Jump to content

ପୃଷ୍ଠା:Hada bagicha.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଖୋଜ ଖେଳର ସନ୍ଧାନରେ ମେଘା ଘରୁ ବାହାରିବା ଦି'ଘଣ୍ଟା ହେଲାଣି । ପାୟନ କ'ଣ ଭାବୁଥିବ ? ଭାବିଥିବ ପ୍ରଥମେ ପ୍ରଥମେ ଯେ ପାଖ କାହା ଘରକୁ ଯାଇଥିବ । ପରେ ଭାବିଥିବ ଯେ ରୁଚି ମାଡାମ୍ ନଚେତ୍ ରେଜିୟା ମାଡାମ୍ଂକ ଘରକୁ ଯାଇଥିବ । ଫୋନ୍ କରିଥିବ ଗୁଡ଼ାଏ । ଶେଷରେ ଭାବିଥିବ ଯେ ବୋଧହୁଏ ବାପଘର ଆଡେ ଯାଇଥିବ । ମେଘାର ସଂକ୍ଷିପ୍ତ ଚିଠି "ବ୍ୟସ୍ତ ହେବନି ମୁଁ ଆସୁଛି'କୁ ଥର୍ମୋସ୍ ତଳୁ ଗୋଟାଇ ବାରମ୍ବାର ପଢ଼ିଥିବ । ମେଘା ଏମିତି କଣ ସରପ୍ରାଇଜ୍ ରଖିଯାଇଛି ଭାବି ଥଳକୁଳ ପାଉ ନଥିବ । ହସିଥିବ, ରାଗିଥିବ, ବିରକ୍ତ ହୋଇଥିବ, ପରେ "ଛାଡ଼' କହି କଲେଜ ବାହାରିଥିବ । ପାୟନ ବି କଣ ବେଳେବେଳେ "ମୁଁ ଆସୁଛି' କହି ଘରୁ ଚାଲି ଯାଏନି? ସକାଳୁ ଯାଇ ସଂଧ୍ୟାରେ ଫେରେ । ଗୁଡ଼ାଏ କୈଫିୟତ ଦିଏ ମୁଖାର୍ଜି ବାବୁଙ୍କ ଘରେ ଖୁବ୍ ଡେରି ହେଲା, କଉ ଡେମ୍କୁ ସ୍ୱିମିଂପାଇଁ ଯାଇଥିଲା, କଉ ଜିମ୍ନାସିୟମକୁ ସ୍ୱାସ୍ଥ୍ୟପାଇଁ ଯାଇଥିଲା, ତା ଓଜନ କେମିତି ଅଧକେଜି ବଢ଼ି ଯାଇଛି, କେମିତି ତା ଚିକ୍ବୋନରେ ଆଜିକାଲି ପ୍ରମିନେନ୍ସି ଆସିଲାଣି, କେତେକଥା ଗପେ । ମେଘା କଣ ତାକୁ କିଛି କହେ? ସେ ଜାଣେ ପାୟନ ସବୁବେଳେ ଖାଲି ଚିକ୍-ବୋନ୍, ସୋଲଡର୍-ବୋନ ବିଷୟରେ ଗପେ । ତା ହାତଗୋଡ଼ର ମାଂସପେଶୀ, ତା ଛାତି ଓ ଜଂଘର ମାଂସପେଶୀ ସଜାଡ଼ିବାରେ, ତା ରକ୍ତବାହୀ ନଳୀରେ କଲେଷ୍ଟ୍ରାଲ୍, ତା ଅଣ୍ଟାର ଚର୍ବି ସଜାଡିବାରେ ବ୍ୟସ୍ତଥାଏ । ନିଶଦାଢ଼ି ଆଦୌ ରଖେନା । ମୁଣ୍ଡକୁ ସାମ୍ପୁ କରେ ପ୍ରତିଦିନ ଓ କେବେବି କୁଣ୍ଡାଇ ହେଉଥିବାପରି ଜଣାପଡ଼େନା । ତା ପସନ୍ଦର ଈଶ୍ୱର ହେଉଛନ୍ତି ଜିୟସ୍ ପୁତ୍ର ଆପୋଲୋ, ଯାହାଂକର ଏକ ବିରାଟ ପେଂଟିଂ କାନ୍ଥରେ ଝୁଲାଇଛି ଓ ଆପୋଲୋ ବାବଦରେ ଏତେ କଥାକୁହେ ଯେ ମେଘା ବିଶ୍ୱାସ କରିବାପାଇଁ ବାଧ୍ୟ ହୋଇଛି ଯେ ପାୟନ୍ ହିଁ ପୂର୍ବେ ଆପୋଲୋ ଥିଲା । ସେ ଆପୋଲୋର ପ୍ରତ୍ୟେକଟି ମାଂସପେଶୀ ସହ ପରିଚିତ । ମେଘାକୁ ପାୟନ କୁହେ "ତମେ ଏଥେନା-ଗଡେସ୍ ଅପ୍ ଲଭ୍ ଆଉ ୱିଜ୍ଡମ୍, ଦେଖିବ ଆମ ପିଲାମାନେ ସବୁ କିପରି ସୁନ୍ଦର, ବଳବାନ୍ ଓ ଇଂଟେଲିଜେଂଟ ହେବେ ।' ଆଜିକାଲି ଅବଶ୍ୟ ପାୟନ୍ ଆଉ ଏସବୁ କଥା କହୁନାଇଁ । ମଝିରେ ଏ ଝାମେଲାଟା ଆସି ନଥିଲେ କଣ ହୋଇଥାନ୍ତା କେଜାଣି । ଏବେ ଆଉ ପିଲାଛୁଆ ପ୍ରତି ଆଗ୍ରହ ନାଇଁ । କେତେ ଝାମେଲା ଓ ସମସ୍ୟା ଭିତରକୁ ଟାଣି ନିଅନ୍ତି ସେମାନେ । ରେଜିୟା ମାଡାମ୍ ତିନୋଟି ଛୁଆରେ କେତେ ହଇରାଣ ହେଉଛନ୍ତି! ରାସ୍ତାରେ ଷଣ୍ଢଟିଏ ଠିଆ ହୋଇଥିବାର ଦେଖି ମେଘାର ଭାବନାରେ ପୂର୍ଣଚ୍ଛେଦ ପଡ଼ିଲା ଏବଂ ସେ ଅଟକିଗଲା । ଲୋକଦେଖି ତାଙ୍କ ପଛେପଛେ ଷଣ୍ଢକୁ ପାରହେବ ଭାବିଲା । ଷଣ୍ଢଟି ଆହୁରି ଦୂରରେ ଅଛି । କୁଆଡ଼େ ଯାଉନାଇଁ । ଚାଲି ଚାଲି ଜଣେ ହେଲେ ଆସୁ ନାହାନ୍ତି । ଖାଲି ସ୍କୁଟର କାର୍, ଟ୍ରକ୍, ବସ୍ । ଏପରି ହାଇ-ୱେରେ ଚାଲି ଚାଲି ଆସୁଥିବା ଲୋକ ଖୁବ୍ କମ୍ । ଦଶମିନିଟ ଛିଡ଼ା ହେଲାପରେ ପାୟନର ଜଣେ ସିନିଅର କଲିଗ୍ ଆସୁଥିଲେ କାର୍ ରେ । ମେଘାକୁ ଦେଖି ଗାଡ଼ି ଅଟକାଇଲେ, କହିଲେ, "ଆପଣ ଏକା? କୁଆଡ଼େ? ପ୍ଳିଜ୍ ଗେଟ୍ ଇନ୍ ।' ମେଘା କିଛି ନକହି ଗାଡ଼ିରେ ବସି ପଡ଼ିଲା । ପରେ କହିଲା "ମୁଁ ଖାଲି ଏ ଷଣ୍ଢକୁ ପାର ହେବି, ବେଶି ଦୂର ନୁହେଁ ।' ପାର ହେବାକ୍ଷଣି ସଙ୍ଗେ ସଙ୍ଗେ କହିଲା "ବାସ୍ ମୁଁ ଏଠି ଓହ୍ଲାଇବି, ସାର୍ ।' ପ୍ରଫେସର ଜଣକ ଯେତେକହିଲେ ସେ ଯୁଆଡ଼େ ଯାଉଛି, ତାକୁ ସେଠି ଛାଡ଼ି ଦେବାକୁ ପ୍ରସ୍ତୁତ । ନଚେତ୍ ତାଙ୍କ ଘରଆଡ଼େ ବି ବୁଲି ଆସିଲେ ଭଲ । ସେଠୁ କଲେଜରେ ପାୟନକୁ ଫୋନ୍ରେ ଜଣାଇ ଦେବେ । ମେଘା କ୍ଷମାମାଗି ନେଇ କହିଲା,"ପ୍ଲିଜ୍ ସାର୍, ଡୋଂଟ୍ ଫୋରସ୍ ମି ଟୁଡେ ।' ପ୍ରୌଢ଼ ପ୍ରଫେସର ଜଣକ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ଆଗ ଛକଯାଏ ବି ସେ ଗଲାନାଇଁ । ଗୋଟାଏ କିଲୋମିଟରର ଏକ ଦଶମାଂଶ ରାସତ୍ାକୁ ସେ ଲିଫ୍ଟ ମାଗିଲା । କେବଳ ଷଣ୍ଢଟି ପାଇଁ । କୁଆଡ଼େ ଯାଉଛି ବି କହିଲା ନାଇଁ । ସବୁ ପ୍ରକାରର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା । ଆଜି କଣ ହୋଇଛି ମେଘା ମାଡାମ୍ଂକର?