ପୃଷ୍ଠା:Hada bagicha.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଘ-ଦେବତା ତୁମ ସମସ୍ତଙ୍କ ପୂଜା ଓ ବେଭାରକୁ ଗ୍ରହଣ କଲେ ତେବେ ତୁମ ଗାଁ, ରାସ୍ତାଘାଟ, ଘରଦୁଆର ଓ ଗାଁବାଲେ ସମସ୍ତେ ପୂଣ୍ୟ ଅର୍ଜନ କରିବେ ଓ ଏ ଗାଁକୁ କେବେ ହେଲେ ଆଉ ବାଘ ଆସିବାକୁ ସାହସ କରିବ ନାହିଁ । ଗାଁ ଚଂଡୀମାନେ ବି ଖୁବ୍ ପରାକ୍ରମୀ ହୋଇଯିବେ । କଥାଟା ଏତିକି । ଶେଷକୁ ହିରନ୍ ମାଝିକୁ ଭୋଜିଟିଏ ଦେବାକୁ ପଡ଼ିବ ।' ଏତକ ସୂଚନା ଦେଇ ତହସିଲଦାର ସାହେବ ସେଦିନ ଫେରି ଯାଇଥିଲେ । ସଂଧ୍ୟା ସମୟରେ ଗାଁ ଲୋକେ ମଦ ପିଇ ହିରନ ମାଝି ଘର ଅଗଣାରେ ରୁଣ୍ଡ ହୋଇ ତାକୁ ଝାଁକର ବୁଢ଼ା ଯାହା କହିଲା ସେ ସବୁ କରିବା ପାଇଁ କହିଲେ । ନ ହେଲେ ତାକୁ ଗାଁରେ ରଖାଇ ଦେବେ ନାହିଁ ବୋଲି କହିଲେ । ସେ ଦିନ ହିରନ ମାଝି ଓ ତା ସ୍ତ୍ରୀ କେତେ କାନ୍ଦିଲେ, ଲୋକଙ୍କୁ ନେହୁରା ହେଲେ, ଏତେ ଖର୍ଚ ସେମାନେ କରି ପାରିବେ ନାହିଁ, ଖାଲି ଗାଁ ଠାକୁରାଣୀଙ୍କୁ ବୋଦା ଦେବେ, ବୁକା ଦେଇ ପାରିବେ ନାହିଁ, ଗାଁ ବାଲାଙ୍କୁ ଭୋଜି ତ ଦେଇ ସାରିଛନ୍ତି ଦୁଇଥର, ଆହୁରି ଦେବାର ତାଙ୍କର ଶକ୍ତି ନାହିଁ, ତାଙ୍କର ସାମର୍ଥ୍ୟ ନାହିଁ, ତାଙ୍କ ସବୁ ଜମି ବିକ୍ରି କଲେ ବି ନାରୁ ନଚାଇବାର ଖର୍ଚ ସେମାନେ ଯୋଗାଡ଼ କରି ପାରିବେ ନାହିଁ, ପୁଅ ଗୋଟିଏ ଥିଲା, ସେ ତ ମଲା, ଆଉ ଗୋଟିଏ ଝିଅ ଅଛି ବାର ବର୍ଷର, ତାକୁ ଆଉ ଦି'ବର୍ଷ ପରେ ବାହା ଦେବାକୁ ପଡ଼ିବ । ହିରନ୍ ମାଝି ଯେତେ ଯାହା କହିଲେ ବି ଗାଁ ଲୋକେ ଅଡ଼ି ବସିଲେ ତାକୁ ନିଶ୍ଚେ ଏଇ ପୁନେଇରେ ହିଁ ନାରୁ ନଚାଇବାକୁ ପଡ଼ିବ । ନଚେତ ସେ ଏ ଗାଁରେ ରହି ପାରିବ ନାହିଁ । ସେଦିନ ରାତିରେ ବି ଏ ଗାଁକୁ ପୋଲିସ ଜିପ୍ ଆସିଲା । ବାଘ ଶିକାରୀଙ୍କ ଦଳକୁ ନେଇ ଜିପ୍ଟିଏ ମଧ୍ୟ ଆସିଲା । ଗାଁ ଲୋକେ କେବଳ ଲମ୍ବ ଉଜ୍ଜ୍ୱଳ ଆଲୁଅ ଦେଖିଲେ ଓ ଥରେ ଦି'ଥର ବନ୍ଧୁକର ଗୁଡୁମ୍ ଗୁଡୁମ୍ ଶବ୍ଦ ଶୁଣିଲେ । ତା ପରଦିନ ସକାଳେ ରାଜଧାନୀରୁ ଦ୍ୱରଦର୍ଶନର କିଛି ଲୋକ ଆସି ବିରିପାଲି ଗାଁରେ ସବୁ ମୁରବିଂକ ସାକ୍ଷାତକାର ନେଲେ, ଝାଁକର ବୁଢ଼ାର ସାକ୍ଷାତ୍କାର ଓ ହିରନ୍ ମାଝି ଓ ତା ସ୍ତ୍ରୀର ସାକ୍ଷାତକାର ନେଲେ । ଗାଁ ଲୋକେ ଓ ଝାଁକର ବୁଢ଼ା ବୀରଦର୍ପରେ ତାଙ୍କ ଗାଁ ପରଂପରା କଥା ବଖାଣିଲେ, ତାଙ୍କ ଜାତିର ବିଭିନ୍ନ ପ୍ରଥା ସମ୍ପର୍କରେ ବଖାଣିଲେ, ତାଙ୍କ ଠାକୁରାଣୀଙ୍କ ପରାକ୍ରମ କଥା କହିଲେ, ନାରୁ ନଚା କଥା କହିଲେ ଓ ଖୁସି ହେଲେ । ହିରନ୍ ମାଝି ତା ନିଜ ଶୁଦ୍ଧିକ୍ରିୟା କଥା କହିଲା, ଗାଁ ଲୋକେ ସାହାଯ୍ୟ କରିଥିବା କଥା, ଘୃଣା, ରାଗ ଓ ଶୋଷଣ କରୁଥିବା କଥା କହିଲା, ତା ଅଭାବ, ଅସୁବିଧା, ତା ନାଚାର ପଣିଆ କଥା କହିଲା । ଯଷୋଦା ମାଝି କହିଲା ଗାଁ ଲୋକେ କେମିତି ବିଧିବଦ୍ଧ ଯୋଜନା କରି ତା ଦୁଧିଆଳୀ ଗାଈ ଦି'ପଟ ନେଲେ, ତା ଜମି ବନ୍ଧକ ରଖିଲେ, ତାଙ୍କୁ ପ୍ରତିଦିନ ସଂଧ୍ୟାରେ କେମିତି ମଦପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି, ଗାଁରୁ ତଡ଼ି ଦେବେ ବୋଲି କହୁଛନ୍ତି, ତା ଝିଅକୁ ନେଇଯିବେ ବୋଲି କହୁଛନ୍ତି, ଗାଁରେ ଏକଘରକିଆ କରିଦେବେ ବୋଲି କହୁଛନ୍ତି, ସେ କଥା ସବୁ କହିଲା । ପ୍ରାୟ ଚାରିପାଞ୍ଚ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ସାକ୍ଷାତକାର କାମ ଶେଷ ହେବା ପରେ ଗାଁ ବାଲାଙ୍କୁ ତାଙ୍କ ସାକ୍ଷାତ୍କାର ସବୁ ଟିଭି ମାଧ୍ୟମରେ ଦେଖାଇ ଦିଆଗଲା । ଗାଁ ଲୋକେ ଉେତ୍ତଜିତ ହୋଇଗଲେ, ରାଗିଗଲେ । ନିଜ ଛବି ଟିଭିରେ ଦେଖି ଓ ସେ ସବୁ ଯେ ସାରା ଭାରତର ଲୋକେ ଦେଖିବେ ସେ କଥାରେ ଆତଂକିତ ହୋଇଗଲେ । ସେମାନଙ୍କ ଠକ, ତାଙ୍କ ଯୋଜନା, ତାଙ୍କ ଅନ୍ଧ ବିଶ୍ୱାସ ସବୁ କେମେରା ଭିତରେ ରହିଯାଇଛି । ସେମାନେ ଏତେ କଥା କହିଛନ୍ତି ବୋଲି ଜାଣି ନଥିଲେ । ପରସ୍ପର ବିରୋଧାଭାସ କଥାବାର୍ତା ମଧ୍ୟ ଟିଭି ଭିତରେ ରହିଯାଇଛି । ତାକୁ ଆଉ କାଢ଼ି ଅଣାଯାଇ ସଂଶୋଧନ କରାଯାଇ ପାରିବନାହିଁ ଭାବି ଛଟପଟ ହୋଇଗଲେ । ଅନ୍ୟପକ୍ଷରେ ହିରନ୍ ମାଝି ଓ ଯଶୋଦା ମାଝି ଦୁହେଁ ନିଜ ଫଟୋ ଟିଭି ଭିତରେ ଦେଖି ଓ ଯାହା କହିଗଲେ ସେ ସବୁ ଶୁଣି ଖୁବ ଉତ୍ସାହିତ ହୋଇଗଲେ । ସେମାନେ ଜାଣିଗଲେ ଯାହେଉ ଏଥର ଗାଁ ଲୋକେ ଯାହା ହଇରାଣ ହେଲେ ବି ଚଳିବ, ଗାଁ ଛାଡ଼ିଲେ ବି ଚଳିବ, ମରିଗଲେ ବି ଚଳିବ । କିନ୍ତୁ ଯଷୋଦା ଘରକୁ ଫେରି ଭାବିଲା, ନା ସେ ମରିବ କାହିଁକି? ଏଥର ଦେଖାଯିବ ଗାଁ ଲୋକଙ୍କ ଦିନେ କି ଆମର ଦିନେ । ସେ କେବେବି ନାରୁ ନଚାଇବ ନାଇଁ । ଏଥର ସେ ଝାଁକର ବୁଢ଼ା ଆସୁ । ଟିଭି ସଂସ୍ଥାର ବନ୍ଧୁଗଣ ଫେରିଯିବା ବେଳକୁ ରାତି ହୋଇ ଆସିଥିଲା । ଗାଁ ପୁଣି ଅନ୍ଧାର ଭିତରେ, ଗାଡ଼ିମାନଙ୍କର ଶବ୍ଦ ଓ ଆଲୁଅ ଭିତରେ, ବନ୍ଧୁକର ଢୋ ଢା ଭିତରେ ଶୋଇ ପଡ଼ିଲା । ଏଣୁ ଏଣିକି ପ୍ରାୟ ପ୍ରତିଦିନ ସକାଳ ହେଲେ ଗାଁ ଲୋକେ ଆବିଷ୍କାର କରୁଥିଲେ କୁଲିହା ଓ ହୁଁଡାର ମାନଙ୍କର ଶବ, ମାଙ୍କଡ ମାନଙ୍କର ଶବ । ବାଘ ଶିକାର ନାେଁର ଆସି କିଛି ନୁଆ ବନ୍ଧୁକ ଶିଖାଳି ଛୋଟ ଛୋଟ ନିଷ୍ପାପ ଜଂତୁଙ୍କୁ ମାରି ଉଭାନ୍ ହେଉଥିଲେ । ବନ୍ୟଜନ୍ତୁ ବିଭାଗର କର୍ମକର୍ତାଗଣ ଆସି କେବଳ ରପୋର୍ଟ ଲେଖୁଥିଲେ ସରକାରଙ୍କୁ । ପାଖ ଗୋଟିଏ ଦୁଇଟି ଡାକ ବଂଗଳାରେ କେମ୍ପ କରି ରହିଲେ ବି ଜଙ୍ଗଲ ବିଭାଗର କର୍ମଚାରୀଗଣ ଶିକାରୀମାନଙ୍କୁ ଧରି ପାରୁନଥିଲେ ।