ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାଇଥାନ୍ତେ, ଆଉ ମୁଁ ତମ ପାଖରୁ କବିତା ଶୁଣି ପାରି ନଥାନ୍ତି । ବର୍ଷା ହେଉ ଥିବାରୁ ମୁଁ ତମକୁ ଆହୁରି ପାଖରେ ପାଇ ପାରିଲି ।

ଶାନ୍ତା କହିଲା, ବର୍ଷାକୁ ନେଇ ବୋଧହୁଏ ଆଉ କେହି ଏମିତି ଚାଟୁ କଥା କହି ପାରି ନଥାନ୍ତା ।

ଅବିନାଶ ବର୍ତ୍ତମାନ ଭଲ ମିଜାସରେ ଥିଲା । କହିଲା, ପ୍ରତ୍ୟେକ କଳା ମେଘର ଏକ ରୁପେଲି ଆସ୍ତରଣ ଅଛି ତମେ ନିଶ୍ଚୟ ଜାଣ ।

ଏଇଭଳି କଥାବାର୍ଭା କରୁ କରୁ ବର୍ଷାର ଆଲୁଅ ଆସ୍ତେ ଆସ୍ତେ ଲିଭି ଲିଭି ଆସିଲା । ଜଙ୍ଗଲ ଓ ବର୍ଷା ଯେପରି ଦିନଟିକୁ ଆହୁରି ଛୋଟ କରି ଦେଉଥିଲେ ।

ଶାନ୍ତା କହିଲା, ନରହରି କହୁଥିଲା ଆଜି ଶୀଘ୍ର ଘରକୁ ଯିବ । ସେଥିପାଇଁ ସେ ଶୀଘ୍ର ଖାଇବା ପାଇଁ ଦେଇଦେବ । ଅବଶ୍ୟ ତମେ ଯଦି ଚାହିଁ, ସେ ଚାଲିଗଲେ ବି ମୁଁ ପରେ ଖାଇବାର ବ୍ୟବସ୍ଥା କରିଦେଇ ପାରିବି ।

ନା ନା । ଆମେ ଆଜି ଚଞ୍ଚଳ ଖାଇନେବା ଏବଂ ଶୀଘ୍ର ବିଛଣାକୁ ଯିବା । ଅମ ପାଖରେ ତ ଆଉ ମାତ୍ର ବାର ଘଣ୍ଟା ସମୟ ରହିବ ।

ବାର ଘଣ୍ଟା ତ ବହୁତ ସମୟ ! କେତେ କଣ କରାଯାଇ ପାରେ ବାର ଘଣ୍ଟାରେ ।

ଜଣେ ଲୋକ ତ କେବଳ ନିଦରେ ଶୋଇ ବି ପୁରା ସମୟଟା କଟାଇ ଦେଇ ପାରେ । କାଲି ରାତିରେ ମୁଁ ଯେମିତି ନିଘୋଡ ନିଦରେ ଶୋଇଲି, ଆଗରୁ କେବେ ଏତେ ଭଲ ନିଦରେ ଶୋଇଥିବାର ମୋର ମନେ ନାହିଁ।

ଭଲ କଥା । ଆଉ ଯାହା କରି ପାରିଲେ ନ କରି ପାରିଲେ ବି ମନେ ରଖିବା ଭଳି ନିଦ ହେଲା, ସେ ବି ଗୋଟିଏ ବଡ଼ କଥା ।

ଶାନ୍ତା ଯାଇ ରୋଷାଇ ଘରେ ବୁଲି ଦେଇ ଆସିଲା । କହିଲା, ତମେ ଯଦି ତ୍ରିଙ୍କ ନବ, ଆରମ୍ଭ କରି ଦିଅ ।

ଚଉକି ଟାଣି ଦୁହେଁ ଟେବୁଲ ପାଖରେ ବସିଲେ । ଶାନ୍ତା ଯାଇ ଫ୍ରିଜରୁ ବରଫ ଓ ଥଣ୍ଡା ପାଣି ଆଣିଲା, ବ୍ୟାଗରୁ ପ୍ୟାକେଟ ଆଣି ପ୍ଲେଟ ଉପରେ ଢ଼ାଳି ଦେଲା । ଏବଂ ଦୁଇଟି ଯାକ ଗ୍ଲାସରେ ଭଲ ପରିମାଣର ହ୍ୱିସ୍କି ଢ଼ାଳିଲା ।

ଅବିନାଶ ପଚାରିଲା, ତମେ କଣ ପିଇବ ନା କଣ ?
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୩୨