ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶାନ୍ତା ଗାଧୁଆ ଘରୁ ତାର ଓଦା ଶାଢ଼ିକୁ ଆଣି ତାକୁ ଘର ଭିତରେ ଦୁଇ ଝରକା ଭିତରେ କୌଣସିମତେ ବାନ୍ଧି ଦେଲା, ଓ ବାକି ଲୁଗା ସବୁ ବିଭିନ୍ନ ଜାଗାରେ ଟାଙ୍ଗିଲା । ତା ପରେ ଠାକୁରଙ୍କ ଫଟୋଟି ନେଇ ତଳେ ଯାଇ ବସିଲା । ଅବିନାଶ କାନ୍ଥ ଘଡି ଆଡକୁ ଅନାଇଲା । ମାତ୍ର ସାଢ଼େ ଆଠଟା, କିନ୍ତୁ ଜଣା ଯାଇଛି ଯେମିତି ଅଧା ରାତି । ସେ ସକାଳ ଆଠଟାରେ ଘରୁ ବାହାରି ଥିଲା । ଦେଖୁ ଦେଖୁ ବାର ଘଣ୍ଟା ଚାଲିଗଲା । ଅଫିସ ଯାଇଥିଲେ ଏଇ ସମୟ ଭିତରେ ସେ କେତେ କଣ କାମ କରି ସାରିଥାନ୍ତା । ସେ କଥା ଆଉ ଭାବି ଲାଭ ନାହିଁ । ସେ ଶାନ୍ତା ଉପରେ ତାର ଚିନ୍ତାକୁ ନିବଦ୍ଧ କଲା । ତାକୁ ଯେତେବେଳେ ପ୍ରଥମେ ଭେଟିଥିଲା, ତା ପାଇଁ ଅବିନାଶର ମନ ଭିତରେ ଯେଉଁ ଦୈହିକ ଇଚ୍ଛା ଦେଖା ଦେଇଥଲା, ଏବଂ ଆଜି ସକାଳେ ସେମାନଙ୍କର ଭାବୀ ମିଳନର ଉତ୍କଣ୍ଠା ଓ ସମ୍ଭାବନାରେ ମନ ଭିତରେ ଯେଉଁ ଉତ୍ତେଜନା ଥିଲା, ଏବେ ଆଉ ତା ଅନୁଭବ କରି ପାରୁ ନଥିଲା ଅବିନାଶ । ଅବିନାଶ ବରଂ ଭାବୁଥଲା ତାକୁ ପଚାରିବ ତାର ଶାନ୍ତିର ଉତ୍ସ କଣ ? କେଉଁ ଠାକୁରଙ୍କୁ କି ପ୍ରକାର ପ୍ରାର୍ଥନା କରି ସେ ପାଇଥିଲା ତାର ଜୀବନର ଶୀତଳ ସନ୍ତୁଳନ ।

ଶାନ୍ତା ଫଟୋକୁ ନମସ୍କାର କରି ଉଠାଇ ନେଇ ଥାକରେ ରଖିଲା ଓ ତାର ମୁହଁ କାନ୍ଥ ଆଡ଼କୁ ବୁଲାଇ ଦେଲା । ପଚାରିଲା, ଏଥର ଲାଇଟ ବନ୍ଦ କରିବି ? ଅବିନାଶ ହଁ କଲା ଓ ଅନ୍ଧାର ଭିତରେ ଶାନ୍ତା ଦେହରୁ ପୋଷାକ ଓହ୍ଲାଇ ତା ପାଖରେ ଆସି ଶୋଇଗଲା ।

ଅବିନାଶ ତା ମୁହଁକୁ ହାତରେ ନେଲା । ବର୍ଭମାନ ବାହାରେ ଆହୁରି ପ୍ରବଳ ବର୍ଷାର ଶବ୍ଦ ଥିଲା । ତା ସାଙ୍ଗରେ ମଝିରେ ମଝିରେ ବଜ୍ର ପଡ଼ୁଥିଲା । କବାଟ ଝରକାର ପରଦା ଦେଇ ବିଜୁଳି ଆଲୁଅ ମୁହୁର୍ତ୍ତକ ପାଇଁ ଘର ଭିତରକୁ ରହସ୍ୟମୟ କରି ଦେଉଥଲା । ଶାନ୍ତା ଦେହରେ ମାଟି ବର୍ଷା ଓ ଅରଣ୍ୟର ଗନ୍ଧ ଥଲା । ତା ପାଇଁ ଅବିନାଶର ଯେଉଁ ଇଚ୍ଛା ଥଲା ସେଇଟି ତାକୁ ଜାଣିବାର, ବୁଝିବାର । ଶାନ୍ତା ଯେତେବେଳେ ତା ପାଖକୁ ଆହୁରି ଲାଗି ଆସିଲା, ଅବିନାଶ ପଚାରିଲା, ତମେ ଠାକୁରଙ୍କୁ ବି ପ୍ରାର୍ଥନା କଲ ?

ବିଷ୍ଣୁ ସହସ୍ରନାମ ଶୁଣିବ ? ଓଁ ବିଶ୍ୱସ୍ମୈ ନମଃ । ଓଁ ବିଷ୍ଣବେ ନମଃ । ଓଁ ବୈଷଟ୍‌କାରାୟ ନମଃ । ଓଁ ଭୂତ ଭବ୍ୟ ଭବତ ପ୍ରରବେ ନମ । ଓଁ ଭୂତକୃତେ ନମଃ । ଓଁ ଭୂତ ଭୂତେ ନମଃ । ଓଁ ଭବାୟ ନମଃ । ଓଁ ଭୂତାତ୍ମନେ ନମଃ । ଓଁ ଭୂତ ଭାବନାୟ ନମଃ । ଓଁ ପୂତାତ୍ମନେ ନମଃ । କଣ ଆଉ ଶୁଣିବ ?

ଅବିନାଶ କହିଲା, ହଁ । ଶାନ୍ତା କହିଲା, ଥାଉ; କାଲି ସକାଳେ ମେଘ ଛାଡ଼ିଗଲେ ମୁଁ ତମକୁ ପୂରା ପଢ଼ି ଶୁଣାଇବି । ଅବିନାଶ କହିଲା, ମୁଁ ଟଙ୍କା ବାହାର କରି ରଖିଥିଲି, ତମକୁ ଦବାକୁ ଭୁଲିଗଲି ।
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୨୪