ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବଂ ଅତି ସତର୍କତାର ସହିତ ପାଦ ପକାଇବାକୁ ହେଉଥିଲା । ଥରେ ଥରେ ମୁଁ ମୋ ଘର ପାରି ହୋଇ ଆଗକୁ ଚାଲି ଯାଉଥିଲି ଓ ପୁଣି ପଛକୁ ଫେରୁଥଲି । ଅବଶ୍ୟ ପରେ ମୁଁ ଭାବି ଦେଖୁଥିଲି ଯେ ଏହାର କାରଣ ଥିଲା ମୋର ଘରକୁ ଫେରିବାର ଭୟ ।

ରାସ୍ତାରୁ ଆସୁଥବା ସାମାନ୍ୟ ଆଲୁଅରେ ଘରର ଫଟକ ଖୋଲି ମୁଁ ଭିତରକୁ ଯାଉଥଲି ଓ ସାମନା ଦରଜାର ତାଲା ଖୋଲୁଥିଲି । ଭିତରକୁ ପଶିଲେ ହିଁ ବାଁ ପାଖରେ ସୁଇଚ ବୋର୍ଡ ଥିଲା, ତାକୁ ମୁଁ ଜଳାଉ ଥିଲି । ବସିବା ଘର ଆଲୋକିତ ହେଲେ ମୋର ଆଖି ସିଧା ଯାଉଥିଲା, ଡାହାଣ ପାଖରେ ଉଠି ଯାଇଥିବା ସିଡି ଆଡକୁ, ଯେଉଁଟି ଉପରକୁ ଯାଇ ମିଶି ଯାଉଥିଲା କେଉଁ ରହସ୍ୟର ଆହୁରି ଅନ୍ଧାରରେ । ତା ପରେ ମୁଁ ଶୋଇବା ଘରର ବତୀ ଜାଳି ତା ଭିତରକୁ ପଶୁଥିଲି; ପୁଣି ଆସି ବସିବା ଘରର ବତୀ ବନ୍ଦ କରୁଥିଲି ! ଏ ସବୁ ସାଧାରଣ କାମ ମୋ ପାଇଁ ଥିଲା ଗୋଟିଏ ଗୋଟିଏ ସୁଚିନ୍ତିତ ପଦକ୍ଷେପ ଭଳି ।

ମୁଁ ଟେବୁଲ ଉପରେ ମୋର ସେ ଦିନର କାଗଜ ପତ୍ର ସଜାଡ଼ି ଲେଖାଲେଖି କରିବା ପାଇଁ ବସି ଯାଉଥିଲି । ଏଇ ସମୟଟି ଥିଲା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ । ନୋଟଖାତା ବନ୍ଦ କରିବା ପରେ ଦିନଟିରେ କିଛି କାମ କରିଥୁବାର ଆନନ୍ଦ ସହିତ ମୁଁ ବସି ବସି ଚିଠି ଲେଖୁଥିଲି । ଚିଠି ଲେଖିବା ମୋ ପାଇଁ ଏଇ ଦିନମାନଙ୍କରେ ନିଶା ଭଳି ହୋଇ ଯାଇଥିଲା । ଯାହା ସହିତ ଅନେକ ଦିନ କୌଣସି ସଂପର୍କ ନ ଥିଲା, ତା ସହିତ ଚିଠି ଲେଖି ପୁଣି ସଂପର୍କ ଯୋଡ଼ିବାର ଇଚ୍ଛା ହେଉଥିଲା ଏଇ ସମୟରେ । ସେ ଘରେ ଅବଶ୍ୟ ବାହାର ସହିତ ଯୋଗାଯୋଗ କରିବା ପାଇଁ ଗୋଟିଏ ଟେଲିଫୋନ ଥିଲା, କିନ୍ତୁ ଅଧିକାଂଶ ସମୟରେ ଏଇଟି କାମ କରୁ ନ ଥିଲା । ମୁଁ ଟେବୁଲ ପାଖରେ ବସିଥିବା ବେଳେ ଅନେକ ସମୟରେ ଭାବୁଥିଲି ମୋର ଚିଠି ଲେଖା ନ ସରନ୍ତା କି !

ସମସ୍ୟା ଉପୁଜୁଥିଲା ଟେବୁଲ ଉପରର ବତୀ ଲିଭାଇ ଦି ପାଦ ଦୂରରେ ଥିବା ମୋର ବିଛଣା ପାଖକୁ ଯିବା । ତା ଆଗରୁ ମୁଁ ଥରେ ଥରେ ଆଖି ବୁଲାଇ ଦେଖି ଦେଉଥଲି ଘରର କବାଟ ସବୁ ଠିକ ଭାବେ ବନ୍ଦ ଅଛି କି ନାହିଁ । କିନ୍ତୁ ବତୀ ଲିଭାଇବା ପରେ ମୋ ଛାତିରେ ଯେଉଁ ଭୟ ଉପୁଜୁଥିଲା, ତାର କୌଣସି ତୁଳନା ନାହିଁ । ବିଛଣା ଉପରେ ଗରମରେ ନିଜକୁ ଚାଦରରେ ଘୋଡ଼ାଇ ଶୋଇବା ପରେ ବି ମୋର ହୃତପିଣ୍ଡରେ ହାତୁଡ଼ି ପଡ଼ୁଥିଲା । ଯଦିଓ ମୁଁ ଝରକା ବି ବନ୍ଦ ରଖୁଥିଲି, ସମୁଦ୍ର ଲହରୀ ଓ ଝାଉଁ ଗଛର କାନ୍ଦ କାନ୍ଦ ଶବ୍ଦ ଅନ୍ଧାର ଘର ଦେଇ ମୋ ଛାତି ଭିତରକୁ ପଶି ଆସୁଥିଲା । ଦିନେ ଦିନେ ଏ ସବୁ ଭୟ ଉପୁଜାଉଥୁବା ଶବ୍ଦ ସହିତ ମିଶି ଯାଉଥିଲା ବର୍ଷାର ରୁମଝୁମ ତାଳ ଦେଉଥୁବା ଅଲୌକିକ ସଂଗୀତ ।

ମୁଁ ଏତେ ସମୟ ଯୋଉ କଥା କହିବାକୁ ଟାଳି ଚାଲିଛି, ବର୍ତ୍ତମାନ କହିଦେବା
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ .୪୬