ପୃଷ୍ଠା:Jati, Jagruti o Pragati.pdf/100

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୦୧

ଅଧିକାର ଦର୍ଶାଇବାକୁ ଯାଇ କହିପାରୁଥିଲେ-‘ମୁଁ ଇନ୍ଦିରାକୁ କହିଲି, ମୋତେ ଗୋଟିଏ ବମ୍ବେ ଦେ, ମୋର ପାରାଦ୍ୱୀପକୁ ବମ୍ବେ କରିବାକୁ ପଡିବ ।’ କିମ୍ବା ‘ମୁଁ ସ୍ୱରାଜ ପାଲ୍‌କୁ କହିଲି, ମୋତେ ଗୋଟିଏ ଇସ୍ପାତ କାରଖାନା ଗଢ଼େଇ ଦେ, ମୋ ଓଡ଼ିଶା ମାଟିରେ ଲୁଚି ରହିଥିବା ଲୁହାପଥରକୁ ଓଡ଼ିଆପୁଅମାନେ ତରଳାଇ ଇସ୍ପାତ ତିଆରି କରିବେ ।’

ହୀରକ ଜୟନ୍ତୀ ବୟସରେ ପଦାର୍ପଣ କରିବାକୁ ଯାଉଥିବା ଓଡ଼ିଶା ଆଜି ବିଭିନ୍ନ ସମସ୍ୟାକୁ ନେଇ ଗତି କରୁଛି । ଯଦିଓ ଏହି ମାଟି ତା’ର ସନ୍ତାନବର୍ଗଙ୍କୁ ଉଚ୍ଚଶିକ୍ଷା ଦେଇଛି; ଏହାର ମାଟି ତଳେ ଲୁଚି ରହିଥିବା ପ୍ରଚୁର ଖଣିଜ ସଂପଦକୁ ବ୍ୟବହାର କରିବାପାଇଁ, ନ‌ଦୀ, ନାଳ, ଘଞ୍ଚ ଅରଣ୍ୟକୁ ସଦୁପଯୋଗ କରି ଖାଦ୍ୟ ଅଭାବ ଦୂର କରିବାପାଇଁ ସୁଯୋଗ ଦେଇଛି; ତଥାପି ଓଡ଼ିଆଜାତି ବିଶ୍ୱ ଦୃଷ୍ଟିରେ ନିଜକୁ ପ୍ରତିଷ୍ଠିତ କରିପାରିନାହିଁ । ଓଡ଼ିଶାଠାରୁ ବହୁ ପଛରେ ଜନ୍ମଲାଭ କରିଥିବା ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ହରିୟାଣା, ଉରାଞ୍ଚଳ ଆଦି ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ଓଡ଼ିଶାକୁ ଅତିକ୍ରମ କରିଯାଇଥିଲା ବେଳେ, ଓଡ଼ିଶା ଆଜି ତା’ର ଦୂରଦୃଷ୍ଟିବିହୀନ ସନ୍ତାନଗଣଙ୍କପାଇଁ ପଛରେ ପଡ଼ିରହିଛି ।

ଯେଉଁ କେତେଜଣ ବ୍ୟକ୍ତି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସମ୍ପଦ ଓ ସ୍ୱାଭିମାନର ବିଲୋପତାକୁ ଦେଖିପାରି ଆକୁଳ ଚିକ୍ରାର କରୁଛନ୍ତି; ସେମାନେ ନିଜ ସ୍ୱାର୍ଥକୁ ଆଉ କେତେଜଣ ସ୍ୱାର୍ଥୀ ଓଡ଼ିଆଙ୍କ ପ୍ରରୋଚନାରେ ତଥା ଓଡ଼ିଶାକୁ ଲୁଟ୍ କରିବାକୁ ଆସିଥିବା ଅଣଓଡ଼ିଆଙ୍କ ପ୍ରଲୋଭନରେ ନିଜର ବିବେକକୁ ବନ୍ଧା ପକେଇ ଓଡ଼ିଆତ୍ୱ ଲୋପ କରିବା ଉଦ୍ଦେଶ୍ୟରେ ଆଗେଇ ଆସୁଛନ୍ତି । ଏମାନଙ୍କୁ ପ୍ରତିରୋଧ କରିବା ପାଇଁ ଆଉ କ’ଣ ଏ ମାଟିରେ ଫକୀରମୋହନ, ମଧୁସୂଦନ କିମ୍ବା ବିଜୁବାବୁ ସୃଷ୍ଟି ହେବେନାହିଁ ! ନା, ଏ ମାଟି ଏହିଭଳି ଯୋଗଜନ୍ମାଙ୍କୁ ଧାରଣ କରିବାରେ ଅକ୍ଷମ ହୋଇପଡ଼ିଛି ?

କିଏ ହେବ ଏହି ତିନି ନାୟକଙ୍କ ଉପଯୁକ୍ତ ଦାୟାଦ ?

ସତରେ ! ଆଜିର ଏ ଦୁସ୍ଥିତିକୁ ଦେଖିଲା ପରେ ଓଡ଼ିଆପ୍ରାଣରୁ ଦୀର୍ଘନିଶ୍ୱାସ ସହ ବାହାରିପଡୁଛି-ଫକୀରମୋହନ, ମଧୁସୂନ ଓ ବିଜୁବାବୁ ଆଉଥରେ ଜନ୍ମ ହୁଅନ୍ତେକି ?

***