ପୃଷ୍ଠା:Janana Chayana.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବନ ପୋଡ଼ି କାଳେ ଘୋର ଦାବାନଳେ,
ଉଦ୍ଧରି ରଖିଲ ବ୍ରଜବାଳେ ।
ଭଣେ ଉପଇନ୍ଦ୍ର କବି କୁଳ ଚନ୍ଦ୍ର,
ଶରଣ ମୁଁ ତୁମ୍ଭ ପାଦ ତଳେ ।।୫।।

ଉପେନ୍ଦ୍ରଭଞ୍ଜ
-୫ -
ଥକାମନ ଚାଲ ଯିବା, ଚକାନୟନ ଦେଖିବା ।
ଶଙ୍ଖନାଭି ମଣ୍ଡଳରେ,  ବେନିନେତ୍ର ପଖାଳିବା ॥ ପଦ ॥

ବାଟରେ ବାଟ ମଙ୍ଗଳା,  ଦେଖିବା ଅଠର ନଳା,
ପାଞ୍ଚ ମନ ଏକ ମେଳା  ନରେନ୍ଦ୍ରେ ସ୍ନାନ କରିବା ॥ ୧ ॥

ପ‌ହଞ୍ଚିବା ବଡ ଦାଣ୍ଡେ,  ସେ ରେଣୁ ପାଇବା ତୁଣ୍ଡେ,
ଛତା ତଳେ ରହି ଦଣ୍ଡେ,  ସାଧୁଙ୍କ ସେବା କରିବା ॥ ୨ ॥

ସିଂହଦ୍ୱାରେ ଭିଡାଭିଡି,  ବାଜୁଅଛି ବେତବାଡି,
ଠେଲିଦେଇ ଯିବା ମାଡି  ଧକ୍‌କା ବାଜିଲେ ସହିବା ॥ ୩ ॥

ବାଇଶି ପାବ ଚ୍ଛବିକା,  କୈବଲ୍ୟ ହେଉଛି ଚଖା,
ହାଣ୍ଡିକ ପଡ଼େ ସଉକା, ମନ ରଙ୍କା ଛଡାଇବା ॥ ୪ ॥

ଗରୁଡ ପଛରେ ଦେଖ,  ଦିଶୁଛି କଲା ଶ୍ରୀମୁଖ,
କହଇ ସାରିଆ ଭିଖ ,  ବଳରାମଙ୍କୁ କହିବା ॥ ୫ ॥


-ସାରିଆ-
-୬-