ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୨୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବସି ଚା ପିଉଥଲା ଓ ତା ଆଡକୁ ଚାହିଁ ନରମ ହସୁଥଲା । ତା ମୁହଁରେ ସକାଳର ମେଘର ଲେଶମାତ୍ର ନଥିଲା ।

ବର୍ତ୍ତମାନ ଏଇ ବର୍ଷା ପାଗରେ କଣ ଆଉ କରାଯାଇ ପାରେ, ପଚାରିଲା ଶାନ୍ତା ।

ଅବିନାଶ ଭାବିଲା କହିବ, ଚାଲ ବିଛଣାକୁ ଯିବା । କିନ୍ତୁ ତାର ଦେହ ଓ ମନ ପ୍ରସ୍ତୁତ ନ ଥିଲେ ସେଥିପାଇଁ । ସେ କହିଲା, ମୁଁ ତମ ବିଷୟରେ ଜାଣିବାକୁ ଚାହେଁ ।

ବେଶ । କିନ୍ତୁ ମୋ କଥା ଶୁଣିବା ପରେ ତମର ଯଦି ମନ ଖରାପ ହୋଇଯାଏ, ସେଥିପାଇଁ ମୁଁ ଦାୟୀ ନୁହେଁ ।

ଗାଁ ସ୍କୁଲରୁ ପାଠ ପଢ଼ି ସାରିବା ପରେ ଶାନ୍ତାର ବାପା ମା ତାକୁ ବାହା କରାଇ ଦେଲେ ତା ଠାରୁ ଅଳ୍ପ ପାଠ ପଢ଼ିଥିବା, ଚାକିରି ବାକିରି ନ ଥିବା ଅପଦାର୍ଥ ଅମାର୍ଜିତ ଲୋକଟି ସହିତ । ତା’ର ଦୁଇଟି ପିଲା ହେଲେ । ସ୍ୱାମୀ ମଦ୍ୟପ ହୋଇ ତାକୁ ମାରପିଟ କରି ଶେଷରେ ଘର ଛାଡ଼ି ଚାଲିଗଲା । ପିଲାଙ୍କୁ ବାପାମାଙ୍କ ପାଖରେ ରଖି ଦେଇ ଶାନ୍ତା ସହରରେ ଯାଇ ଫିଜିଓଥେରାପି ଟ୍ରେନିଂ ନେଲା । ପାଠ ସରିବାରୁ ଚାକିରି କରି ସେ ପାଖକୁ ନେଇ ଆସିଲା ପିଲା ଦୁହିଁଙ୍କୁ ।

ଶାନ୍ତା ଉଠି ଯାଇ ତାର, ଓଦା ଶାଢ଼ିକୁ ବାରଣ୍ଡାରୁ ଆଣି ଭିତରେ ପଙ୍ଖା ତଳେ ଟାଙ୍ଗିଲା । କହିଲା, ମୁଁ ଯାଇ ଦେଖି ଆସେ ନରହରି ଆଜି ଆମର ଖାଇବାର କି ବନ୍ଦୋବସ୍ତ କରୁଛନ୍ତି ।

ବର୍ଷା ହୁଏ ତ କିଛି ପରିମାଣରେ କମିଛି, କିନ୍ତୁ ବନ୍ଦ ହେବାର ଆଶା ନାହିଁ । ଚବିଶ ଘଣ୍ଟାରୁ ବେଶି ହୋଇଗଲାଣି ବର୍ଷା ହେବାର । ବର୍ତ୍ତମାନ ମନେ ହେଉଛି ଯେପରି ଏ ଧାରାର ଆଉ ଶେଷ ହେବ ନାହିଁ ଏବଂ ପୃଥିବୀ ଏକ ଅସରନ୍ତି ଶ୍ରାବଣ ଭିତରେ ଅଟକି ରହିଯିବ । ବର୍ଷା ଯେଉଁ ଧୂମାଚ୍ଛନ୍ନ ଉଦାସ ଆଣି ଦେଇଥଲା, ତାକୁ ଆହୁରି ବିଷଣ୍ଣ କରି ଦେଇଥିଲା ଶାନ୍ତାର ଜୀବନ କାହାଣୀ । ହରିଣର ଛାଲ ଭଳି ? ନିଜକୁ ପଚାରିଲା ଅବିନାଶ ।

ଶାନ୍ତା ଚାକିରି କଲା ସତ, କିନ୍ତୁ ଚାକିରିର ସର୍ତ୍ତ ପୂରଣ କରି ପାରିଲା ନାହିଁ । ଯେତେ ଯେଉଁ ଠାରେ ସେ କାମ କଲା, ସବୁଠାରେ ତାର ଦେହ ଉପରେ ଦାବୀ ରହିଲା । କ୍ଲିନିକ, ନର୍ସିଂ ହୋମ ଓ ହସପିଟାଲର ମାଲିକ ଡାକ୍ତର କର୍ମକର୍ତ୍ତା, ଯଦି ସେ କେଉଁ ରୋଗୀର ଘରକୁ କିଛି ଦିନ ପାଇଁ ଯାଇ କାମ କରୁଥିଲା ସେଠାରେ ନିଜେ ରୋଗୀ ସମେତ ପରିବାରର ଅନ୍ୟ

୨୯ . ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ