ପୃଷ୍ଠା:Jati, Jagruti o Pragati.pdf/105

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


୧୦୬ / ଜାତି, ଜାଗୃତି ଓ ପ୍ରଗତି

ଏ ସ୍ୱାଧୀନତା କାହାପାଇଁ...?

କୁହାଯାଏ ଭାରତ ହେଉଛି କୃଷିପ୍ରଧାନ ଦେଶ । ବିଶ୍ୱର ଏହି ଏକମାତ୍ର ଉପମହାଦ୍ୱୀପର ଜଳବାୟୁ ଫସଲ ଉତ୍ପାଦନପାଇଁ ଅନୁକୂଳ ଥିବାରୁ ଏଠିକାର ଅଧିବାସୀ କୃଷିକୁ ହିଁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଆସୁଛନ୍ତି । ଫଳରେ କେଉଁ ପ୍ରାଚୀନକାଳର ଭାରତର ସମୃଦ୍ଧ ଅର୍ଥନୀତିରେ କୃଷିର ବଡ଼ ଭାଗ ରହିଛି । ଏପରିକି କୃଷିକୁ ନେଇ ଅତୀତ ଭାରତର ଶିଳ୍ପ ଗଢ଼ି ଉଠିଥଲାବୋଲି ବିଭିନ୍ନ ସ୍ଥାନରୁ ମିଳଥିବା ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡିଛ । ଏହି କୃଷିକୁ ନେଇ ଆମ ଗ୍ରାମଜୀବନ ଓ ଗ୍ରାମ ସଂସ୍କୃତି ମଧ୍ୟ ସୁଦୃଢ଼ ହୋଇଛି । ସେଇଥିପାଇଁ ମହାତ୍ମାଗାନ୍ଧୀ କହିଥିଲେ-“ଭାରତବର୍ଷ ଗାଁ’ରେ ବଞ୍ଚିଛି ।”

ମାତ୍ର ଇଂରେଜ ଶାସନ କାଳରେ ଇଂରେଜ ବେପାରୀଙ୍କ କୃଷକମାରଣ ନୀତି ତଥା ଶୋଷଣ ଚରମସୀମାରେ ପହଞ୍ଚି ଯାଇଥିବାରୁ ଭାରତବର୍ଷରେ କୃଷିର ଭୂମିକା ଧୀରେ ଧୀରେ କମିବାରେ ଲାଗିଲା । ଏହି ଶୋଷକ ବିଦେଶୀମାନଙ୍କଠାରୁ ମୁକ୍ତ ହେବାପରେ, ଅର୍ଥାତ୍ ଭାରତବର୍ଷ ସ୍ୱାଧୀନତା ହାସଲ କଲାପରେ ପୁଣି ଭାରତର କୃଷି ବ୍ୟବସ୍ଥା ପୂର୍ବସ୍ଥାନ ଫେରିପାଇବ ବୋଲି ତତ୍କାଳୀନ ଜାତୀୟ ନେତୃବୃନ୍ଦଙ୍କଠାରୁ ଆଶା କରାଯାଉଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଆମ ନୀତିନିର୍ଦ୍ଧାରକଗଣଙ୍କ ଖାମଖିଆଲି ମନୋଭାବ, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା କୃଷି ଅଧିକାରୀଙ୍କ ଦୂର୍ନୀତିଯୋଗୁଁ ଆମ ଭାରତୀୟକୃଷି ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ମୁହାଁଇଛି । ସବୁଠାରୁ ଦୁର୍ଭାଗ୍ୟର କଥା ଯେ ଦେଶର ଏକଶହ ଦଶକୋଟି ଜନତାଙ୍କୁ ଖାଦ୍ୟ ଯୋଗାଉଥିବା ଏହି ବୃହତଗୋଷ୍ଠୀ ଚିର ଅବହେଳିତ ହୋଇ ଦାରିଦ୍ର୍ୟରେ କାଳ କାଟୁଥିବାବେଳେ, ଏମାନଙ୍କ ମଧ୍ୟରୁ ଅନେକ ମଣିଷ ଭାବରେ ବଞ୍ଚି ନ ପାରିବା- ଦୁଃଖରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।