ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାସଂଗିକ ହେବ ଯେ ଯଦିଓ ମୁଁ ଈଶ୍ୱର ଦେବଦେବୀ ଭୂତପ୍ରେତଙ୍କୁ ବିଶ୍ୱାସ ବା ଭୟ କରୁନଥିଲି, ମୁଁ ପ୍ରକୃତରେ ଭୟକୁ ହିଁ ଭୟ କରୁଥିଲି । ଅନ୍ଧାର ହେବା ମାତ୍ରେ ଏକ ଅଶରୀରୀ ଭୟ ମତେ ଆଚ୍ଛନ୍ନ କରି ଦେଉଥିଲା ଏବଂ ଯଦିଓ ମୁଁ ଜାଣୁଥିଲି ଯେ ମୋର ଏଇ ବନ୍ଦ କୋଠରୀ ଭିତରେ ମୋ ବ୍ୟତୀତ ଆଉ କେହି କୁଆଡ଼େ ନାହାନ୍ତି, ମୁଁ ମୋର ଛାତି ଭିତରେ ହୃତ୍ ସୃନ୍ଦନର କ୍ଷିପ୍ରତାକୁ ବନ୍ଦ କରିପାରୁ ନଥିଲି । ପ୍ରତିଟି ରାତିରେ ଏଇ ଭୟର ପୁନରାବୃରି ହେଉଥଲା । ପ୍ରତିଦିନ ତ୍ରାସର ମୁହୂର୍ତ୍ତକୁ ଏଡ଼ାଇବା ପାଇଁ ମୁଁ ଯେତେ ସମ୍ଭବ ଡେରିରେ ଘରକୁ ଫେରୁଥିଲି ଏବଂ ଅନେକ ଦିନ ନିଜର ସାହସ ବଢ଼ାଇବା ପାଇଁ ମଦ୍ୟପାନ କରୁଥିଲି । ମୁଁ ନିଜକୁ ବୁଝାଉଥିଲି- ଯଦିଓ ମୋର ସଂପୂର୍ଣ୍ଣ ତର୍କବୁଦ୍ଧିସଂପନ୍ନ ମନକୁ ଏକଥା ବୁଝାଇବାର ଆଦୌ ଆବଶ୍ୟକତା ନ ଥିଲା- ଯେ ମୋର ସବୁ ଆଶଂକା ଅମୂଳକ ; ରାତିରେ କିନ୍ତୁ ଘରକୁ ଫେରିବା ବେଳକୁ ଭୟ ଯେପରି ଦୁଆର ବନ୍ଧ ଆରପାଖେ ମୋ ପାଇଁ ବିରକ୍ତିର ସହ ଅପେକ୍ଷା କରି ରହୁଥିଲା ଏବଂ ଭିତରକୁ ପଶିଲା ମାତ୍ରେ ମତେ ଆୟତ୍ତ କରି ନେଉଥିଲା ।

ଏଇ ଘରଟି ବର୍ତ୍ତମାନ ମୋ ପାଇଁ ହୋଇ ଯାଇଥିଲା ଏକ ଯୁଦ୍ଧ ଡାକରା । ମୁଁ ଇଚ୍ଛା କରିଥିଲେ ଏଇଟିକୁ ଛାଡ଼ି ଦେଇ ପାରିଥାନ୍ତି । କିମ୍ବା ମାଳିକୁ କହିଥାନ୍ତି ରାତିରେ ଆସି ଏଠାରେ ଶୋଇବା ପାଇଁ । କିମ୍ବା ଖଟ ପାଖରେ ଆଉ ଗୋଟିଏ ଲ୍ୟାମ୍ପ ଲଗାଇ ତାକୁ ରାତି ସାରା ଜଳାଇ ରଖିଥାନ୍ତି । କିନ୍ତୁ ଏ ସବୁ ହୋଇଥାନ୍ତା ମୋ ପାଇଁ ହାର ମାନିନେବା । ମୁଁ ଚାହୁଁଥିଲି ଏଇ ଘରେ ସେଇ ନ ଥିବା ଅଶରୀରୀ ଉପସ୍ଥିତିକୁ ସଂପୂର୍ଣ୍ଣ ଅବଜ୍ଞା କରି ସାଧାରଣ ଭାବରେ ସେଠାରେ ସମୟ କଟାଇବା ପାଇଁ ।

ଦିନେ ଉପରବେଳା ସମୁଦ୍ର କୂଳରେ ବୁଲିବା ବେଳେ ମୁଁ ବାନା ମହାରଣାକୁ ମୋ ଭୟ କଥା କହିଲି । ସେତେବେଳେ ଆମେ ଦୁହେଁ ବାଲି ଉପରେ ଚାଲୁଥିଲୁ । ମୋ କଥା ଶୁଣି ବାନା ମୁହୁର୍ତ୍ତ ଛିଡ଼ା ହୋଇଗଲା, ଆଖି ବନ୍ଦ କରି ମନେ ମନେ କଣ ପଢ଼ିଲା ଏବଂ ଛାତିକୁ ଛେପ ପକାଇଲା । କହିଲା, ଆପଣ ସେ ଘରେ ରହୁଛନ୍ତି ଜାଣି ମୁଁ ଅନେକ ଦିନରୁ ଆପଣଙ୍କୁ କହିବି କହିବି ଭାବୁଥୁଲି । ସେ ଘରେ ଜଣେ ଗୋରା ସାହିବ ନିଜ ଗଳା କାଟି ମରିଥିଲା । ମୁଁ କେବେ କେବେ କାହା ଘର ଭିତରକୁ ଯାଇ ପଟଚିତ୍ର ବିକ୍ରି କରେ, କିନ୍ତୁ କେବେହେଲେ ସେ ଘରର ପାଖ ମାଡ଼ି ନାହିଁ ।

ମୁଁ ମଧ୍ୟ ଏଇ ଗୋରା ସାହେବ କଥା ଶୁଣିଥିଲି । କିନ୍ତୁ ଏ କାହାଣୀକୁ ବିଭିନ୍ନ ଘର ସହିତ ଯୋଡ଼ି କୁହାଯାଉଥିଲା । ଶହେ ବର୍ଷ ତଳେ ସତରେ ପୁରୀରେ କୋଉ ଇଂରେଜ ମାଜିଷ୍ଟ୍ରେଟ ନିଜର ଖିଅର ହେବା କ୍ଷୁରରେ ଗଳା କାଟି ଆତ୍ମହତ୍ୟା କରିଥିଲା, ଏବଂ ବର୍ତ୍ତମାନ ଏହି ଘଟଣାଟି ନାନା ଭୁତକୋଠିର କିମ୍ବଦନ୍ତୀକୁ ଏକ ଐତିହାସିକ ଓ ରୋମାଞ୍ଚକର ରୂପ

୪୭. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ