Jump to content

ପୃଷ୍ଠା:Hada bagicha.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକେ ଖୋଳିଥିବା ଗାତରେ ଶବଟିକୁ ପକାଇଦେଇ ମାଟି ପୋତି ଦିଆଗଲା ଏବଂ ଅନ୍ୟମାନେ ଘରକୁ ଫେରିବା ବେଳକୁ ପରଦିନର ସିନ୍ଦୂରା ଫାଟି ଆସୁଥିଲା । ଶବପୋତା ହେବାର ପରବର୍ତୀ ତିନି ଦିନ ମଧ୍ୟରେ ହିରନ ମାଝିର ପରିବାର ଓ ଜ୍ଞାତି କୁଟୁଂବ ଯେମିତି ଶୁଦ୍ଧିକ୍ରିୟା କରିବାକଥା କଲେ । ମୁଣ୍ଡ ବାଳ କାଟିଲେ, ହଳଦୀପାଣି ମାଖିଲେ, ତେଲ ମାଖିଲେ, କାନ୍ଦିଲେ, ମୁହଁରେ ପଣତ ଯାକି ସ୍ତ୍ରୀ ଲୋକେ ବନ୍ଧକୁ ଗାଧୋଇ ଗଲେ,ଗାଁ ଲୋକଙ୍କୁ ମାଂସ ଭାତ ଖୁଆଇଲେ, ମଦ ପିଆଇଲେ, ନିଜ ହାଣ୍ଡି ମାରାକଲେ, ନୂଆ ହାଣ୍ଡି ଲଗାଇଲେ, ନୂଆ ଲୁଂଗି ଓ ନୂଆ ଶାଢ଼ି ଲଗାଇଲେ, ଘର ଓ ଦୁଆର ଲିପାପୋଛା କଲେ, ଏପରିକି ମାଂସ, ମଦ ଓ ନୂଆ ଲୁଂଗି ପାଇଁ ନିଜ ପରିବାର ସ୍ୱଜନ ମଧ୍ୟରେ ଗାଳିଗୁଲଜ ଲାଗିଲେ । ଯେଉଁମାନେ ଜିପ୍ରେ ବସି ପୋଷ୍ଟମଟର୍ମ ପାଇଁ ଯାଇଥିଲେ ସେମାନେ ଦାବି କରୁଥିବା ନୂଆ ଗାମୁଛା ଓ ଅଧିକ ମଦକୁ ପୂରଣ କଲେ । ଏପରି ଯୁକ୍ତିତର୍କ ପାଟିତୁଣ୍ଡ ମଧ୍ୟରେ ତିନି ଦିନ କଟିଲା । ଶୁଦ୍ଧିକ୍ରିୟା କାମ ଶେଷହେଲା । ହିରନ ମାଝିର କ୍ଷୀର ଦେଉଥିବା ଗାଈ ଦୁଇଟି ବିକ୍ରି ହେଲା ଓ ତା ଜମି ବନ୍ଧକପଡିଲା ଓ ସମୁଦାୟ ପାଞ୍ଚହଜାର ଟଙ୍କା ଖର୍ଚ ହେଲା । ତାପର ଦିନ ଅପରାହ୍ଣରେ ଚାରିକୋଶ ବାଟ ଚାଲି ଧଇଁ ସଇଁ ହୋଇ ସଦଳବଳେ ପହଞ୍ଚିଲା ଝାଁକର ବୁଢ଼ା । ସିଧାଯାଇ ଠିଆ ହେଲା ହିରନ୍ ମାଝି ଘର ଆଗରେ । ଦେଖୁ ଦେଖୁ ଗାଁର ପୁରୁଷ ସ୍ତ୍ରୀ ପିଲାଝିଲାଙ୍କ ଏକ ଭିଡ଼ ଲାଗିଗଲା ରାସ୍ତା ମଝିରେ । ସମସ୍ତଙ୍କ ଛାତିରେ ଛନକା । ମୁହଁରେ ପ୍ରଶ୍ନ । ମାତ୍ର ସଭିଏଁ ବେବାକ୍, ସଭିଏଁ ନିସ୍ପଂଦ, ନିଥର । ପୁରୁଷ ଲୋକ ସବୁ ହାତ ଧରାଧରି ହୋଇ ନତୁବା ଅନ୍ୟର କାନ୍ଧ ଉପରେ ହାତ ରଖି ପରସ୍ପରର ଉପସ୍ଥିତିକୁ ସ୍ପର୍ଶ ମାଧ୍ୟମରେ ଜାହିର କରୁଥିଲେ । ବୋଧହୁଏ ନିଜ ମନୋବଳକୁ ଆହୁରି ଦୃଢ଼ କରିବାରେ ଲାଗିଥିଲେ । ସ୍ତ୍ରୀ ଲୋକମାନେ ନିଜ ଅବିନ୍ୟସ୍ତ ବାଳସବୁ କାନ ପଛପଟେ ସାଉଁଟି ଆଣି ଦୁଇହାତ ମୁଣ୍ଡ ପଛକୁ ନେଇ ଖୁପା ପାରି ଦେଉଥିଲେ । କେହି କେହି ନିଜ ପିନ୍ଧିଥିବା ହୁଗୁଳା ଶାଢ଼ିକୁ ଖୋଲି ଆଉଥରେ ସଜାଡ଼ି ଆଣୁଥିଲେ । କୁକୁଡ଼ା ଛୁଆ ସବୁ ମା କୋଳରେ ପଶିଗଲା ପରି ଛୋଟବଡ଼ ଶିଶୁମାନେ ଶାଢ଼ି ପଛପଟେ ଲୁଚି ଯାଉଥିଲେ । ଆବାଳବୃଦ୍ଧବନିତା ଭୟରେ ସୁଡୁବୁଡୁ । ସମସ୍ତଙ୍କର ବିଷ୍ଫାରିତ ଆଖି । ଝାଁକର ବୁଢ଼ାର ବୟସ ତା ଶରୀରରୁ କଳନା କରିବା ସହଜ ନୁହେଁ । ଲୋକ ମୂଖରୁ ଯାହା ଶୁଣାଯାଏ ତା ବୟସ ନିଶ୍ଚୟ ଶହେରୁ ଊଧ୍ୱର୍ । ବାମନ ଅଥଚ ସଳଖ । ତା କାଳରାତ୍ରିର ଅନ୍ଧାର ପରି କଳା ଦେହରେ ଚର୍ମ ସବୁ ଲୋଚା କୋଚା ହେଲେ ମଧ୍ୟ ମାଂସଳ ନୁହେଁ ଓ ମସୃଣ ନୁହେଁ ବୋଲି କୁହାଯାଇ ପାରିବ ନାହିଁ । ଦେହଟା ତେଲ ଓ ଝାଳରେ ସବୁବେଳେ ଚକ୍ ଚକ୍ । ମୁଣ୍ଡର ଧଳାବାଳରେ ଗୋଟିଏ ଚୁଟି । ଚୁଟିରେ ବେଳପତ୍ରଟିଏ । ଉଚ୍ଚକପାଳର ଶୀର୍ଷଯାଏ ଲମ୍ବ ସିନ୍ଦୂର ଗାର । ବେକରେ ଲାଲ ଗାମୁଛା । ଅଣ୍ଟାରେ ପରିଷ୍କାର ଧଳା ଧୋତି ଦୁଇଥର ଅଣ୍ଟାରେ ଗୁଡ଼ା ହୋଇ ଗଣ୍ଠିପକା ହୋଇଥାଏ । ବେକରେ ଦୁଇଟି ବାଘନଖରେ ତିଆରି ଓ କଳାସୂତାରେ ବନ୍ଧା ମନ୍ତ୍ରପୂତ ତାବିଜ୍ । ବାଁ ହାତରେ ସତର ଧାତୁରେ ଗଢ଼ା ଚାରୋଟି ମନ୍ତ୍ରପୂତ ଡେଉଁରିଆ । ଡେଉଁରିଆ ଭିତରେ ସବୁ ରୋଗ, ସବୁ କ୍ଳେଶ, ସବୁ ଭୂତ ପ୍ରେତ ବଂଦି । ଝାଁକର ବୁଢ଼ାର ଦଳରେ ଥାଆନ୍ତି ତାର ଷାଠିଏରୁ ଊଧ୍ୱର୍ ବୟସର ଦୁଇ ଦୁର୍ଦାନ୍ତ ପୁଅ ଓ ଚାରିଜଣ ତିରିଷ ବର୍ଷ ବୟସର ଯୁବକ ଚାକର । ପୁଅ ଦି'ଜଣ ହାତରେ ଧରିଥାନ୍ତି ଚାଉଳ, ପରିବା, ଘିଅ, ଦୀପ ଓ ଅନ୍ୟମାନେ ଧରି ଥାନ୍ତି କଳସ, ପାଣି, ସିନ୍ଦୂର, ଫୁଲ ଓ ତା ଭିତରେ ଥାଏ ଗୁଡ଼ାଏ ମନ୍ତ୍ର ଓ ଅଭିଶାପ । ଭୋରରୁ ଉଠି ସେମାନେ ଚାରିକୋଶ ବାଟ ଚାଲି ଚାଲି ଚାରୋଟି ବିଭିନ୍ନ ଚଂଡି ମନ୍ଦିରରେ ଥିବା ଆଠଟି ଠାକୁରାଣୀଙ୍କ ପୂଜା ଆରାଧନା ସାରି ଏବେ ବାହୁଡୁଛନ୍ତି । ପେଟରେ ଭୋକ, ମନରେ ରାଗ ଓ ଅନେକ ଯୋଜନା । ସାମନାରେ ଥିବା ମଣିଷମାନେ ସମ୍ଭ୍ରମରେ ମୁଣ୍ଡ ନୁଆଁଇ ଛିଡ଼ା ହୋଇଥିଲେ । ଆହା! ବିଚରାମାନେ ଅସହାୟ ଓ ଦୁର୍ବଳ । ଝାଁକର ବୁଢ଼ା ସେମାନଙ୍କୁ ସବୁ ପ୍ରକାରର ପାପ କରିବାକୁ ଅନୁମତି ଦିଏ । ତା ଅନୁମତି ନେଇ ଯିଏ ଯାହା ପାପ କଲା ତାକୁ ସାତଖୁଣ୍ ମାଫ । ସେମାନଙ୍କ ପାପରୁ ଯାହା ଦଣ୍ଡ ସ୍ୱରୁପ ମିଳେ ତାକୁ ଝାଁକର ବୁଢ଼ା ନିଜେ ନୀଳକଂଠ ପରି ପିଇଯାଏ । ତେଣୁ ଲୋକେ ତାକୁ ତ୍ରାଣକର୍ତା ଭାବରେ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତି । ସ୍ୱାଧୀନ ଭାବରେ ଚିନ୍ତା କରିବାରେ ଯେଉଁ ମାନସିକ ଯନ୍ତ୍ରଣା ଓ କୌଣସି ପାରିବାରିକ ସମସ୍ୟାର ହାଲ ଖୋଜିବା ଏବଂ ସିଦ୍ଧାନ୍ତ ନେବାର ଯେଉଁ ସାମାଜିକ ଯନ୍ତ୍ରଣା ସେ ସବୁକୁ ଝାଁକର ବୁଢ଼ା ନିଶ୍ଚିନ୍ତରେ ସମ୍ଭାଳି ନିଏ । ଲୋକେ ନିଜ ଉଦ୍‌ବେଗରୁ ରକ୍ଷା ପାଉଥିବାରୁ ତାର ସବୁ ଉପଦେଶ, ସବୁ ଯୁକ୍ତି, ସବୁ ତାଗିଦ୍, ସବୁ ପ୍ରଶ୍ନର ଉତ୍ତରକୁ ମାନି ନିଅନ୍ତି । "ମୁଁ ତୁମମାନଙ୍କର ସେବକ' ବୋଲି କହି ସେ ପଚିଷ ଖଣ୍ଡ ଗାଁର ଲୋକଙ୍କୁ ପାପ ପ୍ରିୟ ଓ ବିଶୃଙ୍ଖଳ କରି ରଖିଛି । ବିଶ୍ୱସ୍ତ କରି ରଖିଛି । ସାବାଡ଼ କରି ରଖିଛି ।