ପୃଷ୍ଠା:Hada bagicha.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଝାଁକର ବୁଢ଼ାର ମିଞ୍ଜି ମିଞ୍ଜି ଆଖି ଓ ସ୍ୱର ଅତି କ୍ଷୀଣ । ସେଇ କ୍ଷୀଣ ସ୍ୱରରେ କହିଲା, "ଶୁଣିବା ହେଉ ଗାଁ ବାଲେ, ହିରନ ମାଝି ଯଷୋଦା ମାଝି, ଏ ଦୁର୍ଜନ ମାଝି, ଭାସ୍କର ମାଝି, ଅଏଁଠୁ ଭୁଏ, ଅଗାଡୁ ଭୁଏ, ଲୀଲାବତୀ, ପାର୍ବତୀ, ମହିମା, ଶୁଣିବା ହେଉ; ବିରିପାଲି ଗାଁରେ ପ୍ରଚଣ୍ଡ ପ୍ରତାପୀ ଇଷ୍ଟଦେବୀ ଚଂଡି ଥାଉ ଥାଉ ବାଘ କେମିତି ସାହସ କଲା ଆସିବାକୁ? ଅବଶ୍ୟ ଗାଁ ଭିତରକୁ ଆସି ପାରି ନାହିଁ ଖାଲି ଗାଁ ମୁଡ୍ସାରେ ଥିବା ହିରନ୍ ମାଝିର କ୍ଷେତ ଯାଏ ଆସିଛି । ତାର କ୍ଷେତରେ ବି ତ ଦେବତା ଅଛି, ବାଘ ତା କ୍ଷେତକୁ କେମିତି ଆସି ପାରିଲା? ଅନ୍ୟ କାହାର କ୍ଷେତକୁ କାହିଁକି ଆସି ପାରିଲା ନାହିଁ? ଖାଲି କ୍ଷେତକୁ ଆସି ନାହିଁ ତା ପୁଅକୁ ବି ଟେକି ନେଇଗଲା । ଏ ଗାଁକୁ କେବେହେଲେ ବାଘ ଆସିଥିଲା କି? ତୁମ ମାନଙ୍କ ଜନ୍ମରୁ, ବାପ ଅଜା ଅମଳରୁ କେବେ ଶୁଣିଥିଲ ଏ ଗାଁର ଛୁଆକୁ ବାଘ ଖାଇ ଯିବାର? ଆଜି କାହିଁକି ଆସିବାକୁ ସାହସ କଲା? କାରଣ ହିରନ ମାଝି ଆଉ ତା ସ୍ତ୍ରୀ ଯଷୋଦା ମାଝି ନିଶ୍ଚେ କିଛି ପାପକାମ କରିଛନ୍ତି । ନିଶ୍ଚେ କିଛି ବେଖାପିଆ କାମ କରିଛନ୍ତି ଓ ଆମ ଆଗରେ ଲୁଚାଉଛନ୍ତି । ଇଷ୍ଟଦେବୀ ଚଂଡୀମା ଠାରୁ ବି ଲୁଚାଉଛନ୍ତି । ସେଥିଲାଗି ତାର ଘରକୁ ଏଇଟା ବିପତ୍ତି ପଡିଛି । ଆହୁରି ବି ପଡ଼ିବ । ଖାଲି ତା ଘରକୁ ନୁହେଁ ତୁମ ସମସ୍ତଙ୍କ ଘରକୁ, ଏ ଗାଁକୁ ବି ବିପତ୍ତି ପଡିବ । ଖାଲି ତା ପୁଅର ଶୁଦ୍ଧିକ୍ରିୟା କରିଦେଲେ ବିପତ୍ତି ଚାଲିଯିବ ନାହିଁ । ଏ ଗାଁର ଇଷ୍ଟଦେବୀମାନେ ଦୂର୍ବଳ ହୋଇ ଯାଇଛନ୍ତି । ରାଗି ଯାଇଛନ୍ତି । ଲୋକଙ୍କ ଲୁଚାଛପା ପାପକର୍ମ ପାଇଁ ସେମାନଙ୍କର ପ୍ରକୋପ କମି ଯିବାରେ ଲାଗିଛି । ସେଥିଲାଗି ସେମାନେ ଜାଣି ଜାଣି ଏ ଗାଁକୁ ରକ୍ଷା କରୁ ନାହାନ୍ତି । ଏତେ ସବୁ କାଣ୍ଡ ଏ ହିରନ ମାଝି ଲାଗି ହେଲା, ତାର ପାପକାମ ପାଇଁ ହେଲା । ସେଥିଲାଗି ରିଷ୍ଟ ଖଣ୍ଡନ ଲାଗି ତାକୁ ଆସନ୍ତା ପୂର୍ଣମୀ ଯାଏ ସାତଦିନ ଧରି ନାରୁ ନଚାଇବାକୁ ପଡ଼ିବ । ଏଇ ଗାଁର ଇଷ୍ଟଦେବୀଂକୁ ଶାନ୍ତ କରାଇବା ପାଇଁ ବୁକା ଦେବାକୁ ପଡ଼ିବ । ତାର କ୍ଷେତରେ ବି ବୁକା ଦେବାକୁ ପଡ଼ିବ । ଆମ ଗାଁର ଇଷ୍ଟଦେବୀଂକୁ ଆଉ ଆମ ସମସ୍ତଙ୍କୁ ନିଉତା ଦେବାକୁ ହେବ । ପୂର୍ଣମୀ ଦିନ ସବୁ ଗାଁ ଲୋକଙ୍କୁ ଭୋଜିଟିଏ ଦେବାକୁ ପଡିବ । ବାଘ ଆସି ଏ ଗାଁକୁ ଅପବିତ୍ର କରି ଦେଇଥିବାରୁ ସମସ୍ତଙ୍କ ଦୁଆର ମୁହଁରେ ଗଂଧେପୁଷ୍ପେ କଂସାପାଣି ଛିଞ୍ଚିବାକୁ ହେବ । ଯଷୋଦା ଓ ହିରନ୍ ସମସ୍ତଙ୍କ ଦୁଆରକୁ ଯାଇ ପାଣି ଛିଞ୍ଚି ମୁଣ୍ଡିଆ ମାରିବେ । ତେବେ ଯାଇ ଏ ଗାଁ ଆଗାମୀ ବିପତ୍ତିରୁ ରକ୍ଷା ପାଇବ, ଆଉ ଲୋକବାକ ବି ରକ୍ଷା ପାଇବେ । ନଚେତ ବିପତ୍ତି ଉପରେ ବିପତ୍ତି ମାଡ଼ି ଆସିବ ।' ଏତକ କହି ଝାଁକର ବୁଢ଼ା ସଦଳବଳେ ଫେରିଯିବାକୁ ବାହାରିଲା । ଗାଁର ଭିଡ଼ଟି ତତ୍କ୍ଷାଣାତ୍ ଦୁଇଭାଗ ହୋଇଗଲା । ଲୋକେ ଦୀର୍ଘ ନିଶ୍ୱାସ ତ୍ୟାଗ କଲେ । ସମସ୍ତଙ୍କ ଛାତି ଭିତର ରୁନ୍ଧି ଦେଉଥିଲା । ହିରନ ମାଝି ଓ ଯଷୋଦା ମାଝିର ମୁଣ୍ଡ ଉପରେ ଚଡ଼କ ପଡିଲା । ଲୋକେ ପରସ୍ପରର ମୁହଁ ଚାହିଁଲେ । ସଭିଙ୍କ ଆଖିରେ ଭୟ ଓ "କଣ କରାଯିବ'ର ଭାବ । ଆଗାମୀ ବିପତ୍ତି ପାଇଁ ପ୍ରସ୍ତୁତି ହେବାର ଉଦ୍‌ବେଗରେ ଲୋକେ ତଟସ୍ଥ । ପୂର୍ଣମୀ ପାଇଁ ଆଉ ଦଶଦିନ ବାକି । ତେଣୁ ଦିନେ ଦି'ଦିନ ମଧ୍ୟରେ ସବୁ ଯୋଜନାର ପ୍ରସ୍ତୁତି ପର୍ବ ଶେଷ କରିବାକୁ ପଡିବ । ସେଦିନ ରାତିରେ ପୋଲିସ ଗାଡ଼ି ଆସିଲା, ବନ ବିଭାଗ ଗାଡ଼ି ଆସିଲା । ସମସ୍ତେ ଶୁଣିଲେ ସବୁ କଥା । ପରଦିନ ତହସିଲଦାର ସାହେବ ଆସିଲେ । ଶୁଣିଲେ ସବୁ କଥା । ଗାଁ ବାଲା ଓ ଝାଁକର ବୁଢ଼ାକୁ ଡକାଇ ଗୋଟିଏ ମୀମାଂସା କରାଇବାକୁ ଚେଷ୍ଟା କଲେ । ନାରୁ ନାଚ କଣ କେହି ଜାଣିପାରିଲେ ନାହିଁ । କେତେ ଖର୍ଚ ହେବ କେହି ଜାଣି ପାରିଲେ ନାହିଁ । ଖୋଦ୍ ତହସିଲଦାର ସାହେବ ଝାଁକର ବୁଢ଼ା ପାଖକୁ ଗଲେ । ସବୁକଥା ବୁଝିଲେ । ଆସି ବିରିପାଲି ଗ୍ରାମବାସୀଂକୁ କହିଲେ, "ସେ ଗାଁରୁ ବାଘପରି ଚିତ୍ରିତ ହୋଇ, ବାଘର ଆତ୍ମା ବହନ କରି ଏ ଗାଁକୁ ଦେବତା ଆସିବ । ଢୋଲ ବାଜିବ, ମାଦଳ ବାଜିବ, କିର୍ତନ ହେବ, ଯାତ୍ରା ହେବ । ଏ ଗାଁରେ ତା ଜାତିର ଜଣେ ଚଉଦ ବର୍ଷର ଜୁଆନ ପିଲା ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି, ଉପାସ ରହି, ବେକରେ ମନ୍ଦାର ମାଳ ଗଳାଇ, ପୂଜାର୍ଚନାର ବେଭାର ଧରି ରାସ୍ତା ମଝିରେ ଜଗି ରହିବ । ବାଘର ଆତ୍ମା ବହନ କରି ଦେବତା ଆସିଲେ ତାକୁ ସଙ୍ଗେ ସଙ୍ଗେ ପୂଜା କରାଯିବ । କିନ୍ତୁ ସେ ପୂଜା ବେଭାର ନେବ ନାହିଁ ଓ ସେ ପିଲାକୁ ଖାଇବ ବୋଲି କହିବ । ପିଲାଟି କି ପାପ କରିଛି ବୋଲି ଦେବତାକୁ ପଚାରିବ ଏବଂ ଦେବତା ତାର ଚଉଦ ପୁରୁଷ ଉଦ୍ଧାର କରି କହିବ ଯେ ତାର ଜେଜେବାପାକୁ ବି ଏକଦା ବାଘ ଖାଇଥିଲା ଏବଂ ସେ ଏପରି ନାରୁ ନଚା ଯାତ୍ରା କରାଇ ନ ଥିବାରୁ ଏ ଘର, ଏ ଗାଁ , ଏ ଲୋକ, ଏ କ୍ଷେତ ସବୁ ଅପବିତ୍ର ହୋଇ ଆଜି ଯାଏ ରହିଛି । ତାର ଜେଜେବାପା ଏ ଯାଏଁ ବାଘର ଅଶାନ୍ତ ଆତ୍ମା ବହନ କରି ବୁଲୁଛି । ଏଣୁ ଏଣିକି ଯାହାର ପାପକାମଟିଏ ଦେଖିବ ତା ଘରର ଯାହାକୁ ହେଲେ ବାଘ ଖାଇବ । ତାପରେ ସବୁ ଗାଁ ଲୋକେ ବେଭାର ଆଣି ସେ ଦେବତାର ଗୋଡ଼ ତଳେ ପଡ଼ିବେ ଏବଂ ପୂଜା ଗ୍ରହଣ କରିବାକୁ ଅନୁରୋଧ କରିବେ । ହିରନ ମାଝି ବି ପୂଜା ସାମଗ୍ରୀ ସାଥିରେ ଧୋତି ଗାମୁଛା ଓ ବୁକା ଧରି ଦେବତାକୁ ଭେଟି ଦେବ ଓ ସେପରି ପାପ କାମ ଆଉ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେବ । ଯଦି