ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୭୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇନକିଲାବ ଜିନ୍ଦାବାଦ ଗୀତ : ବାର ବରଷର ବାଳକ, ଗୁଳି ମୁହେଁ ଦେଖାଇଛି ବେକ ହେ । କବିତା ଥିଲା ଗୀତ, ପଢ଼ିବା ଥିଲା ସ୍ୱର କରି ଗାଇବା, ଅର୍ଥ ପାଖରେ ପହଞ୍ଚିବାର ରାସ୍ତା ଥିଲା ଏକାକୀ ମନନ ନୁହେଁ, ପଟୁଆର । ତା ପରେ ଆସିଲା ଏକ ନୂଆ ଯୁଗର ଜ୍ବଳନ୍ତ ସ୍ୱାକ୍ଷର ନେଇ, ନୁହେଁ ବନ୍ଧୁ ନୁହେଁ ଏ ଯେ ଚିତା । ପରବର୍ତ୍ତୀ ଜୀବନରେ ଯେପରି ଡାଫୋଡ଼ିଲର ସୁନେଲି ସମ୍ମୋହନରୁ ତାକୁ ଟାଣି ଆଣି ବାହାର କରିଥିଲା ଆଲଫ୍ରେଡ ପୁଫରକ ।

କଲେଜରେ ପ୍ରଥମେ ଏଲିଅଟ ପଢ଼ିବା ବେଳେ ଛାତି ଭିତରେ ଯେଉଁ ହୁଲସ୍ଥୁଲ ହୋଇଯାଇଥିଲା ସେ କଥା ଭାବିଲେ ଏବେ ବି ଶିହରଣ ଆସେ । ପାଗଳ ଭଳି ସେ ଖୋଜି ଖୋଜି ବିଦେଶୀ କବିତା ପଢୁଥିଲା । ପ୍ରୁଫରକ କବିତାର ଶୀର୍ଷକ ତଳେ ତିର୍ଯ୍ୟକ ଲେଖାରେ ଦାନ୍ତେଙ୍କର ଯେଉଁ ଛ'ଟି ଧାଡ଼ି ଥିଲା, ତାର ଅର୍ଥ ବି ସେ ଖୋଜି ବାହାର କରିଥିଲା ସେତେବେଳେ । କ୍ଳାସ ପରେ ସେ ଯାଇ ଅଧ୍ୟାପକଙ୍କ ସହିତ କବିତା ବିଷୟରେ ଆଲୋଚନା କରୁଥିଲା । ସେ ଜାଣିବାକୁ ଚେଷ୍ଟା କରୁଥିଲା କବିତାରେ ଯେଉଁ ସବୁ ସଂକେତ ଆଭାଷ ଓ ପରୋକ୍ଷ ଉଲ୍ଲେଖ ରହିଛି ତାର ଅର୍ଥ ଓ ସଂଗତି କଣ । କବିତାର ପ୍ରତିଟି ଧାଡ଼ି, ପ୍ରତିଟି ଶବ୍ଦ ଯେପରି ତାର ବୁଝିବା ଦରକାର । ଅଧ୍ୟାପକ ତାକୁ ବୁଝାନ୍ତି, କୌଣସି ଲେଖା ପଢ଼ିବା ବେଳେ ଯେଉଁ ସବୁ ବିଦେଶୀ ସନ୍ଦର୍ଭ, ଦୁର୍ବୋଧ୍ୟ ଶବ୍ଦ ବା ଜଟିଳ ଅଭିବ୍ୟକ୍ତି ଉପରେ ତମେ ଝୁଣ୍ଟି ପଡୁଛ, ସେମାନଙ୍କୁ ଆଡ଼େଇ ରଖି ରଚନାଟିକୁ ପଢ଼ ; ତା କଲେ ହିଁ ତମେ କବିତାର ଆନନ୍ଦ ପାଇବ । ଦେବନାଥର ମନ ବୁଝେ ନାହିଁ । କିପରି ସେ ଅଲଗା କରିଦେବ କବିତାରୁ ସେଇ ଅଂଶ କିଛି ? ଏଇ ଝୁଣ୍ଟି ପଡ଼ୁଥିବା ଜାଗାଗୁଡ଼ିକ ହିଁ ତ କବିତା । ସେହି ଅର୍ଥହୀନତାରେ ହିଁ ତ ଅର୍ଥମୟ ହୋଇ ଯାଇଛି କବିତା ସେଠାରେ ।

ସ୍କୁଲ ପରେ କଲେଜରେ ପଢ଼ିବା ପାଇଁ ସେ ଗାଁରୁ ଆସି ସହରରେ ମାମୁ ଘରେ ରହୁଥିଲା । ରହିବା ପାଇଁ ତାକୁ ଘରର ଯେଉଁ ଛୋଟ ଜାଗାଟି ଦିଆ ଯାଇଥିଲା, ସେଠାରେ ନିଜର କାଗଜପତ୍ର ଜମା କରି ସେ ତିଆରି କରି ଦେଇଥିଲା ଏକ ନିଜସ୍ୱ ପୃଥିବୀ । ଅନ୍ୟ ପିଲାଙ୍କ ଭଳି ତାର ଖେଳକୁଦ, ସିନେମାରେ ମନ ନ ଥିଲା ; ବହିଟିଏ ପାଇଲେ ତାକୁ ଧରି ସେ ଘଣ୍ଟା ଘଣ୍ଟା ବସିଯାଉଥିଲା । ସହରର ସବୁ ଲାଇବ୍ରେରୀ ତାର ପରିଚିତ ଥିଲେ ଏବଂ ତାର ସବୁ ବନ୍ଧୁ ଥିଲେ ସାହିତ୍ୟରେ ରୁଚି ରଖୁଥିବା ଯୁବକ । ଶାନ୍ତ ବିନୟୀ ଓ ଭଦ୍ର ପ୍ରକୃତିର ହୋଇଥିବାରୁ ସେ ଯଦିଓ କାହାରି ସହିତ ବିଶେଷ ସଂପର୍କ ରଖୁ ନ ଥିଲା, ଘରେ ତାକୁ ସମସ୍ତେ ଆଦର କରୁଥିଲେ ଏବଂ ବହି ସାଙ୍ଗରେ ସବୁ ସମୟ କଟାଇବା ବିଷୟରେ ତାକୁ କିଛି କହୁ ନ ଥିଲେ ।

ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ ୭୬