ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖାଇବାର ବାଢ଼ିଲା; କହିଲା, ଆଜି ମାଛ ମାଉଁସ ନାହିଁ । ବର୍ଷାରେ ବଜାରକୁ ଯାଇ ହେଲା ନାହିଁ । ଅବିନାଶ କହିଲା, ବର୍ଷ ତ ବନ୍ଦ ହେବା ଭଳି ଦେଖା ଯାଉ ନାହିଁ; ରାତିକି କଣ କରିବ?

ସକାଳେ ଯେମିତି ଖରା ହଉଥଲା, କିଏ ଜାଣିଥିଲା ଏତେ ବର୍ଷା ହେବ ବୋଲି? ବଜାର ତ ଏଠୁ ବେଶ ଦୂର । ଦେଖିବା ଯଦି ବର୍ଷା ଟିକିଏ ଛାଡ଼ି ଯାଏ !

ଅବିନାଶ କହିଲା, ତା'ହେଲେ ତମେ କଣ ଆମକୁ ରାତିରେ ଉପାସ ରଖିବ ନା କଣ? ଚୌକିଦାର କହିଲା, ଆଜ୍ଞା ଏବେ ମୁଁ ଏକା ଲୋକ... । ଅବିନାଶ ବିରକ୍ତ ହୋଇ ତାକୁ କଣ କହିବାକୁ ଯାଉଥିଲା, ଶାନ୍ତା ପଚାରିଲା, ତମର ନାଁ କଣ?

ନରି, ଜବାବ ଦେଲା ଚୌକିଦାର ।

ନରସିଂହ ନା ନରେନ୍ଦ୍ର? ଶାନ୍ତା ପଚାରିଲା ।

ଚୌକିଦାର କହିଲା, ନରହରି ।

ଖାଉ ଖାଉ ଅବିନାଶ କହିଲା, ଡାଲି ଲୁଣିଆ ହୋଇ ଯାଇଛି । ନରହରିକୁ ଜବାବ ଦେବାର ଅବସର ନ ଦେଇ ଶାନ୍ତା କହିଲା, ଆଜି ରାତିରେ ମୁଁ ରାନ୍ଧିବାରେ ସାହାଯ୍ୟ କରିବି; ଡାଲି ତରକାରୀରେ ଲୁଣ ଠିକ ରହିବ । ତା କଥାରୁ ସାହସ ପାଇ ନରହରି କହିଲା, କଥା କଣ କି ଆମର ରୋଷେଇଆ ଛୁଟିରେ ଯାଇଛି ! ମୁଁ କୌଣସି ମତେ କାମ ଚଳେଇ ଦଉଚି । ସେ ଫେରିବାର ଥିଲା ଆଜି । କିନ୍ତୁ ଯେମିତି ବର୍ଷା ହଉଚି, କେତେବେଳେ ଫେରିବ କେଜାଣି?

ଖାଇ ସାରି ହାତ ମୁହଁ ଧୋଇ ନିଜ କୋଠରୀକୁ ଫେରିଲେ ଦୁହେଁ । ଝରକା ଦେଇ ବର୍ଷା ଛିଟିକା ପଡ଼ୁଥିଲା; ଶାନ୍ତା ଝରକା ବନ୍ଦ କରି ଦେଲା । ଘର ଭିତର ଅନ୍ଧାରୁଆ ହୋଇଗଲା । ଶାନ୍ତା ପଚାରିଲା, କଣ ଆଲୁଅ ଜଳାଇ ଦେବି? ଅବିନାଶ କହିଲା, ଥାଉ । ସେ ଯାଇ ତାର ପ୍ୟାଣ୍ଟସାର୍ଟ ବଳଦାଇ ପାଜାମା କୁର୍ତ୍ତା ପିନ୍ଧିଲା, ବିଛଣା ଉପରେ ଶୋଇ ପଡ଼ି ଶାନ୍ତାକୁ କହିଲା, ଏଠିକି ଆସ । ଶାନ୍ତା ଟେବୁଲ ପାଖକୁ ଯାଇ ବାଳରୁ କ୍ଲିପ୍ ଖୋଲିଲା, କପାଳରୁ ବିନ୍ଦି ବାହାର କରି ତାକୁ ଦର୍ପଣ ଉପରେ ଲଗାଇ ଦେଲା, ବେକରୁ ହାର ବାହାର କରି ଟେବୁଲ ଉପରେ ରଖିଲା ଓ ଯାଇ ଅବିନାଶ ପାଖରେ ଶୋଇଗଲା । ଅବିନାଶ ତାକୁ ପାଖକୁ ଟାଣି ନେଉଥଲା, ଶାନ୍ତା କହିଲା, ଗୋଟେ ମିନିଟ । ଉଠିଯାଇ ସେ ଟେବୁଲ ଉପରେ ରଖିଥୁବା ଫଟୋଟିକୁ ଘୁଞ୍ଚାଇ ରଖିଦେଲା ଓ ବିଛଣାକୁ ଫେରି ଆସିଲା । କହିଲା, ଠାକୁରଙ୍କ ମୁହଁ ମୁଁ କାନ୍ଥ ଆଡକୁ କରିଦେଲି ।
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୧୪