ ଖେଳିବାକୁ, ପହଁରିବାକୁ ଅନୁମତି ଦିଆଯାଉ ନଥିଲା । ସେଠି କଥା ହେବାକୁ ମନା । ଯୋଜନା କରିବାକୁ ମନା । ସ୍ୱପ୍ନ ଦେଖିବାକୁ ମନା । କାନ୍ଦିବାକୁ ମନା । ପରସ୍ପରକୁ ଆଉଁସିବାକୁ ମନା । ନିଜ ଶିଶୁମାନଙ୍କୁ କୋଳକରି ବୋକ ଦେବାକୁ ମନା । ଥାକ ଥାକ ଧାଡ଼ି ଧାଡ଼ି ହୋଇ କେବଳ ପଡ଼ି ରହିବାକୁ ହୁଏ । ଚାରିମାସ କାଳ ଏମିତି ଖଟି ଖଟି ସଭିଏଁ ହାଡୁଆ ହେଲା ପରେ ହଠାତ୍ ଏକ ସାମୁଦ୍ରିକ ଝଡ଼ ପ୍ରଚଣ୍ଡ ବେଗରେ ଆସିଲା । ସମୁଦ୍ର ଭିତରେ ଘୂର୍ଣିବାତ୍ୟା । ଜଳ ସବୁ ଘୂରି ଘୂରି ବିରାଟ ସ୍ତମ୍ଭ ପରି ଖୁବ୍ ଉଚ୍ଚକୁ ଉଠିଲା । ହଜାର ହଜାର ମାଛ, ମାଛ ଶିକାରୀ, ଛୋଟ ଛୋଟ ପାଲଟଣା ଜାହାଜ ଉପରକୁ ଉଠି ଚକ୍ରାକାରରେ ଘୂରିଲେ । ହଜାର ହଜାର ସାପ, ତିମି ମାଛ, ଶାର୍କ, ଶୂନ୍ୟରେ ଘୂରି ଘୂରି କଚାଡ଼ି ହୋଇ ପଡ଼ିଲେ । ପୁଣି ଘୂରିଲେ, ପୁଣି ପଡ଼ିଲେ । ପେଟ ଫାଟି, ପିଠି ଚିରି ହୋଇ ଅସଂଖ୍ୟ ମଲେ । ସାମୁଦ୍ରିକ ପକ୍ଷୀ ସବୁ ଦଳ ଦଳ ହୋଇ ଡେଣା ମେଲାକରି ପର ଝାଡ଼ି ଚକ୍ରାକାରରେ ଘୂରିଲେ ଏବଂ କଚାଡ଼ି ହୋଇ ମଲେ । ଆରବ ସାଗର କୂଳରେ ଲାଗିଥିବା ଜାହାଜ ସବୁ ତୀର ବେଗରେ ନିରାପଦ ସ୍ଥାନକୁ ଛୁଟି ଗଲେ । ଝଡ଼ ଆସିବାର ପୂର୍ବ ସୁଚନା ଆସିବାରୁ ସବୁ ଜାହାଜ ଧାଡ଼ିବାନ୍ଧି ସିଧା ବଙ୍ଗୋପ ସାଗର ଅଭିମୁଖେ ଆଖିବୁଜା ଚାଲିଲେ । କିଛି ଜାହାଜ ପିଟାପିଟି ହୋଇ ବୁଡ଼ିଲେ ମଧ୍ୟ । ଗୋଟିଏ ଜାହାଜର ପଛେ ପଛେ ଦି’ଧାର ଫେଣ ମଝିରେ ଜୀବନ ବିକଳରେ ଆଗପଛ ନ ବିଚାରି ଆମେ କିଛି ଛୁଟି ଆସିଲୁ । ସ୍ରୋତ ବି ଏତେ ତୀବ୍ର ଥାଏ ଯେ ଆମକୁ ଠେଲି ନେଉଥାଏ । ଆଗରେ ବି ମୃତ୍ୟୁଭୟ ପଛରେ ବି ମୃତ୍ୟୁଭୟ । ଆମ ଡେଣା ସବୁ ଗୋଟି ଗୋଟି ହୋଇ ଛିଣ୍ଡି ଯାଉଥାଏ । ଆମେ ପରସ୍ପରକୁ ଦେଖି ପାରୁ ନ ଥିଲୁ ଅନେକ ସମୟରେ । ଫେଣ ଓ ସ୍ରୋତ ଭିତରେ ଉଠପଡ଼ ହୋଇ କଚାଡ଼ି ହୋଇ ଖୁବ କଷ୍ଟରେ ଫେରିବାକୁ ପଡୁଥାଏ । ଏମାନେ ଅନେକ ଦିନରୁ ଅଖିଆ ଅପିଆ ଥିବାରୁ ଦୁର୍ବଳ ଶରୀର ନେଇ ଫେଣ ଓ ଜୁଆର ଭିତରେ ସ୍ରୋତର ବିପରୀତ ଦିଗରେ ଆସିବା ଯନ୍ତ୍ରଣା ଦ୍ୱିଗୁଣିତ ହେଉଥାଏ । କେବଳ ଗୋଟିଏ ଜିଦ୍ରେ ହିଁ ଫେରି ଆସିବାକୁ ପଡିଲା । ଏମାନଙ୍କ ତଣ୍ଟି ସବୁ ଅଠାଅଠା ହୋଇ ଲଟକି ଯାଇଛି ତେଣୁ କଥା କହି ପାରୁ ନାହାନ୍ତି । ଆସିବା ପାଇଁ କେବଳ ଆମକୁ ଚଉଦ ଦିନ ଲାଗିଲା ।' ଯାଯାବର ଦେଖିଲା ତା ସ୍ତ୍ରୀ ଆଉ ମୁଣ୍ଡ ଟୁଙ୍ଗାରୁ ନାହିଁ । ପାଖକୁ ଯାଇ ତା ଦେହକୁ ତଳ ଉପରକରି ଦି ଚାରିଥର ଓଲଟ ପାଲଟ କଲା । ଦେଖିଲା ସେ ନିସ୍ପଂଦ ହୋଇ ଯାଇଛି । ଯାଯାବର ଚିତ୍କାରଟେ କଲା କିନ୍ତୁ ବିଶେଷ କାନ୍ଦି ପାରିଲାନାହିଁ । ନିଜ ସ୍ତ୍ରୀକୁ ସମୁଦ୍ରକୁ ଅର୍ପଣ କରି ଦେଇ ଅର୍ଧପାଗଳ ପୁଅ ବୋହୂଂକୁ ଛାଡ଼ି ସେ ତିଳ ତର୍ପଣ ଉଦେ୍ଧଶ୍ୟରେ କେଉଁ ଆଡ଼େ ତତ୍କ୍ଷଣାତ ତୀର ବେଗରେ ଛୁଟିଗଲା ସମସ୍ତଙ୍କର ଅପହଂଚ ଦୁରତ୍ୱକୁ । ବୃଦ୍ଧ ଯାଯାବରକୁ ଯେତେ ଖୋଜିଲେ ବି ଆଉ ମିଳିଲା ନାହିଁ ।
ପୃଷ୍ଠା:Hada bagicha.pdf/୮୦
Appearance