ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭିତର ଅପେକ୍ଷା ନିର୍ଜନ ବାହାର ବର୍ତ୍ତମାନ ବେଶି ନିରାପଦ ମନେ ହେଉଥିଲା ମତେ । ବାହାର ଫାଟକ ବନ୍ଦ କରି ମୁଁ ଯାଇ ଗାଡ଼ିରେ ବସିଲି । ସେଠାରୁ ଚାଲିଯିବା ବେଳେ କିନ୍ତୁ ପଛକୁ ବୁଲି ଆଉ ସେ ଘର ଆଡକୁ ଅନାଇ ତାର ଅଲୌକିକ ମୁହଁକୁ ଦେଖିବାର ସାହସ ହେଲା ନାହିଁ ମୋର ।

ମୁଁ ସିଧା ଯାଇ ଗୋଟିଏ ହୋଟେଲରେ ପହଞ୍ଚିଲି ଓ ସେଠାରେ କୋଠରୀ ଭଡା ନେଲି । ତାର ନିରାପଦ ଆଶ୍ରୟରେ ମୁଁ ନିର୍ଦ୍ୱନ୍ଦରେ ଶୋଇଗଲି, ଏବଂ ମୋର ନିଦ ଭାଙ୍ଗିଲା ଆଲାର୍ମ ଘଡ଼ି ବାଜିବାରେ । ମୁଁ ପ୍ରସ୍ତୁତ ହୋଇ କ୍ୟାମେରା ନେଇ ବାହାରି ପଡ଼ିଲି ଚିତ୍ରକାର ସାହି ଯିବା ପାଇଁ । ସେତେବେଳକୁ ରାତି ଆରମ୍ଭର ଭୟାର୍ତ୍ତ ଅନୁଭୂତି ମୋ ମନ ଭିତରୁ ପୁରାପୁରି ଲିଭି ଯାଇଥିଲା । ମୁଁ ବର୍ତ୍ତମାନ ଚିନ୍ତିତ ଥିଲି କିପରି ମୋର କାମ ସାରି ପୁଣି ଦିଲ୍ଲୀ ଫେରିଯିବି ।

ଚିତ୍ରକାର ସାହି ବାହାରେ ଗାଡ଼ି ରଖି ମୁଁ କ୍ୟାମେରା ଧରି ସେବକଙ୍କ ଘରକୁ ଗଲି । ଘର ଭିତରେ ବର୍ତ୍ତମାନ ପୂଜା ଚାଲିଥିଲା । ମତେ ଦେଖି ମୋର ପୁରୁଣା ପରିଚିତମାନେ ଭିତରକୁ ଡାକିନେଲେ । ମୁଁ ପୂଜାର ଫଟୋ ଉଠାଇଲି ଓ ବାହାରେ ଆସି ବାରଣ୍ଡାରେ ବସି ଅପେକ୍ଷା କଲି କେତେବେଳେ ମନ୍ଦିରରୁ ଘଣ୍ଟ, ଛତା, କାହାଳୀ ଧରି ସେବକ ଆସିବେ । କେହି ସଠିକ କହି ପାରୁ ନଥିଲେ କେତେବେଳେ ସେମାନେ ଆସିବେ, କିମ୍ବା କହୁଥିଲେ, ଏଇ ଆସି ପହଞ୍ଚିଲେ ଜାଣନ୍ତୁ ! ଆସ୍ତେ ଆସ୍ତେ ରାତି ପାହି ଆସୁଥିଲା ଓ ଗଳି ଭିତରେ ଦେଖଣାହାରିଙ୍କ ସଂଖ୍ୟା ବି ବଢ଼ି ଚାଲିଥିଲା । ମୁଁ ଏଇ ଲୋକଗହଳି ଭିତରେ ଜଣେ ବିଦେଶିନୀ ପର୍ଯ୍ୟଟକଙ୍କୁ ଦେଖିଲି, ଯେ ତାଙ୍କର କ୍ୟାମେରା ଧରି ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ମତେ ବସି ବସି ବିରକ୍ତ ଲାଗୁଥିଲା ଓ ମୁଁ ଉଠି ତାଙ୍କ ଆଡ଼କୁ ଗଲି ।

ତାଙ୍କ ଆଖିରେ ମୋ ଆଖି ପଡ଼ିଲା । ଭଦ୍ରମହିଳା ଥିଲେ ଅଳ୍ପ ଉଚ୍ଚତାର, କଳି ହେଉ ନଥିବା ବୟସର ଓ ଚେପଟାନାକୀ କିନ୍ତୁ ସୁନ୍ଦରୀ ଚୀନା କି ଜାପାନୀ । ସେ ମଧ୍ୟ ମୋ ଆଡ଼କୁ ଆସିଲେ ଓ ସୁନ୍ଦର ହସ ହସି ମୋର ନିର୍ବାକ ଅଭିବାଦନର ନୀରବ ଉତ୍ତର ଦେଲେ । ମୁଁ ତାଙ୍କୁ ଡାକି ନେଇ ପାଖ ଘରର ପିଣ୍ଡା ଉପରେ ବସାଇ ତାଙ୍କ ସହିତ କଥା ହେଲି । ଭଦ୍ରମହିଳା ପର୍ଯ୍ୟଟନରେ ଆସିଥିଲେ; ଏଇ ଯାତ୍ରାରେ ପୁରୀରେ ତାଙ୍କର ଯେଉଁ ପଣ୍ଡା ସହିତ ଜଣାଶୁଣା ହୋଇଥିଲା, ସେ ହିଁ ତାଙ୍କୁ ଏଠାକୁ ଆଣିଥିଲା ମନ୍ଦିରର ଏକ ଅଦଭୁତ ଚଳଣି ଦେଖାଇବା ପାଇଁ । ମୁଁ ତାଙ୍କୁ ମୋର ଗବେଷଣା କଥା ଓ ଏଇ ପର୍ବଟିର ଗୁରୁତ୍ବ କଥା କହିଲି । ମୁଁ ତାଙ୍କୁ ମୋର ଠିକଣା ଲେଖା କାଗଜ ଦେଲି ଏବଂ ସେ ମୋର ଟିପା ଖାତାରେ ତାଙ୍କର ନାଁ ଓ ଜାପାନର ଠିକଣା ଲେଖିଦେଲେ ।
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ .୫୪