ସତରେ କଣ ହୋଇଛି ତାର? ଦି'ଘଣ୍ଟା ପୂର୍ବରୁ ଘରୁ ବାହାରିବା ବେଳେ ପାୟନ୍ ଯାଇଥିଲା ମର୍ଣିଂ ରନ୍ରେ । ଛୋଟ ଖଣ୍ଡେ ଚିଠି ଲେଖି ଥର୍ମୋସ୍ ତଳେ ଚାରିଚଉତା କରି ଥୋଇଦେଇ ଚାଲି ଆସିଥିଲା । ତା ପୂର୍ବରୁ ସେ ଗାଧୋଇ ସାରିଥିଲା । କାନ୍ଧରେ ଗୋଟେ ଝୁଲାମୁଣି ଓହଳାଇ ନିର୍ବିକାରରେ ଚାଲି ଆସିଥିଲା । ଗୋଟେ ସାଉଥଇଣ୍ଡିଆନ୍ ହୋଟେଲରେ ଦୋସା ଖାଇଲା, କିଛି ମିଠା କିଣି ରଖିଲା, ଗୋଟାଏ କପ୍ ଚା ଖାଇଲା, ପାଖ ଷ୍ଟଲରୁ "ଆର୍ଟସ୍ ଏଂଡ୍ ଆଇଡିଆ' ମାଗାଜିନ କିଣିଲା ଓ ନେଲ୍ ପଲିସ୍ ରିମୁଭର୍ଟିଏ କିଣିଲା ଏବଂ ଚାଲିଚାଲି ବସ୍ ଷ୍ଟାଣ୍ଡ୍କୁ ଯାଉଛି । ବାଟରେ ଷଣ୍ଢପାଇଁ ଦଶ ମିନିଟ ଓ ସେଇ ପ୍ରଫେସରଙ୍କ ପାଇଁ ଦଶମିନିଟ ସମୟ ଯାଇଥିଲା । ଏତକ କାମ ଭିତରେ ଦି' ଘଣ୍ଟା ହେଇଗଲାଣି । ହାତରେ ଆହୁରି ଅଧଘଣ୍ଟା ବାକି । ସେଇ ଗାଁକୁ ଏକମାତ୍ର ବସ୍ ଯାଏ ନ'ଟା ତିରିଶରେ । ମେଘା ତାକୁ ହିଁ କେଚ କରିବାକୁ ଯାଉଛି । କାହାକୁ କହିନାଇଁ କିଛି । ବସଟି ଷ୍ଟାଣ୍ଡ୍ରେ ଲାଗି ସାରିଥିଲା । ସେ ସିଧାଯାଇ ବସିଲା ବସ୍ ଭିତରେ । ଚାରି ଆଡ଼କୁ ଅନାଇ ଦେଖିଲା କେହି ଚିହ୍ନା ପରିଚୟ ଅଛନ୍ତି କି ନାହିଁ । ତାଙ୍କ ପଡ଼ୋଶୀ ତ୍ରିପାଠୀ ସାର୍, ତାଙ୍କ ଛୋଟ ଝିଅ "ପିଆ' ସହ ବସଷ୍ଟାଣ୍ଡ୍ ଭିତରେ ବୁଲାବୁଲି କରୁଥିଲେ । "ପିଆ' ସବୁବେଳେ ମେଘାକୁ ଆଂଟି ଆଂଟି କହି ପାଖକୁ ଆସେ, ଖୁବ୍ ଭଲପାଏ । ମେଘାର ମନବି ଏବେ ତାକୁ ଡାକିବ ଡାକିବ ହେଉଥିଲା । କିନ୍ତୁ ତା ବାପାଙ୍କୁ ଗୁଡ଼ାଏ ଉତ୍ତର ଦେବାକୁ ପଡ଼ିବ ଭୟରେ ନ ଡାକି ମୁହଁ ଅନ୍ୟ ପଟକୁ କରି ଚୁପଚାପ ଛପିଗଲା । କୋଡ଼ିଏ ମିନିଟ ପରେ ଡ୍ରାଇଭର ଆସି ବସିଲା । ଏ ଭିତରେ ମେଘା କୋଡ଼ିଏ ଥର ଘଡ଼ି ଦେଖି ସାରିଲାଣି । ପାୟନ ଏବେ ପୁଣି କଣ କରୁଥିବ? ପ୍ରଫେସର ମୁଖାର୍ଜି ଯଦି ଫୋନ କରିଥିବେ ତେବେ ତାଙ୍କ ସହ କଥାହୋଇ ଆହୁରି ଖୋଜିବାକୁ ବାହାରିଥିବ । କଣ ଭାବୁଥିବ ମେଘା ବାବଦରେ? ସାତବର୍ଷ ସାତ ମାସର ବାହାଘର ଭିତରେ ଏମିତି ଖେଳ କେବେ ଖେଳି ନଥିଲା ସେ । ବରଂ କୁହାଯାଉ ଏମିତି ଖେଳର ସନ୍ଧାନ ସେ କେବେ ନେଇ ନ ଥିଲା । ସେଇ ରେପ୍ ଘଟନା ପରେ ପାୟନ କେତେ ଯତ୍ନ ନେଇ ନ ଥିଲା ମେଘାର । ମେଘାକୁ ସେ ବରଂ ଆହୁରି ଭଲ ପାଇଛି । ପାୟନର କଲିଗ୍, ତା ଛାତ୍ର, ପଡ଼ୋଶୀ, ବନ୍ଧୁବାନ୍ଧବ ସମସ୍ତେ ତାକୁ କେତେ ସ୍ନେହ ଦେଇଥିଲେ । ତା କେସ୍କୁ ପ୍ରିନ୍ସିପାଲ୍ ନିଜେ ମନିଟରିଂ କରୁଥିଲେ । କେସ୍ ଟି ଏବେ ଅଟକି ଯାଇଛି ଅଧବାଟରେ । ଲୋକଟି କୁଆଡ଼େ ପାଗଳ ହୋଇ ଯାଇଛି । ସେଇ ପନ୍ଦର କୋଡ଼ିଏ ମିନିଟ ସମୟ ଟିକକ ଛାଡ଼ିଦେଲେ ତା ପୂର୍ବରୁ କିମ୍ବା ପରେ ମହାଦେବକୁ କେବେହେଲେ ଦେଖିନାଇଁ । ଏଇ କିଛି ମାସ ହେଲା ମେଘାର ପ୍ରଚ୍ଛନ୍ନ ଇଚ୍ଛାଟେ ରହିଛି ତାକୁ ଦେଖିବା ପାଇଁ, ତା ସ୍ତ୍ରୀ ବାବଦରେ ଜାଣିବା ପାଇଁ । କେମିତି ରହୁଛି ସେ? ମହାଦେବ ଏବେ କଣ କରୁଥିବ ଜେଲରେ? କଣ ଭାବୁଥିବ? ଅନୁତାପ କରୁଥିବ କି? ତାର ମାନସିକ ସନ୍ତୁଳନ କିପରି ଥିବ? ସେ କାହିଁକି ଏପରି ଦୁର୍ଘନାଟେ ଘଟେଇଲା? ମେଘା ତା'ଇଚ୍ଛା ଥରେ ମାତ୍ର ପାୟନକୁ ଜଣାଇଥିଲା । ପାୟନ କହିଥିଲା, "ହ୍ୱାଟ ନନ୍ସେନ୍ସ! ଆର୍ ୟୁ ମେଡ? ସେ କଥା ଭାବି ପାରୁଛ କେମିତି? ହାଓ ଆର୍ ୟୁ ଗୋଇଂ ଟୁ ମିଟ୍ ୟୋର୍ ରେପିଷ୍ଟ?' ପାୟନ ଠାରୁ ଶୁଣି ତାର ଡାକ୍ତର ମାମୁଁ, ପ୍ରିନ୍ସିପାଲ୍ ଓ ଜଣେ ଦି'ଜଣ ସିନିୟର କଲିଗ୍ ବି ତାକୁ ମନା କରିଥିଲେ । ସେ ଚିନ୍ତାଧାରା ହିଁ ପାଶୋରିବା ପାଇଁ କହିଥିଲେ । କିନ୍ତୁ ସେ ଚିନ୍ତାଧାରାକୁ ପାଶୋରି ପାରିନାହିଁ । ସବୁବେଳେ ସେ ସେଇ କଥାକୁ ଭାବିଛି । ପ୍ରାୟ ଛ'ମାସ ହେଲା ଏବଂ ହଠାତ୍ ଆଜି ବାହାରି ପଡ଼ିଛି ା ଅନ୍ୟମାନେ ଏପରିକି ପାୟନ ବି ତା ଘରୁ ବାହାରିବା କାରଣ ସମ୍ପର୍କରେ ଏଇ ନିର୍ଦିଷ୍ଟ ଅନୁମାନଟି କରିପାରି ନଥିବ । ତା ମାମୁମାଇଁ ଦୁହେଁ ପ୍ରସିଦ୍ଧ ଗାଇନିକ୍ ସ୍ପେଶିଆଲିଷ୍ଟ । ତାଙ୍କ ପାଖରେ ବିବାହର ପାଞ୍ଚବର୍ଷ ପରେ ସେ ଓ ପାୟନ ଦୁହେଁ ରକ୍ତରେ କ୍ରୋମୋଜମ୍ ପରୀକ୍ଷା କରାଇଥିଲେ, ମଂଟୁସ୍ ଟେଷ୍ଟ, ସିମେନ୍ ଟେଷ୍ଟ କରାଇ ବୀଜାଣୁ, ଭୁତାଣୁମାନଙ୍କ ପରିମାଣ ମାପି ଥିଲେ, ଡି.ଏନ୍.ସି. କରାଇ ଷ୍ଟ୍ରୋମା ଓ ଏଚ୍.ଏସ୍.ଜି. କରାଇ ଫେଲୋପିଏନ୍ ଟ୍ୟୁବ୍ କଥା ଜାଣିଥିଲେ । ସବୁ ଠିକ୍ ଠାକ୍ ଥିଲା । କିଛି ବି ଅସୁବିଧା ନାଇଁ । ଏପରିକି ତା ମାଇଁ ତାକୁ ଚିତ୍ରକାଟି ବୁଝାଇ ଦେଇଥିଲେ ଯେ ଓଭାରି କେଉଁଠି ଥାଏ, ଫେଲୋପିଏନ୍ ଟ୍ୟୁବ୍ କେଉଁଠି ଥାଏ, ଚଉଦ ଦିନରେ କଣ ହୁଏ ଇତ୍ୟାଦି ଏବଂ ଶେଷରେ ହସି ହସି କହିଥିଲେ "ୱିସ୍ ୟୁ ଅଲ୍ ଦି ବେଷ୍ଟ ।' ତଥାପି ମଧ୍ୟ ମେଘା କେବେବି କନ୍ସିଭ କରିନାଇଁଁ । ସେ ବେଳେବେଳେ ଭାବେ ଭାରତ ସରକାରଙ୍କ ୱେଲ୍ ଫେଆର୍ ଡିପାର୍ଟମେଣ୍ଟ୍ ରୁ ଶିଶୁଟିଏ ନେଇ ଆସିଲେ ତ ଚଳୁଛି । ସେ ନିଜେ କାହିଁକି ଏତେ ଝାମେଲାରେ ପଡ଼ିବ? ଚିଡ଼ିଆଖାନାରେ ଜନ୍ତୁକୁ ଚାହିଁଲା ପରି ଲୋକେ ଯେମିତି ସେଇ ବଢ଼ିଲା ପେଟକୁ ଦେଖନ୍ତି । ଇସ୍ କି ଅଭଦ୍ର ସେଇ ଚାହାଣି!! ତେଣୁ ମେଘା ଓ ପାୟନ ଏକ ସୁରକ୍ଷିତ ପରିଧିରେ ଅଛନ୍ତି ଭାବି ସେ ଖୁବ୍ ଖୁସି ହୁଏ । ବସ୍ଟି ଏକ ଘଣ୍ଟାପରେ ଯେଉଁଠି ଅଟକିଲା ସେଇଟା ହିଁ ତା ଲକ୍ଷ୍ୟସ୍ଥଳ । ଗାଁରେ ଓହ୍ଲାଇ ଚାରି ଆଡ଼କୁ ଦେଖିଲା ଚାରିଜଣ ଲୋକ ଓ ଦି'ଜଣ ସ୍ତ୍ରୀ ତାକୁ ସିଧା ଚାହିଁଥିଲେ ।
ପୃଷ୍ଠା:Hada bagicha.pdf/୯୮
ଦେଖଣା