ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାହାର କରି, ଗାଡ଼ି ଚାବି ବନ୍ଦ କରି, ଟର୍ଚ୍ଚ ଜାଳି ଫାଟକ ଖୋଲି ମୁଁ ଭିତରକୁ ପଶିଲି ଓ ଘରର କବାଟ ଖୋଲିଲି । କବାଟ ପାଖ ସୁଇଚ ଜାଳି ଯାଇ ଆଉ ସବୁ କୋଠରୀର ଆଲୁଅ ବି ଜଳାଇଲି । ଶୋଇବା ଘରର ବିଛଣାପତ୍ର ଠିକ୍ ଥିଲା, ବୋଧହୁଏ ମୁଁ ଅନେକ ଦିନ ତଳେ ଯେଉଁ ଭଳି ଛାଡ଼ି ଯାଇଥିଲି, ସେଇ ଭଳି । ମୁଁ ଖଟ ଉପରେ ବସି ମୋର ବ୍ୟାଗ ଖୋଲି ପାଣି ବୋତଲ ବାହାର କରି ପାଣି ପିଇଲି ଓ ବ୍ୟାଗକୁ ଟେବୁଲ ଉପରେ ରଖି ତା ଭିତରୁ କ୍ୟାମେରା ଓ କାଗଜପତ୍ର ବାହାର କଲି ।

ଏଇ ସମୟରେ ଭୋଲଟେଜ କମିଗଲା ଓ ଆଲୁଅ ସବୁ ମିଂଜିମିଂଜି ହୋଇଗଲା । ମତେ ପୁଣି ମୋର ପୂର୍ବ ଦିନ ମାନଙ୍କର ଅନୁଭବ ମନେପଡ଼ିଲା । ଟେବୁଲ ଉପରୁ ଅନାଇ ଦେଖିଲି ଯେ ସେଠାରେ ସୁଭଦ୍ରା ଆଗ ଭଳି ବିଜେ କରୁଛନ୍ତି, ଏବଂ ମୁଖା ଉପରେ ମାଳାଟି ମଧ୍ୟ । ମୁଁ ଠିଆ ହୋଇ ନମସ୍କାର କଲି ଏବଂ ଏଇ ସମୟରେ ଘର ବାହାରର ସମୁଦ୍ର ଓ ଝାଉଁଗଛ ବିଷୟରେ ସଚେତନ ହେଲି । ଶୋଇବା ଘର କବାଟ ଡ଼େଇଁ ମୋର ଆଖି ଚାଲିଗଲା ବସିବା ଘରର ଉପରକୁ ଉଠି ଯାଇଥିବା ପାହାଚ ଆଡ଼କୁ । ମୋ ଦେହ ଭିତରେ ଶିହରଣ ଖେଳିଗଲା ଓ ମୁଁ ମୋର ହୃତପିଣ୍ତର ସ୍ପନ୍ଦନ ଶୁଣିବାକୁ ପାଇଲି ସ୍ପଷ୍ଟ ଭାବରେ ।

ଘର ଭିତରର ଅଳ୍ପ ଆଲୁଅ ବର୍ତ୍ତମାନ ମୋ ସ‌ହିତ ଲୁଚୁକାଳି ଖେଳୁଥିଲା । ଘରର ଆସବାବ ସବୁ ଅତି ବିଷଣ୍ଣ ଦେଖାଯାଉଥିଲେ । ତାଙ୍କ ସାଙ୍ଗରେ ଯୋଗ ଦେଉଥିଲା ବାହାରୁ ବନ୍ଦ କବାଟ ଝରକା ଦେଇ ଭିତରକୁ ପଶି ଆସୁଥିବା ଲହ‌ରୀର ଭାଙ୍ଗିବା ଓ ଝାଉଁଗଛର କାନ୍ଦିବାର ଲୟବଦ୍ଧ ସ୍ୱର । ମୁଁ ମୋର ଆଲାର୍ମ ଘଣ୍ଟାରେ ରାତି ଗୋଟାଏର ସମୟ ଦେଲି ଏବଂ ପୋଷାକ ବଦଳାଇ ଶୋଇବାକୁ ବାହାରିଲି ।

ଆଲୁଅ ଲିଭାଇ ଖଟରେ ଶୋଇବା ପରେ ଏଥରକ ଯେଉଁ ଭୟ ଆସି ମୋ ଉପରେ ମାଡ଼ି ପଡ଼ିଲା ମୁଁ ଆଗରୁ କେବେ ହେଲେ ଏଭଳି ତ୍ରାସ ଅନୁଭବ କରି ନଥିଲି । ମୋର ନିଦ ହଠାତ ଉଭେଇଗଲା ଏବଂ ଚାରିଆଡ଼ୁ ଅନେକ ପ୍ରକାର ଅଶରୀରୀ ଆଶଙ୍କା ମୋତେ ଆଚ୍ଛନ୍ନ କରିଦେଲେ । ମୋର ହୃତପିଣ୍ତର ହାତୁଡ଼ି ଆହୁରି ଅଧିକ ଜୋରରେ ପଡ଼ିଲା ଏବଂ ମୁଁ ଖଟରୁ ଉଠି ବସିଲି । ମତେ ଏଇ ସମୟରେ ଉପର ମହଲାରେ ପାଦଶବ୍ଦ ଶୁଭିଲା । ମୁଁ ଜାଣିଲି ଯେ ମୁଁ ଆଉ ଏ ଘରେ ଗୋଟିଏ ମୁହୂର୍ତ୍ତ ବି ରହି ପାରିବି ନାହିଁ । ମୁଁ ପୁଣି ଥରେ ଆଲୁଅ ଜଳାଇଲି, ପୋଷାକ ବଦଳାଇଲି, ବ୍ୟାଗ ଭିତରେ କ୍ୟାମେରା ଆଲାର୍ମ ଘଡ଼ି ଜିନିଷ‌ପତ୍ର ରଖିଲି ଓ ଶେଷଥର ପାଇଁ ସୁଭଦ୍ରାଙ୍କ ମୁହଁକୁ ଅନାଇଲି । ସେ ମୁହଁ ଆଗ ଭଳି ଅବିଚଳିତ ଥିଲା, କିନ୍ତୁ ମୋର ଆର୍ତ୍ତିର ଉତ୍ତରରେ ମୁଁ ସେଥିରୁ କୌଣସି ଆଶ୍ୱାସନା ପାଇଲି ନାହିଁ । ମୁଁ ବସିବା ଘର ଓ ତାର ସିଡ଼ିକୁ ଆଡ଼େଇ ଘର ବାହାରକୁ ଆସି କବାଟରେ ତାଲା ଦେଲି । ଘର

୫୩. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ