ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବିନାଶ କହିଲା, ତମେ ଅତି ଶାନ୍ତ ପ୍ରକୃତିର । ସେଇଥି ପାଇଁ କଣ ତମର ନାଁ ଶାନ୍ତା ?

ମୋ ନାଁ ବିଷୟରେ ସମସ୍ତେ ପଚାରିଥାନ୍ତି ; ସେଥିପାଇଁ ମୁଁ ତାର ଉତ୍ତର ପାଇଁ ବି ସବୁବେଳେ ପ୍ରସ୍ତୁତ ଥାଏ । ଶାନ୍ତା ତ ଶାନ୍ତରୁ ହିଁ, ତେବେ ଶାନ୍ତାର ଅନ୍ୟ ଅର୍ଥ ବି ଅଛି । ଯେପରି ଦୁବ ଓ ଅଁଳା । ପୁଣି ଶାନ୍ତା ହେଉଛନ୍ତି କୌଶଲ୍ୟା ଗର୍ଭଜାତ ଦଶରଥ କନ୍ୟା ଓ ଅଙ୍ଗରାଜ ଲୋମପାଦଙ୍କ ପାଳିତା ପୁତ୍ରୀ ଏବଂ ଋଷ୍ୟଶୃଙ୍ଗଙ୍କର ପନ୍ତ୍ରୀ ।

ଏତେ କଥା ଶୁଣି ମତେ ତ ତମକୁ ଭୟ କରିବାର କଥା !

ଶାନ୍ତାର ଆଉ ଗୋଟିଏ ଅର୍ଥ ଅଛି ଯାହା ମୁଁ ସମସ୍ତଙ୍କୁ କହେ ନାହିଁ, କିନ୍ତୁ ତମକୁ କହିବି । ଶାନ୍ତା ହେଲା ଏପରି ଗାଭୀ, ପଦ ବନ୍ଧନ ନ କରି ଯାହାକୁ ଦୋହନ କରାଯାଇ ପାରେ ।

ଏ କଥାରେ ଅବିନାଶର ଚପଳତା କରିବା କିମ୍ବା ଅନ୍ତତଃ ହସିବା ଉଚିତ ଥିଲା, କିନ୍ତୁ ଓଠ ଉପରକୁ ହସ ଆସିଲା ନାହିଁ । ସେ ତରତରରେ ଗ୍ଲାସରୁ ଆଉ ଦୁଇ ଢୋକ ପିଇ ନେଲା । ତାର ଗ୍ଲାସ ଖାଲି ଦେଖି ଶାନ୍ତା ବୋତଲ ଉଠାଇ ତାକୁ ପଚାରିଲା, କଣ ଆଉ ଦେବି ?

ମୁଁ ସାଧାରଣତଃ ଯେତିକି ପିଏ ଆଜି ସେତିକି ପିଇ ସାରିଲିଣି । କିନ୍ତୁ ତମେ ଯଦି ମୋ ଗ୍ଲାସରେ ଢ଼ାଳିଦିଅ, ମୁଁ ଆଉ ଟିକିଏ ପିଇ ପାରିବି । ତମ ସମ୍ମାନରେ ।

ଶାନ୍ତା ବୋତଲଟିକୁ ଗ୍ଲାସ ଉପରେ ସାମାନ୍ୟ ଓଲଟାଇ ରଖିଲା । କହିଲା, ତମ ପିଇବାରେ ମୁଁ କୌଣସି ଦାୟିତ୍ବ ନେବାକୁ ଚାହୁଁନାହିଁ । ଯଦି ତମେ ଚାହଁ, ତମର ନିଜର ସମ୍ମାନରେ, ମୁଁ ଢ଼ାଳିବି, ନ ହେଲେ ବୋତଲକୁ ବନ୍ଦ କରି ରଖିଦେବି ।

ଠିକ ଅଛି । ମତେ ଆଉ ଦିଅ, ମୁଁ ପିଇବି ମୋ ନିଜ ଦାୟିତ୍ୱରେ । ତମେ କଣ ତମ ନିଜ ଦାୟିତ୍ୱରେ ମୋ ସହିତ ପିଇବାରେ ଯୋଗ ଦେବ ?

ହସି ହସି ଶାନ୍ତା ନିଜ ଗ୍ଲାସରେ ଅଳ୍ପ ଢାଳିଲା, ସୋଡ଼ା ବରଫ ମିଶାଇଲା ଓ ଅବିନାଶ ସହିତ ପିଇବାରେ ଯୋଗ ଦେଲା । ଅବିନାଶ କହିଲା, ଦେଖ ଆମେ ଏତେ ଡେରିରେ ଖାଇଥିଲେ, ଅଥଚ ଏଇ ପିଇବା ପରେ ପୁଣି ଭୋକ ଲାଗିଲାଣି ।

କଣ ଯାଇ ଦେଖିବି ରୋଷାଇ କେତେଦୂର ଗଲା ? ବିଚରା ନରହରି ପାଖରେ ଯାହା ଥିଲା ରାନ୍ଧିବାରେ ଲାଗିଛି । କାଲି ବର୍ଷା ବନ୍ଦ ହଉ ନ ହଉ ବଜାରକୁ ଯିବାକୁ ହେବ !

୨୧ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ