କାନ୍ଦିିବା ପାଇଁ ପ୍ରବର୍ତାଇଲେ । ବୃଦ୍ଧ ଶିକ୍ଷକ କହିଲେ, ତାଙ୍କ ବୟାନବେ ବର୍ଷର ବୃଦ୍ଧା ମାଙ୍କର "ଅଭିଶାପ ପଡୁରେ ଅଳପେଇଶା, ତୁ ଏକ୍ଷଣି ମରିଯା, ମୋ ପଇସା ଆଉ କେତେଦିନ ହଜମ କରିବୁ?' ଏତକ କହି ପୁଣି ଭୋ ଭୋ କାନ୍ଦିଲେ । ବାପାଙ୍କର କଥା କହିବା ଶକ୍ତି ନଥିଲା । ତାଙ୍କ ପାଟିରୁ ଲାଳ ଓ ଆଖିରୁ ପାଣି ନିଗିଡ଼ି ପଡୁଥିଲା । ଦାନ୍ତ ଆଦୌ ନଥିଲା । ଲୋଳିତ ସ୍ଖଳିତ ଚର୍ମଭିତରୁ ଉଙ୍କି ମାରୁଥିଲା ହାଡ଼, ହାତମାନଙ୍କର ଗଣ୍ଠି ଓ ଶିରା-ପ୍ରଶିରା-ଉପଶିରା ଏବଂ ତା ଭିତରେ ଥିବା ରକ୍ତ ପାଣି ହୋଇ ବାହାରିଯିବା ପାଇଁ ରାସ୍ତା ଖୋଜୁଥିଲା ବୋଧହୁଏ । ହଠାତ୍ ପରିଶ୍ରାନଳୀ ବାଟେ ଲାଲ-ହଲଦିଆ ପାଣିଚିଆ ରକ୍ତର ଅସରନ୍ତି ଧାରଟିଏ ବାହାରିଲା । ଧୋତି ମଧ୍ୟଦେଇ ଦ୍ୱାର ଯାଏ, ଦ୍ୱାର ବାଟଦେଇ ଅଗଣା ଯାଏ, ଅଗଣା ବାଟଦେଇ ମୂଖ୍ୟ ରାସ୍ତାଯାଏ ଗଡ଼ିଚାଲିଲା । ରାସ୍ତାରେ ବାଟୋଇମାନେ ଆଡ଼େଇ ହୋଇଗଲେ । ପିମ୍ପୁଡ଼ିମାନେ, ପୋକମାନେ, ଯୋକମାନେ, କୁକୁରମାନେ, ଗାଈମାନେ, ବାସ୍ନାବାରି ଧାରର ଉଭୟପଟେ ଛିଡ଼ା ହୋଇ ଶୁଂଘିଲେ ଚାଟିଲେ ପିଇଲେ । ଲୋକମାନେ ଓ ଆରୋହୀମାନେ ଅଟକି ଗଲେ । ଧଳାରଙ୍ଗର ରକ୍ତରଧାର ଗଡ଼ି ଗଡିÿ ଚାଲିଲା ମୁଖ୍ୟରାସ୍ତା ଦେଇ ବ୍ୟୁରୋକ୍ରାଟ ମାନଙ୍କ ଅଫିସ ଘରକୁ । ସହରର ସମସ୍ତ ଅଫିସ ବାରଣ୍ଡାରୁ ଅଫିସର୍ଂକ ଚେଂବରକୁ ଏବଂ ଶେଷରେ ଜିଲ୍ଲା ମାଜିଷ୍ଟ୍ରେଟଂକ ଚେଂବରକୁ । ସଭିଏଁ ଚମକି ପଡ଼ି ଧାଇଁଲେ ତା ଧାରେ ଧାରେ । ପିମ୍ପୁଡ଼ି-ପୋକଙ୍କ ଧାଡ଼ି ଦେଖି ତଟସ୍ଥ ହୋଇଗଲେ । ଡିମୋକ୍ଲିସଂକ ଫେନ୍ ପବନରେ ବାଳ ଝଡ଼ି ଯାଇ ବାପାଙ୍କ ମୁଣ୍ଡ ଚଂଦା ହୋଇଗଲା ଓ ଧଳା ରଙ୍ଗ ଦାଢ଼ି ବଢ଼ିଯାଇ ଭୂଇଁକୁ ସ୍ପର୍ଶ କଲା । ଡାକ୍ତର ବି ହତାଶ ହୋଇଗଲେ । ତାଙ୍କ ପରାମର୍ଶରେ ବାପାଙ୍କୁ କଫି କପେ ଦିଆଗଲା । କିନ୍ତୁ ତାଙ୍କ ଥରିଯାଉଥିବା ହାତରେ ବାପା କଫିକପ୍ ଧରିବାକ୍ଷଣି ତଳେ ପକାଇ ଦେଇଥିଲେ । ଅଠାବନ ବର୍ଷର ବାପା ଦେଖାଗଲେ ଏକ ଦୁର୍ବଳ ୟେତିପରି । ଛାତ ଫଟାଇ ଗୋଟେ ପଥର ଆସିପଡ଼ିଲା ତାଙ୍କ ଗୋଡ଼ତଳେ । ତହିଁରେ ଚିଠିଟିଏ ବନ୍ଧା ହୋଇଥିଲା । ଲେଖାଥିଲା, "ସେଦିନ ଆମ ୟୁନିୟନ ଅଫିସରେ ଆପଣ ଯେଉଁ ମାଂସ ତରକାରି ଖାଇଥିଲେ ସାର୍ ତହିଁରେ ଗୁଡ଼ାଏ ମାଛି ଆମେ ଜାଣିଶୁଣି ପକାଇ ଦେଇଥିଲୁ । ଇତି ଆପଣଙ୍କ ଚତୁର୍ଥଶ୍ରେଣୀ କର୍ମଚାରୀ ସଂଘ ସଭ୍ୟଗଣ ।' ବାପାଙ୍କ ଆଖି ଦୁଇଟି ନିଷ୍ପ୍ରଭ ହୋଇ କୋଟରକୁ ଯାଇସାରିଲାଣି । ସାମନାରେ କିଏ ସବୁ ଛିଡ଼ା ହୋଇଛନ୍ତି ଠିକ୍ ଦେଖାଯାଉ ନାହିଁ । ତାଙ୍କ ଅଫିସ୍ର ଓ ଅନ୍ୟସମସ୍ତ ଅଫିସ୍ର ସମସ୍ତ ଷ୍ଟାଫ୍ ଧାଇଁ ଆସିଲେ । ନିଜନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ପାଣିଚିଆ ରକ୍ତର ଅବିରତ ଧାରକୁ ଛୁଇଁଲେ ଏ ରୋଗ ଡେଇଁଯିବ ଭାବି ସମସ୍ତେ ମଝିରୁ ଦି'ଭାଗ ହୋଇ ଆଡ଼େଇ ହୋଇଯାଇ ଥିଲେ । ଖବରକାଗଜ ବାଲା କେମେରା ଓ କାଗଜ ଧରି ଜମା ହୋଇଗଲେ । ଥାନାକୁ ଖବର ଗଲା । ସେମାନେ ଆସି ଭିଡ଼କୁ ତାଗିଦ୍ କଲେ । ଜିଲ୍ଲାପାଳ ଦେଖିବେ ବୋଲି ସାଇରନ୍ ବଜାଇଲେ । ଇନକମ୍ ଟେକ୍ସ ଓ ଭିଜିଲାନ୍ସ ବାଲା ଆସିଲେ । ବାପାଙ୍କୁ କୌଣସି ଡିପାର୍ଟମେଣ୍ଟର ଲୋକେ ଦେଖାଯାଉ ନଥିଲେ । ଖାଲି ଅନ୍ଧାର ଦେଖାଯାଉଥିଲା । ଦଶଦିଗ ଅନ୍ଧାର । ହଜାର ଲୋକଙ୍କ ମୁଣ୍ଡର କଳା ବାଳସବୁ ମିଶି ତାଙ୍କ ଆଖି ଆଗରେ ଆହୁରି ଭୟଙ୍କର ଅନ୍ଧାର ଭିତରେ ଛାଇସବୁ ଆତଯାତ ହେବାର ଭ୍ରମ ସୃଷ୍ଟି କରୁଥିଲା । ବାପା ଖୁବ୍ ଦୂରକୁ ଅନ୍ଧାରର ଖୋପ ଭିତରକୁ ଅପଲକ ନିରୀକ୍ଷଣ କରୁଥିବା ପରି ଜଣା ପଡୁଥିଲା । କିଛି ଗୋଟେ ସେ ଲକ୍ଷ୍ୟ କରୁଛନ୍ତି-ଲକ୍ଷ୍ୟ କରୁନାହାନ୍ତି ଏମିତି ଅବସ୍ଥାରେ ତଟସ୍ଥ ହୋଇ ଯାଇଥିଲେ । ଦେବ ଦେବ ମହାଦେବଙ୍କ ମସ୍ତକରୁ ଗଙ୍ଗାର ସରୁଧାରଟିଏ ଅନବରତ ନିଷ୍କାସିତ ହେବାପରି ବାପାଙ୍କ ମୂତ୍ରନଳୀରୁ ଅନବରତ ପାଣିପରି ରକ୍ତ ବା ରକ୍ତପରି ପାଣି ବହିଯାଉ ଥିଲା । ଆଖିରୁ ବି ପାଣି ଗଡ଼ି ପଡୁଥିଲା ଅନବରତ । "ନିଆଁ ନିଆଁ' କହି ଜୋର୍ରେ ପାଟିକରି ଉଠିଲା ତାଙ୍କ ତିନିବର୍ଷର ନାତି । ନିଆଁ କେଉଁଠି କେହି କିଛି ବୁଝିପାରିଲେ ନାହିଁ । କିନ୍ତୁ ସଭିଏଁ ଦେଖିଲେ ବାପାଙ୍କ କୋଟରଗତ ଆଖି ଦୁଇଟି ଖୁବ୍ ବଡ଼ ହୋଇ ଉଲ୍ଲସି ଉଠିଲା, ମୁହଁ ଉଜ୍ଜଳ ଦେଖାଗଲା ଏବଂ ବାପା ଆଖି ବୁଜି ଦେଲେ । ବାପାଙ୍କ ଶ୍ମଶାନଯାତ୍ରା ବି ଅଜବ ଯାତ୍ରାଟିଏ । ପିମ୍ପୁଡ଼ିଠୁ ଆରମ୍ଭ କରି ଜିଲ୍ଲାପାଳ ଯାଏ ସଭିଏଁ ଯାତ୍ରା କରିଥିଲେ ଏବଂ ସମସ୍ତଙ୍କୁ ପ୍ରୋଜେରିଆ ଡେଇଁବାର ଏକ ଭୟଙ୍କର ଭୟ ଗ୍ରାସ କରିଥିଲା ।
ପୃଷ୍ଠା:Hada bagicha.pdf/୯୬
ଦେଖଣା