ପୃଷ୍ଠା:Jati, Jagruti o Pragati.pdf/103

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


୧୦୪ / ଜାତି, ଜାଗୃତି ଓ ପ୍ରଗତି
କୃଷକ ସାଜିଛନ୍ତି । ଅଥଚ ଏମାନଙ୍କ ନିକଟରେ ଚାଷଜମି ସମ୍ବନ୍ଧୀୟ କୌଣସି ଅଧିକାର ପତ୍ର ନ ଥିବାରୁ ସରକାର ପ୍ରଦତ୍ତ ବିଭିନ୍ନ ଋଣ କିମ୍ବା ସବ୍‌ସିଡି ପାଇପାରୁନାହାନ୍ତି । ଏପରିକି ଧାନସଂଗ୍ରହ କେନ୍ଦ୍ରରେ ସଂଖ୍ୟାଧିକ ଭାଗଚାଷୀମାନେ ଉତ୍ପାଦିତ ଶସ୍ୟ ବିକ୍ରିପାଇଁ ନିଜ ଚାଷଜମିର ପଟ୍ଟାପାଉତି ଦେଖାଇପାରୁ ନ ଥିବାରୁ ଶସ୍ୟ ବିକ୍ରି କରିପାରୁନାହାନ୍ତି । ଏଥିସହିତ ସଂଗ୍ରହକେନ୍ଦ୍ରରେ ଧାନ ଦେଲେ କୃଷକକୁ ଟଙ୍କା ଚେକ୍ ଆକାରରେ ମିଳିବ ଓ ଟଙ୍କା ପାଇବାକୁ ହେଲେ ବ୍ୟାଙ୍କରେ ଖାତା ଖୋଲିବାକୁ ପଡିବ । ଚେକ୍ ଟଙ୍କା ହୋଇ ଫେରିବାକୁ ଅନ୍ୟୁନ ୧୫ ଦିନ ଲାଗିଯାଇପାରେ । ଚାଷୀ ଧାନ ବିକ୍ରି ଟଙ୍କାରେ ଧାର କରିଥିବା ପଇସା ଶୁଝି ଶୀଘ୍ର ଋଣମୁକ୍ତ ହେବାକୁ ଚାହୁଁଥିବାରୁ ତଥା ଅନ୍ୟାନ୍ୟ ଖର୍ଚ୍ଚପାଇଁ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ଗ୍ରାମ ବେପାରୀକୁ ଅଳ୍ପ ମୂଲ୍ୟରେ ଧାନ ବିକି ତୁରନ୍ତ ଧାନ ବ୍ୟବସାୟୀଙ୍କଠାରୁ ପଇସା ପାଇବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତେଣୁ ସରକାରୀ ଯୋଜନା ଯୋଜନାରେ ହିଁ ରହିଯାଉଛି ।

ଏଥର ଉତ୍ପାଦିତ ଶସ୍ୟର ମୂଲ୍ୟ ସମ୍ପର୍କରେ ଆଲୋଚନା କରିବା । ଓଡ଼ିଶାର ବର୍ତ୍ତମାନ ତିନୋଟି ମୁଖ୍ୟ ଫସଲ ଯଥା-ଧାନ, କପା ଓ ଝୋଟ । ୨୦୦୨-୦୩ ବର୍ଷ ବେଳକୁ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୫୩୦ ଟଙ୍କା ଥିଲାବେଳେ, ଗ୍ରେଡ୍ ‘ଏ’ ଧାନ ୫୬୦ ଟଙ୍କା ଥିଲା । ୨୦୦୮-୦୯ରେ ସରକାର ଏହି ସର୍ବନିମ୍ନ ସହାୟକ ମୂଲ୍ୟର ପରିମାଣ ବଢ଼ାଇ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୮୫୦ଟଙ୍କା ଧାର୍ଯ୍ୟ କରିଥିଲା ବେଳେ ଗ୍ରେଡ୍ ‘ଏ’ ଧାନ କ୍ୱିଣ୍ଟାଲ ପିଛା ୮୮୦ଟଙ୍କା ଧାର୍ଯ୍ୟ କରିଛନ୍ତି ।

ସେହିଭଳି କପାର ସର୍ବନିମ୍ନ ସହାୟକ ମୂଲ୍ୟ ଭାବରେ ୨୦୦୭-୦୮ ମସିହାରେ ମଧ୍ୟମ ଧରଣର କପାପାଇଁ ୧୮୦୦ ଟଙ୍କା ଥିଲାବେଳେ, ଏ ବର୍ଷ ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଗତବର୍ଷ ଉନ୍ନତ ଧରଣର କପାର କ୍ୱିଣ୍ଟାଲ ପିଛା ମୂଲ୍ୟ ୩ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି, ମାତ୍ର କପାର ମୂଲ୍ୟ ବୃଦ୍ଧି ହେଉଥିବାବେଳେ, କପାପାଇଁ ବ୍ୟବହୃତ ଚାଷଜମିରୁ ୧୩ ହଜାର ହେକ୍ଟର କମିଯାଇଛି ।

ଝୋଟ କ୍ଷେତ୍ରରେ ଅବସ୍ଥା ମଧ୍ୟ ତଦୃପ । ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷ କ୍ୱିଣ୍ଟାଲ ପିଛା ୧୦୫୫ ଟଙ୍କା ଥିଲାବେଳେ, ଏ ବର୍ଷ କ୍ୱିଣ୍ଟାଲ ପିଛା ୧୨୫୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି ।

ସରକାର ୨୦୦୩-୦୪ ବର୍ଷ ତୁଳନାରେ ୨୦୦୭-୦୮ ବେଳକୁ ଧାନ କ୍ୱିଣ୍ଟାଲ ପିଛା ମାତ୍ର ୯୫ ଟଙ୍କା ବଢ଼ାଇଥିଲା ବେଳେ, ଝୋଟ କ୍ୱିଣ୍ଟାଲ ପିଛା ୧୯୫, ଗହମ କ୍ୱିଣ୍ଟାଲ ପିଛା ୭୦ଟଙ୍କା, କପା କ୍ୱିଣ୍ଟାଲ ପିଛା ୭୫ଟଙ୍କା ବଢ଼ାଇଥିଲେ । କିନ୍ତୁ ଏହିବର୍ଷ ଗତବର୍ଷ ତୁଳନାରେ ଅଧିକ ଟଙ୍କା ବଢ଼ିଛି । ଏହି ମୂଲ୍ୟ କୃଷକ ସମୁଦାୟ ପ୍ରତି ଉଚିତ୍ ମୂଲ୍ୟ ଭାବେ ପରିଗଣିତ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।