ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫେରାଇ ବାଁ ପାଖେ ବସିଥିବା ଝିଅଟି ଆଡ଼କୁ ମୁହୂର୍ତ୍ତେ ଅନାଇଲେ ଅବିନାଶ । ସେ ସଂପୂର୍ଣ୍ଣ ଅବିଚଳିତ ହୋଇ ସାମନାକୁ ଅନାଇ ବସି ରହିଥିଲା ଓ ମନେ ମନେ ଯେପରି କୌଣସି ଗୀତ ଗାଉଥିଲା । ତାକୁ ଦେଖି ଅବିନାଶର ମନ ଭିତରେ କିଛି ବିରକ୍ତ ଆସିଲା । ଗାଡ଼ି ଚଳାଇବାରେ ତାର କୌଣସି ସହାୟତା କରି ନ ପାରିଲେ ବି ସେ ତାର କଷ୍ଟ ଓ ଚିନ୍ତା ପାଇଁ ଅନ୍ତତଃ ସହାନୁଭୂତି ତ ଦେଖାଇ ପାରିଥାନ୍ତା । ଏ ଭଳି ସ୍ତ୍ରୀ ଲୋକ ସହିତ କିପରି ସେ ଦୁଇ ଦିନ-ବା ଠିକରେ କହିଲେ ଦୁଇ ରାତି-କଟାଇବା ଭାବି ପୁଣି ତାର ମନ ସନ୍ଦିଗ୍ଧ ହୋଇଗଲା । ତେବେ ଆଶ୍ୱାସନା ଥିଲା ଯେ ଭଲ ନ ଲାଗିଲେ ସେ ପୂରା ଦି ଦିନ ସେଠାରେ ନ ରହି ଆଗରୁ ଫେରି ଆସି ପାରିବ ।

ସହର ଛାଡ଼ିବା ବେଳକୁ କେବଳ ପାଗ ଯେ ଭଲ ଥିଲା ତାହା ନୁହେଁ, ତାର ମନ ବି ସାମାନ୍ୟ ହାଲୁକା ଥିଲା । ପାଖରେ ବସିଥିବା ଝିଅଟିର ସାନ୍ନିଧ୍ୟ ତାକୁ ଉତ୍‌ଫୁଲ୍ଲ କରୁଥିଲା ଏବଂ ପଛ କଥା ଭୁଲିଯାଇ ସେ ଭାବୁଥିଲା ଏଇ ସମୟତକ ତା ପାଇଁ ଆନନ୍ଦ ଆଣିଦେବ । ତେବେ ଏଇ ଅବସ୍ଥା କ୍ଷଣସ୍ଥାୟୀ ଥିଲା । କିଛି ଦୂର ନ ଯାଉଣୁ ପୁରୁଣା ଭାବନା ଚିନ୍ତା ସବୁ ଆସି ମୁଣ୍ଡ ଭିତରକୁ ପଶିଲେ । ତାର ମାନେ ହେଲା ଯେପରି ଅଫିସରୁ ଛୁଟି ନେଇ ଚାଲି ଆସିବା ଗୋଟିଏ ଭୁଲ ନିର୍ଣ୍ଣୟ ଥିଲା । ତାର ଅବର୍ତ୍ତମାନରେ ଅଫିସର କର୍ତ୍ତା ତାର କ'ଣ ସବୁ କ୍ଷତି କରିପାରନ୍ତି, ମନକୁ ଆସିଲା ସେ ସବୁ ଦୁଶ୍ଚିନ୍ତା । ତେବେ ଅଫିସରେ ତା ପାଇଁ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଛୁଟି ନେଇ ପଳାଇ ଆସିନଥିଲେ ସେ ପାଗଳ ହୋଇଯାଇଥାନ୍ତା । ଅଥବା, ଆତ୍ମହତ୍ୟା କରିବା କଥା ଭାବିଥାନ୍ତା !

ଏଇପରି ଶୋଚନା ଭିତରେ ସେ ସାମାନ୍ୟ ଅନ୍ୟମନସ୍କ ହୋଇଗଲା ଓ ସେଥିଯୋଗୁଁ ସମ୍ନାରୁ ଆସୁଥିବା ଗାଡ଼ି ସହ ଧକ୍କା ଲାଗିବା ଅବସ୍ଥା । ଶାନ୍ତା ତା କାନ୍ଧ ଉପରେ ହାତ ରଖି କହିଲା, ଧୀରେ ଧୀରେ । ପ୍ରକୃତିସ୍ଥ ହୋଇ ଅବିନାଶ ସଜାଗ ହୋଇ ବସିଲା, ଏବଂ ଗାଡ଼ି ଚଲାଇବାରେ ଧ୍ୟାନ ଦେଲା । ଯଦି କୌଣସି ଦୁର୍ଘଟଣା ଘଟେ, ଭୟଙ୍କର ସମସ୍ୟା ଉପୁଯିବା ତା ପାଇଁ ।ଅଫିସରେ ସେ ଜଣାଇ ଥିଲା, ବ୍ୟକ୍ତିଗତ କାମରେ ଗାଁକୁ ଯାଉଛି; ସ୍ତ୍ରୀକୁ କହିଥିଲା ଅଫିସ କାମରେ ଯାଉଛି ପାଖ ସହରକୁ । ତା ପାଖରେ କୌଣସି ଉପାୟ ବି ନଥିଲା କାହାରିକି ବୁଝେଇବାର ସେ କାହିଁକି ଜଣେ ଅଜଣା ସ୍ତ୍ରୀ ଲୋକ ସହିତ ଏଇ ଅବେଳରେ ରହିଥିଲା ଅଭୟାରଣ୍ୟ ଯିବାର ରାସ୍ତା ମଝିରେ ।

ସାମାନ୍ୟ ପ୍ରକୃତିସ୍ଥ ଥିଲେ ସେ କଦାପି ଏ ଭଳି ଏକ ଦୁଃସାହସ କରି ନ ଥାନ୍ତା । ଏଥିପାଇଁ ସଂପୂର୍ଣ୍ଣ ଦାୟୀ ଥିଲା ତାର ପିଲାଦିନର ସାଙ୍ଗ ମୋହନ । ଅବିନାଶ ନିଜେ ଧୀର

ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ . ୧୦