ପୃଷ୍ଠା:Janana Chayana.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
--୩--

ଆହେ ନୀଳ ଶଇଳ-ପ୍ରବଳ-ମତ୍ତ ବାରଣ
ମୋ ଆରତ-ନଳିନୀ ବନକୁ କର ଦଳନ (ଘୋଷା)

ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ
ଚକ୍ରପେଶି ଗ୍ରାହନାଶି ଉଦ୍ଧାରିଲ ଆପଣ ।।୧।।

ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ
କେଡ଼େ ବଡ଼ ବିପତ୍ତିରୁ କରିଅଛ ତାରଣ ।।୨।।

କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।।୩।।

ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।।୪।।

ପ୍ରହଲ୍ଲାଦ-ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।। ୫।।

କହେ ସାଲବେଗ ହୀନ ଜାତିରେ ମୁଁ ଯବନ ।
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।।୬।।

ଯବନ କବି - ସାଲବେଗ