ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୭୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କବିତାର ଅଯୋଗ୍ୟ । ସେଥିପାଇଁ ସେ ନିଜକୁ ଯଥାସମ୍ଭବ ଘରକରଣାରୁ ଅଲଗା ରଖିଲା । ଭାଗ୍ୟକୁ ତାର ସ୍ତ୍ରୀ ସମ୍ମାଳିନେଲା ସବୁ ଦାୟିତ୍ୱ । ନିଜ ଘରେ ଦେବନାଥ ନିଜେ ହୋଇଗଲା ମୂଲ ଦେଉଥିବା ଅତିଥି । ପହିଲା ତାରିଖରେ ସେ ସ୍ତ୍ରୀ ହାତକୁ ଦରମା ପଇସା ବଢାଇ ଦେଇ ନିଶ୍ଚିନ୍ତ ହୋଇ ଯାଉଥିଲା ମାସଟି ପାଇଁ ।

ଏହିଠାରୁ ଆରମ୍ଭ କରି ସବୁଦିନ ପାଇଁ ସେ ସେଇପରି ରହିଗଲା ପେଇଙ୍ଗ୍ ଗେଷ୍ଟ ହୋଇ । ଗାଁରେ ଆସି ରହିବା ପରେ ପ୍ରଥମେ ସେ ଲୋକ ରଖି ଖାଇବା ପିଇବାର ବ୍ୟବସ୍ଥା କରୁଥିଲା । କିନ୍ତୁ ଯେବେଠାରୁ ହରି ମାଷ୍ଟର ତା ଘରେ ଭଡାରେ ରହିଲେ, ଦେବନାଥ ତାଙ୍କ ଉପରେ ନିଜର ଦାୟିତ୍ୱ ଲଦି ଦେଲା । ସେ ନିଜର ରୋଷେଇ ବନ୍ଦ କରିଦେଲା, ଭଡ଼ା ବାବଦରେ ତାଙ୍କ ପାଖରୁ ଆଉ କିଛି ପଇସା ନେଲା ନାହିଁ । ସେ ହରି ମାଷ୍ଟରଙ୍କୁ ଆଉ କିଛି ଟଙ୍କା ଯାଚୁଥିଲା, କିନ୍ତୁ ସେ ରୋକ୍‌ଠୋକ୍ ମନା କରିଦେଲେ ।

ବର୍ତ୍ତମାନ ମଦଦେକାନ ସାମନା ଖୋଲାରେ ହାଲୁକା ଖରାରେ ବସି ଗ୍ଲାସରୁ ଟିକିଏ ଟିକିଏ ପିଇବା ବେଳେ ସେ କିନ୍ତୁ ତାର ସେବେର ସଂସାର କଥା ଭାବୁ ନଥିଲା । ତାକୁ ସେତେ ମନେ ପଡ଼ୁ ନ ଥିଲେ ତାର ବ୍ୟକ୍ତିଗତ ଜୀବନର ସ୍ମୃତି, ସେତେ ମନେ ପଡ଼ୁଥିଲେ କବିତାର ପଂକ୍ତିସବୁ । ଏଇ ମୁହୁର୍ଭରେ ଯେପରି ତାର ମନକୁ ଆଚ୍ଛନ୍ନ କରି ରଖିଥିଲେ ରବି ଠାକୁର । ସେ ଆକାଶକୁ ଅନାଇ ଖୋଜୁଥିଲା ପ୍ରଥମ ଦିନର ସୂର୍ଯ୍ୟ ଓ ଦିବସର ଶେଷ ସୂର୍ଯ୍ୟ ମଝିର କେଉଁ ଜିଜ୍ଞାସୁ ନକ୍ଷତ୍ର, ଯାହାର ପ୍ରଶ୍ନର କୌଣସି ଉତ୍ତର ନଥିଲା । ଥରେ ଗୁରୁଦେବଙ୍କ କଥା ମନେ ପଡ଼ିଲେ ମନ ଖୋଲିଯାଏ । ସବୁକିଛି ମନେ ହୁଏ ସାମାନ୍ୟତାରୁ ଉର୍ଦ୍ଧ୍ୱରେ : ମହାମାନବର ସାଗର, ଅନ୍ତରକୁ ବିକଶିତ କରୁଥିବା ଅନ୍ତରତମ, ଜଗତ ପାରାବାର ତୀରରେ ଖେଳା କରୁଥିବା ମାନବ ଶିଶୁ ।

ଦେବନାଥ ନିରାଶ ହୋଇଯାଇଥିଲା ଯେତେବେଳେ ଗୁରୁଦେବ ଶେଷ ବେଳକୁ କବିତାରେ ଲେଖିଲେ ସର୍ବ ଅଙ୍ଗ କ୍ଷତ ଥିବା କୁକୁର, ମଲା ମୂଷା, ଫୁଟନ୍ତା ତେଲ କଡ଼େଇରେ କଉମାଛ, ମଇଳା ମୋଜା ଓ ବୀଭତ୍ସ ମାଛି ଦଳ କଥା । ଦିନେ ଯେ ଭାବୁଥିଲେ ବାଷ୍ପ‌ଯୋଗେ ରେଲଗାଡ଼ିର ଚାଲିବାରେ କୌଣସି ପରମତା ନାହିଁ ଏବଂ ସେଥପାଇଁ ଜିନିଷଟି କବିତାର ଅଯୋଗ୍ୟ, ସେଇ ବିଶ୍ୱକବି ପୁଣି ଲେଖିଲେ ରାତିର ଗାଡ଼ି ଓ ଇଷ୍ଟେସନ ଭଳି କବିତା । ଦେବନାଥ କିନ୍ତୁ ଅଟକି ଯାଇଥିଲା ବିଶ୍ୱଦର୍ଶନ ପର୍ଯ୍ୟାୟରେ । ଜୀବନ ଓ କବିତାରୁ ସମସ୍ତ ନୀରସ ଗଦ୍ୟକୁ କାଟି ଦେଇ ସେ ମଜ୍ଜି ରହିଲା ପ୍ରେମ ସମୟ ମୃତ୍ୟୁ ଅମରତ୍ୱ ସଂପର୍କ ଭଳି ଅପାର୍ଥିବ ତ‌ତ୍ତ୍ୱମାନଙ୍କରେ । କବିତା ଲେଖିବାରେ ସେ ନିଜର ଜୀବନର ସବୁ ସାର ନିଶେଷ କରିଦେଲା ।

ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ ୭୮