Jump to content

ପୃଷ୍ଠା:Hada bagicha.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଡ଼ କରି, ନିସ୍ତେଜ ଶରୀରକୁ କର୍ମଠକରି, ସ୍ୱୟଂଚାଳିତ କୌଣସି ଯାନପରି ଦ୍ରୁତଗତିରେ ଗାଁ ଛାଡ଼ି ଚାଲିଥାଏ । କିନ୍ତୁ ପ୍ରକୃତରେ ସେ ଭୁଲ୍କରେ । ଗାଁର ସବୁ ବୁଢ଼ାଲୋକଙ୍କୁ ଗଣିବାକୁ ଯଦି ସରକାର ବା କୌଣସି ସଂସ୍ଥା ବା କୌଣସି ବ୍ୟକ୍ତି ବିଶେଷଙ୍କର ଆଗ୍ରହ ଥାଏ ତେବେ ସେମାନଙ୍କୁ ଧୈର୍ୟ ସହକାରେ ଏ ଗାଁର ଏକମାତ୍ର ପର୍ବ - "ଶବଦାହ ପର୍ବ'ରେ ସାମିଲ ହେବାକୁ ପଡ଼ିବ ଏବଂ ମାତ୍ର ଏକଦୁଇ ମିନିଟ ମଧ୍ୟରେ ଗଣାଯାଇ ପାରିବ । ଏଗାଁର ଦୁଇଟି ରୋଗଗ୍ରସ୍ତ କୁକୁରବି କ୍ୱଚିତ୍ ଭୁକନ୍ତି, ଯଦି କାହାର ଦେହାନ୍ତ ହୋଇଯାଏ । କୁକୁର ଦୁହେଁ ଆକାଶକୁ ଦେଖି ଭୁକିଲେ ବାକି ବୁଢ଼ାଲୋକ ଜାଣନ୍ତି ଯେ ତାଙ୍କଭିତରୁ କେହିି ଜଣେ ମରିଯାଇଛି । କୁକୁର ଦୁହେଁ ପାଛୋଟି ନିଅନ୍ତି ଶବ ପଡ଼ିଥିବା ଦୁଆର ମୁହଁକୁ ଏବଂ ସବୁ ବୁଢ଼ାଲୋକ ମିଶି ଶବକୁ ଘୋଷାଡ଼ି ଉଠିପଡ଼ି ଅଧବାଟରେ ବିଶ୍ରାମ ନେଇ ଗାଁ ମୁଣ୍ଡ ତେନ୍ତୁଳି ଗଛ ତଳେ ଜାଳି ଦିଅନ୍ତି କମ୍ କାଠରେ । ତାପରେ ସେମାନେ ଅବଶିଷ୍ଟ କାଠ ସଂଗ୍ରହ କରନ୍ତି ଦି'ଦିନ ଯାଏ । ଶବଟି ଧୀରେ ଧୀରେ ତିନି ଦିନ ଯାଏ ପୋଡୁଥାଏ । ଗାଁର ଏ ଶବଦାହ ପର୍ବ ବି ଅଜବ । ଏ ଦୃଶ୍ୟକୁ କେମିତି ଚିତ୍ର ଅଙ୍କାଯାଇ ପାରିବ, କେମିତି କାବ୍ୟକବିତା ବା ଉପନ୍ୟାସ କରାଯାଇ ପାରିବ ଭାବି ହୁଏନା । କନ୍ଧ ବୁଢ଼ା ଓ ଅନ୍ୟମାନେ - ସମୂଦାୟ ଦଶ ଏଗାର ବାର ତେର - ଚଉଦ-ଆଠ-ନଅ-ଦଶ- ଏଗାର ଜଣ ଠାକୁରାଣୀ ଖୁଂଟ ପରି ପିଂଢ଼ାରେ, ଅଗଣାରେ, ଗଛତଳେ, ମାଟିଢିପ ଉପରେ, ପଥର ଉପରେ, ଏପରିକି ଠାକୁରାଣୀ ଖୁଂଟଉପରେ ବି ବସିଥାନ୍ତି । ସେମାନଙ୍କୁ ଛାଇରେ ଶୀତ ଲାଗେନା, ଗ୍ରୀଷ୍ମରେ ଖରା କାଟେନା, ବର୍ଷାରେ ଚର୍ମ ବତୁରି ଯାଏନା । ସେମାନେ ଯେଉଁଠି ବସିଥାନ୍ତି ସେଠି ଖରାବର୍ଷା ଶୀତ, ଛାଇ ଓ ଉତ୍ତାପ, ନେତା ଓ ସରକାର, ବ୍ୟକ୍ତି ବା ସଂସ୍ଥା ସମସ୍ତେ ବାଟକାଟି ଯାଉଥାନ୍ତି । କେହି କାହାକୁ ନେଇ ବିଚଳିତ ହୁଅନ୍ତି ନାହିଁ । ସମସ୍ତେ ନିର୍ବିକାର, ପଥର ପରି, ତେନ୍ତୁଳି ଗଛପରି, ଠାକୁରାଣୀ ଖୁଂଟପରି, ଈଶ୍ୱର ବିଶ୍ୱାସ ପରି, ଅନ୍ଧ ବିଶ୍ୱାସ ପରି । ପ୍ରିୟ ପାଠକେ ଏହାକୁ ଏକ ଗଳ୍ପ ବୋଲି ଭାବିବେ ନାହିଁ । ଏହାଭିତରେ ଥିବା ଯତ୍ କିଞ୍ଚିତ କାହାଣୀକୁ ରବରରେ ଘସି ଲିଭାଇ ଦିଆଯାଉ । ଶବ୍ଦମାନେ କିଛିବି ଅର୍ଥ ପ୍ରକାଶ ନକରି ନିଜ ମୂଳ ଆଧାରକୁ ଫେରି ଯାଆନ୍ତୁ । ଲେଖାହୋଇଥିବା ପୃଷ୍ଠାଟି ପୁଣି ଥରେ ଧଳା ହୋଇଯାଉ, ସଫା ହୋଇଯାଉ । ବିରିପାଲି ଗାଁ ଓ ସେ ସବୁ ବୁଢ଼ାଲୋକଙ୍କ ପରି ଶବ୍ଦ ସବୁ ତରଳି ଯାଉ, ଅପସରି ଯାଉ, ଅଦୃଶ୍ୟ ହୋଇଯାଉ । କଙ୍କଡ଼ାଟିଏ କାଦୁଅ ଉପର ଦେଇ ଯିବାପରେ ସଫା କାଗଜ ଉପରେ ଚାଲିଗଲେ ଯେଉଁ ଛାପ ପଡ଼େ ଏ ଗଳ୍ପର ଅକ୍ଷରମାନଙ୍କୁ ତହିଁର ଉଦାହରଣ ବୋଲି ମନେ କରାଯାଉ । ଏ ଅକ୍ଷରମାନଙ୍କ ଭିତରେ ଭାଇରସ୍ ବା ବାକ୍ଟେରିଆ ଭରପୂର ହୋଇଥିବ, ଏହାକୁ କେହି ଛୁଅନ୍ତୁ ନାହିଁ । ନିରାପଦ ଦୂରତ୍ୱ ରକ୍ଷା କରନ୍ତୁ ।