ପୃଷ୍ଠା:Jati, Jagruti o Pragati.pdf/102

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଜାତି, ଜାଗୃତି ଓ ପ୍ରଗତି / ୧୦୩
ଓଡ଼ିଶା ସରକାରଙ୍କ କୃଷିବିଭାଗ ଅନୁସାରେ ଆମ ରାଜ୍ୟର ଚାଷ ଜମି ଆୟତନ ହ୍ରାସ ପାଉଥିବାବେଳେ, ଉତ଼୍ପାଦନ କ୍ଷମତା ବୃଦ୍ଧି ପାଉଛି । ଫଳରେ କୃଷି ବିଭାଗର ବାର୍ଷିକ ବିବରଣୀ (୨୦୦୭-୦୮) ଅନୁସାରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ସାରିବା ପରେ ଆମ ପାଖରେ ଆଉ ୬.୪୬ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବଳକା ରହୁଛି । ତେବେ ଦୁଃଖର ବିଷୟ ଯେ, ସମସ୍ତଙ୍କପାଇଁ ଖାଦ୍ୟ ଉତ୍ପାଦିତ ହୋଇ ଶସ୍ୟ ବଳକା ରହୁଥିଲେ ମଧ୍ୟ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ତଥା ସରକାରୀ କଳର ଅପାରଗତା ଯୋଗୁଁ ଏବେ ବି ବହୁଲୋକ ଅନାହାରରେ ମରୁଛନ୍ତି କିମ୍ବା ପିଲା ବିକ୍ରି କରୁଛନ୍ତି, ନଚେତ୍ ଦାଦନ ହୋଇ ଅନ୍ୟ ରାଜ୍ୟକୁ ପଳାଇ ଯାଉଛନ୍ତି ।

ପୁନଶ୍ଚ ଜମିର ଶସ୍ୟ ଉତ଼୍ପାଦନ‌କୁ ଆହୁରି ବୃଦ୍ଧି କରାଯାଇପାରନ୍ତା, ଯଦି ଜଳସେଚନ ବ୍ୟବସ୍ଥାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରାଯାଉଥା’ନ୍ତା । ସ୍ୱାଧୀନତା ପୂର୍ବରୁ ଆମ ରାଜ୍ୟର ୨ ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ହୋଇଥିବା ବେଳେ ବିଭିନ୍ନ ଯୋଜନାଦ୍ୱାରା ତାହା ଏବେ ୨୭ ଲକ୍ଷ ହେକ୍ଟରରେ ପହଞ୍ଚିଛି; ଯାହାକି ୫୦ଲକ୍ଷ ହେକ୍ଟର ହେବା କଥା । ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ନ‌ଦୀନାଳର ସୁବିଧା ନ ଥିବାବେଳେ ସେଠାରେ କୃଷିଜମିକୁ ଶତପ୍ରତିଶତ ଜଳସେଚିତ କରାଯାଇସାରିଲାଣି । ଏପରିକି ଆନ୍ଧ୍ରପ୍ରଦେଶ ନିଜ କୃଷକଙ୍କ ସୁବିଧାପାଇଁ ଆମ ରାଜ୍ୟର ପ୍ରବାହିତ ନ‌ଦୀଜଳକୁ ବନ୍ଧ ପକାଇ କେନାଲ ମାଧ୍ୟମରେ ଜଳସେଚିତ କରୁଛି । ଅଥଚ ଜଳସଂପଦ ନାମରେ ଏକ ସ୍ୱତନ୍ତ୍ର ବିଭାଗଦ୍ୱାରା ରାଜୀବଭବନ ନାମକ ଏକ ବୃହତ କାର୍ଯ୍ୟାଳୟ ଖୋଲି କେଉଁଠୁ କେତେ ଟଙ୍କା ଋଣ ଅଣାଇ ଜଳସେଚନ ନାମରେ ନିଜପାଣ୍ଠି ବୃଦ୍ଧି କରିବେ, ସେ ହିସାବରେ ବ୍ୟସ୍ତ ଅଛନ୍ତି ଆମ ଅଧିକାରୀଗଣ । ଏପରିକି ଏହି ଅଧିକାରୀଗଣ ହିସାବ କରି ଦେଖେଇ ଦେଲେଣି ଯେ, ସରକାର ଦେଉଥିବା ସୁବିଧା ଯଦି କୃଷକ ଗ୍ରହଣ କରେ, ତେବେ ୨୦୧୦ ସୁଦ୍ଧା ହେକ୍ଟର ପିଛା ୨୦୧୨ କିଲୋଗ୍ରାମ ଧାନ ଉତ୍ପାଦନ କରିହେବ । ମାତ୍ର ସେମାନେ ଜାଣିନାହାନ୍ତି ଯେ, ଓଡ଼ିଶାର ନିରକ୍ଷର ଗ୍ରାମୀଣ କୃଷକ ନିଜ ବୁଦ୍ଧିବଳରେ ହେକ୍ଟର ପିଛା ବାର୍ଷିକ ୬୦୦୦ କିଲୋଗ୍ରାମ ଧାନ ବର୍ତ୍ତମାନ ଉତ୍ପାଦନ କରିପାରୁଛନ୍ତି ବୋଲି ! ଏବେ ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁସାରେ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣାଯାଉଛି । ପୂର୍ବରୁ ସରକାର ମଣ୍ଡି ବା ସଂଗ୍ରହ କେନ୍ଦ୍ର ମାଧ୍ୟମରେ ଧାନ ସଂଗ୍ରହ କରିଆସୁଥିଲେ, କିନ୍ତୁ ଏଥିରେ କେତେକ ସମସ୍ୟା ରହିଛି । କୃଷି ଉପରେ ନିର୍ଭର କରୁଥିବା ଓଡ଼ିଶାର ୯୦ ଭାଗ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ଚାଷୀ ପରିବାର ଅନ୍ୟର ଜମି ଭାଗ ନେଇ ଚାଷ କାର୍ଯ୍ୟ କରୁଛନ୍ତି । କାରଣ ଗ୍ରାମାଞ୍ଚଳର କୃଷକ ଆଜି କୃଷିକାର୍ଯ୍ୟ ଛାଡ଼ି ସାରିଥିବା ବେଳେ ବିଗତ ଦିନର କୃଷି ଶ୍ରମିକଗଣ ଏବେ