ତମେ ପିଲାମାନଙ୍କ କଥା କହୁଥୁଲ ? ପଚାରିଲା, ଅବିନାଶ । ତା କଥାରେ ଜବାବ ନ ଦେଇ ଶାନ୍ତା କହିଲା, କଣ ଚା ସାଙ୍ଗରେ ବିସ୍ଟିଟ୍ ଖାଇବ ?
ବିସ୍ଟିଟ କୋଉଠୁ ଆସିବ ? ନରହରିକୁ କହିଥିଲେ ହୋଇଥାନ୍ତା ।
ମୋ ବ୍ୟାଗରେ ଅଛି । ଶାନ୍ତା ଉଠି ଯାଇ ବିସ୍ଟିଟ ଆଣି ଅବିନାଶ ପାଖରେ ରଖିଲା । ଅବିନାଶ କହିଲା, ମୁଁ କଣ ତମ ପିଲାମାନଙ୍କ କଥା ପଚାରି କିଛି ଭୁଲ କଲି ?
ନା, ସେ କଥା ନୁହଁ । ମୁଁ କାହିଁକି ମୋର ଦୁଃଖ କଥା କହି ତମର ମନ ଖରାପ କରିବି ? ତମେ ଆସିଚ ଦି ଦିନ ପାଇଁ; ହସ ଖୁସିରେ କଟିଯାଉ ଏଇ ଅଳ୍ପ ସମୟତକ ।
ମୁଁ ବି ଭାବିଥିଲି ମୋର ସମସ୍ୟା ସବୁକୁ ପଛରେ ରଖି ସମୟ କଟାଇବି ନିଶ୍ଚିନ୍ତ ହୋଇ ଏକ ସୁନ୍ଦର ଜାଗାରେ । ତେବେ ପ୍ରଥମରୁ ଯେ ବର୍ଷା ଆରମ୍ଭ ହେଲା ଶେଷ ହେବାର ନାଁ ନାହିଁ । ଏଠାରେ ପହଞ୍ଚି ପ୍ରଥମେ କ୍ଳାନ୍ତି ଆସିଲା, ତା ପରେ ଶୋଇଗଲି ଆଠ ଘଣ୍ଟା କି ଦଶ ଘଣ୍ଟା । ଭାବିଥିଲି ଜଙ୍ଗଲ ଭିତରେ ଯାଇ ବୁଲାବୁଲି କରିବା, ତାର ବି ଆଶା ନାହିଁ ।
ତମର ସବୁ ପ୍ରୋଗ୍ରାମ ଭିତରୁ ଗୋଟାଏ ଜିନିଷ ଭୁଲି ଯାଉଛ । ତମେ ମତେ ବି ଆଣିଥିଲ ସାଙ୍ଗରେ । କାହିଁକି ଆଣିଥିଲ ? କିଛି ସୁଖ ପାଇବା ପାଇଁ ନିଶ୍ଚୟ । ପାଗ ଖରାପ ହୋଇଯିବା ଭଳି ମୁଁ ମୋର ମୁହଁ ଶୁଖାଇ ତମକୁ ମୋ ନିଜ କଥା କହି କାହିକି ଭାରାକ୍ରାନ୍ତ କରିବି ? ବରଂ ତମକୁ ଗୋଟିଏ କବିତା ପଢ଼ି ଶୁଣାଉଛି ।
ଶାନ୍ତା ଭିତରୁ ଯାଇ କବିତା ବହି ଆଣି ତାର ଆହୁରି ପାଖକୁ ଚଉକି ଟାଣି ଆଣି ବସିଲା । କହିଲା, କଣ ପ୍ରଥମେ କବିତା ଶୁଣିବ ନା ମୁଁ ଯାଇ ଜଳଖିଆର ଖବର ନେବି ?
ପ୍ରଥମେ କବିତା, କହିଲା ଅବିନାଶ ।
ଶାନ୍ତା ବହି ଖୋଲି କିଛି ପୃଷ୍ଠା ଓଲଟାଇଲା ଓ କବିତାଟିଏ ବାଛି ତାକୁ ପଢ଼ିଲା । ତାର ସ୍ୱର ଶାନ୍ତ ସହଜ ଓ ସ୍ୱଚ୍ଛନ୍ଦ ଥିଲା । ଅବିନାଶ କବିତାର ଶବ୍ଦମାନଙ୍କରେ ଧ୍ୟାନ ଦେବାକୁ ଚେଷ୍ଟା କଲା । ଯଦିଓ ସେ କିଛି କିଛି ବୁଝିପାରୁଥିଲା, ଶାନ୍ତା ପୂରା କବିତାଟି ପଢ଼ି ସାରିବା ପରେ ବି ସେ ତାର ଅର୍ଥ ଧରି ପାରିଲା ନାହିଁ । ଶାନ୍ତାକୁ ପଚାରିଲା, ଏ କବିତାର ଅର୍ଥ କଣ ? ଶାନ୍ତା କହିଲା, ମୁଁ କଣ ଜାଣିଛି ଏହାର ପୂରା ଅର୍ଥ କଣ । ତେବେ ମତେ ପଢ଼ିବାକୁ ଖୁସି ଲାଗୁଛି ।
କବି ତାଙ୍କର ପ୍ରେମିକାଙ୍କୁ କିଛି କହିବାକୁ ଚାହୁଁଛନ୍ତି । ପ୍ରେମିକା ସହିତ ତାଙ୍କର କଣ କିଛି ସମସ୍ୟା ଅଛି; ନୁହେଁ ?
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୨୬