ପୃଷ୍ଠା:Hada bagicha.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେନ୍ତୁଳି ଗଛର ଛାଇ ବିରିପାଲି ଗାଁର ଉଭୟ ମୁଣ୍ଡରେ ଦୁଇଟି ପ୍ରକାଣ୍ଡ ଓ ଝଙ୍କାଳିଆ ତେନ୍ତୁଳିଗଛରେ ରହୁଥିବା ପ୍ରେତମାନଙ୍କ ବୟସ ସେଇ ଗାଁକୁ ଖୁବ୍ ପରେ ପଦାର୍ପଣ କରିଥିବା ବୁଢ଼ୀ ଠାକୁରାଣୀଙ୍କ ବୟସଠୁ ବେଶ ଅଧିକ, ଏବଂ ଏ ସମସ୍ତଙ୍କ ବୟସଠୁ ବି ଅଧିକ ସେଇ ଗାଁର କନ୍ଧ ବୁଢାଙ୍କ ବୟସ । ପ୍ରହେଳିକାପୂର୍ଣ ବୋଲି ଯଦି କିଛି ଥାଏ ଏ ପୃଥିବୀରେ ତେବେ ସେ ହେଉଛନ୍ତି କନ୍ଧବୁଢ଼ା । ପ୍ରତ୍ନତତ୍ୱବିତ୍ଗଣ ଖନନ କରିଥିବା ଯେ କୌଣସି ରହସ୍ୟମୟ ପଦାର୍ଥଠାରୁ ଆହୁରି ରହସ୍ୟମୟ ଏ କନ୍ଧ ବୁଢ଼ା । ପ୍ରବାଦ ପୁରୁଷ ବୋଲି କେହିଜଣେ ଯଦି ଥାଆନ୍ତି ତେବେ ସେ ହେଉଛନ୍ତି କନ୍ଧବୁଢ଼ା । ତାଙ୍କର ଗୁଡ଼ାଏ ନାମ । ସର୍ବନାମ ପୁରୁଷ ବୋଲି ଯଦି କାହାକୁ କୁହାଯାଇପାରେ ତେବେ ସେ ହେଉଛନ୍ତି କେବଳ କନ୍ଧବୁଢ଼ା । ପ୍ରତ୍ୟେକଟି ନାମ ପଛରେ ଏକ କ୍ଷୁଦ୍ର ଇତିହାସ । ଶୀତଦିନେ ଖଟତଳେ ଉହ୍ମେଇରେ ଅଙ୍ଗାର ରଖି ଶୋଇଥାନ୍ତି । ନିଦ ଭାଙ୍ଗିଲେ ମଝିରେ ମଝିରେ କେତେବେଳେ କୁଟାଟିଏ ବା କାଠି ଖଣ୍ଡେ ତହିଁରେ ପକାଇ ଦିଅନ୍ତି । କେତେବେଳେ ନିଆଁଝୁଲ ଲାଗି ଖଟର ଦଉଡ଼ି, ଦେହର ଧୋତି ଓ ଚର୍ମ ପୋଡି ଯାଇଥାଏ ସେ ଜାଣି ପାରନ୍ତି ନାହିଁ । ଥରେ ଧୂଆଁପତ୍ର ଭରା ଲମ୍ବ କାହାଳୀକୁ ଦୁଇ ଚାରିଥର ଟାଣିସାରି କାନରେ ଖୋସି ଦେଇଥିବା ହେତୁ କେତେବେଳେ କାନ ଓ ବାଳ ପୋଡ଼ି ଯାଇଛି ସେ ଜାଣିପାରି ନ ଥିଲେ । ଜଙ୍ଗଲକୁ ଏକଦା କାଠ ଆଣି ଯିବା ବେଳେ ନିଜ ଅଣ୍ଟାରେ ଗୁଡ଼ା ହୋଇଥିବା ପୁଆଳ ବେଂଟରୁ ନିଆଁ ଲାଗି ତାଙ୍କ ଅଣ୍ଟା ପୋଡି ଯାଇଥିଲା । ବିଡ଼ି ପିଇଲା ବେଳକୁ କେବେକେବେ ଓଲଟା ଧରି ଦିଅନ୍ତି ତେଣୁ ଓଠସାରା ପୋଡ଼ା ଦାଗ । ତାଙ୍କ ଆପାଦମସ୍ତକ ପୋଡ଼ାଦାଗର ମାନଚିତ୍ରରେ ଭରପୂର । ତେଣୁ ତାଙ୍କନାମ "ପୁଡ଼ା ବୁଢ଼ା'ା ଗାଁରେ ଏକ ପ୍ରକାଣ୍ଡକାୟ ଚହଲା, ଯାହାକୁ କନ୍ଧ ବୁଢ଼ା ଏକାକୀ ଏକ ବର୍ଷକାଳ ପରିଶ୍ରମ କରି ଖୋଳି ଥିବାର ଲୋକ ମୁଖରୁ ଶୁଣାଯାଏ । ଚହଲାରେ ବର୍ଷ ତମାମ ପାଣି ରହେ ଏବଂ କନ୍ଧ ବୁଢ଼ା ଗାଧୋଇବା ବାହାନାରେ ଚହଲା ପାଣିରେ ମହିଁଷିପରି ପଡିଥାନ୍ତି ଘଣ୍ଟା ଘଣ୍ଟା । କଥିତ ଅଛି ତାଙ୍କ ଯୁବକାବସ୍ଥାରେ ସେ ଯେଉଁ କୂଅକୁ ଗାଧୋଇବା ପାଇଁ ଯାଉଥିଲେ, କୂଅ ଭିତରକୁ ଓହ୍ଲାଇ ଘଣ୍ଟା ଘଣ୍ଟା ଧରି ପଡ଼ିରହୁ ଥିଲେ । ଗାଁରେ ଜାଣିଥିବା ଦେଖିଥିବା ଲୋକେ କିଛି ସମୟପରେ ପାସୋରି ଦେଇ ବାଲ୍ଟି ପକାଇ ଦେଲେ ତାଙ୍କ ମୁଣ୍ଡରେ ବାଡ଼େଇ ହୋଇଥିବାର ବି ଯଥେଷ୍ଟ ପ୍ରମାଣ ଅଛି । ଲୋକେ ପୁଣି ଗାଳି ଦେଉଥିଲେ ସେ ଅନିଚ୍ଛାସତ୍ୱେ ପଦାକୁ ବାହାରୁଥିଲେ ହସିହସି । ଯାହା ଜଣାଯାଏ ଲୋକଙ୍କ ଗାଳିରୁ ରକ୍ଷା ପାଇବା ସକାଶେ ସେ ନିଜେ ଏ ଚହଲାକୁ ଖୋଳିଥିଲେ । ଏପରି ଭାବରେ ଗାଧୋଇବାର ପ୍ରବୃତ୍ତି ଯୋଗୁ ତାଙ୍କ ନାଁ ବି ହୋଇଛି "ପାଣି ବୁଡୁ ବୁଢ଼ା' । ସେ ବି ଅନେକ ଘଟନା ଦୂର୍ଘଟନାକୁ ପାସୋରି ଦିଅନ୍ତି । ଗାଁର ଚାରିପାଞ୍ଚ ଜଣ ବ୍ୟକ୍ତି ମିଶି କୌଣସି ପାସୋରି ଦେଇଥିବା ଘଟନାକୁ ବାରମ୍ବାର କହି କହି ତାଙ୍କର ସ୍ମୃତିଶକ୍ତିକୁ ଟାଣି ଓଟାରି ଆଣିଲେ ଯାଇ କିଛି କଥା ମନେପଡ଼େ ଓ ସେ ହସି ହସି ବଖାଣି ବସନ୍ତି । ମଝିରେ ପୁଣି ପାସୋରି ଦେଲେ ତାଙ୍କୁ ଖିଅ ଧରାଇବାକୁ ପଡ଼େ । ତେଣୁ ମଧ୍ୟ ତାଙ୍କ ନାଁ ହୋଇଛି "ଭୁଲାସୁରିଆ ବୁଢ଼ା'ା ସେ ବାଁ ହାତରେ ସବୁକାମ କରନ୍ତି ବୋଲି ତାଙ୍କ ନାଁ ବି ହୋଇଛି "ଡେବିରି ବୁଢ଼ା' । ଏତେ ଗୁଡ଼ାଏ ନାଁ ଭିତରୁ ତାଙ୍କ ପୈତୃକ ନାଁଟି କଣ କେହି ଜାଣି ନାହାନ୍ତି । ସମ୍ଭବତଃ ନିଜେବି ଜାଣି ନାହାନ୍ତି । "ତୁମ ନାଁ କଣ?' ବୋଲି କେହି ପଚାରିଲେ ସେ କେବଳ ହସଟିଏ ଖେଲାଇ ଦିଅନ୍ତି ମୁହଁରେ । ପାଖଲୋକେ ଯାହାକୁହନ୍ତି ତାହାହିଁ ତାଙ୍କ ନାଁ । ଏମିତି ନିଜ ବୟସ ଜଣାନ ଥିବା, ନିଜ ନାଁ ଜଣାନଥିବା ବ୍ୟକ୍ତିଂକୁ ସର୍ବନାମ ପୁରୁଷ ଭିନ୍ନ ଆଉ କଣ କୁହାଯାଇ ପାରେ? ତାଙ୍କର ବ୍ୟକ୍ତିତ୍ୱର ସବୁଠୁ ଆକର୍ଷଣୀୟ ଦିଗ