ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଣି ବୋତଲ ନେଲା ହାତରେ । ଅବିନାଶ କହିଲା, ତମ ହାତରେ ପାଣି ବୋତଲ ଦେଖି ମୋର ମନେ ପଡ଼ିଗଲା ଯେ ରାତିରେ ମୋର ଔଷଧ ଖାଇବାର ଅଛି । ଦିନ ବେଳେ ଭୁଲି ଯାଇଥଲି ସକାଳର ଔଷଧ ଖାଇବା ପାଇଁ ।

ନରହରି ସେମାନଙ୍କ ପାଖରୁ ବିଦାୟ ନେବା ବେଳେ କହିଲା, ଭିତରୁ କବାଟ ଭଲ କରି ବନ୍ଦ କରିନେବେ । ଏଠାରେ ଆଖ ପାଖରେ କେହି ନାହାନ୍ତି । ମୁଁ ବି ସବୁ ବନ୍ଦ କରି ଘରକୁ ଚାଲିଯିବି । ମୋ ଘର ଗେଟ ପାଖରେ, କିନ୍ତୁ ଏ ବର୍ଷା ଭିତରେ ଡାକିଲେ ବି ଶୁଭିବ ନାହିଁ । କାଲି ସକାଳେ କେତେବେଳେ ଚା ଦେବି ?

ଶାନ୍ତା କହିଲା, କିଛି କଲଦି ନାହିଁ । ଆମେ ଉଠିଲେ ମୁଁ ତମକୁ ଚା ମାଗିବି । ନରହରି ଚାଲିଯିବା ପରେ ଅବିନାଶ କହିଲା, ଏ ଲୋକଟା କଥା ଶୁଣି ତ ମତେ ଭୟ ଲାଗୁଛି । ଏ ନିର୍ଜନରେ ଆମେ ଦି ଜଣ ଏକା ।

ଏ ବର୍ଷା ରାତିରେ ଜଙ୍ଗଲ ଭିତରକୁ କିଏ କାହିଁକି ଆସିବ ?

ଚୋର, ଡକାୟତ, ଶିକାରୀ । ନ ହେଲେ ମଦ ପିଇ ମାତାଲ ଯୁବକ । ତମକୁ କଣ କିଛି ଭୟ ଲାଗୁ ନାହିଁ ?

ଭୟ କରିବାର ଜିନିଷ ତ ସବୁଆଡ଼େ ଭର୍ତ୍ତି ହୋଇ ରହିଚି । ସହରରେ ବି ଘର ଭିତରେ ଚୋର ଭୟ, ରାସ୍ତାରେ ଦୁର୍ଘଟଣା, ବସ ଭିତରେ ଗୁଣ୍ଡାମି । କେତେ ମଣିଷ ଜିଇଁ ପାରିବା ଭୟରେ ଭୟରେ ? ଯେତେବେଳେ ବିପଦ ଆସିବା ଦେଖାଯିବ । ଆଗରୁ ଭୟରେ ଅଧା ଜୀବନ ଯିବ କାହିଁକି ?

ଶାନ୍ତା ଗ୍ଲାସରେ ପାଣି ଢ଼ାଳି ଅବିନାଶ ହାତକୁ ଦେଲା । ଅଲଗା ଅଲଗା ବୋତଲରୁ ଔଷଧ ସବୁ ବାହାର କରି ଅବିନାଶ ତାକୁ ଏକାଠି କଲା ଓ ଗୋଟିଏ ଗୋଟିଏ ବଟିକା ଖାଇଲା |

ଏତେ ଔଷଧ ?

କୋଉ ଔଷଧ ରକ୍ତଚାପ ପାଇଁ, କୋଉଟା ଥାଇରଏଡ । ତିନିଟା ଭିଟାମିନ, ଗୋଟାଏ ନିଦ ଔଷଧ । ଦେଖ ମୁଁ ଭାବିଥିଲି ଆଜି ରାତିରେ ନିଦ ଔଷଧ ଖାଇବି ନାହିଁ, କଥା କହୁ କହୁ ସେଇଟା ବି ଖାଇଦେଲି ।

ଅବିନାଶ ଯାଇ ବିଛଣାରେ ଶୋଇଲା; କହିଲା, ମତେ ନିଦ ଆସିବା ଆଗରୁ ମୋ ପାଖକୁ ଚାଲି ଆସ । ଶାନ୍ତା କହିଲା, ମୁଁ ଠିକ ପାଞ୍ଚ ମିନିଟ ସମୟ ନେବି ।

୨୩ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ