ପୃଷ୍ଠା:Jati, Jagruti o Pragati.pdf/106

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଜାତି, ଜାଗୃତି ଓ ପ୍ରଗତି / ୧୦୭
ଏଠାରେ ପ୍ରଶ୍ନ ଉଠେ ଯେ, ଇଂରେଜ ଶାସନର ଅତ୍ୟାଚାର ବିରୁଦ୍ଧରେ ସଂଘବଦ୍ଧ ଭାବରେ ସଂଗ୍ରାମ କରି ସ୍ୱାଧୀନତା ହାସଲରେ ମୁଖ୍ୟ ଭୂମିକା ନେଇଥିବା ଆମ ଦେଶର କୃଷକମାନେ, ଯଦି ବିକାଶ ଆଡ଼କୁ ଗତି କରୁଥିବା ଭାରତବର୍ଷରେ ଅଭାବ ଅନଟନ ମଧ୍ୟରେ ଆତ୍ମହତ୍ୟାକୁ ଏକମାତ୍ର ପଥ ଭାବରେ ଗ୍ରହଣ କରିବେ, ତେବେ ଆମେ ସ୍ୱାଧୀନ ହୋଇଛେ ବୋଲି ଯେଉଁ ଗର୍ବ କରୁଛୁ, ତାହା କେଉଁମାନଙ୍କ ପାଇଁ? କ’ଣ ହାତଗଣତି କେତେଜଣ ପୁଞ୍ଜିପତିଙ୍କପାଇଁ ନା ଶାସନ ନାମରେ କେତେକ ଟାଉଟର ନେତା ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କପାଇଁ, ଯେଉଁମାନେ କର ଆକାରରେ ଯାଉଥିବା ଏହି ସାଧାରଣବର୍ଗଙ୍କ ଝାଳବୁହା ଧନକୁ ଲୁଟ୍ କରି ଖାଇବାରେ ଲାଗିଛନ୍ତି । ତେବେ ଏ ସ୍ୱାଧୀନତା କାହାପାଇଁ?

ନିକଟରେ “ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ”ର ୨୦୦୭ ମସିହା ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ପ୍ରତିିଦିନ ୪୬ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ସରକାରୀ କଳର ଅପାରଗତାକୁ ପରୋକ୍ଷ ଭାବରେ ସୂଚୀତ କରିବା ସହ, ବର୍ତ୍ତମାନ ଭାରତରେ କୃଷକଗଣ କିପରି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି, ସେକଥା ଏହି ରିପୋର୍ଟ ଜଣାଇ ଦେଉଛି । ରିପୋର୍ଟ ଅନୁସାରେ ଗତ ୨୦୦୭ ମସିହାରେ ମୋଟ୍ ୧୬,୬୩୨ ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏଥିମଧ୍ୟରୁ ୨,୩୬୯ଜଣ ମହିଳା କୃଷକ ଅଛନ୍ତି । ଅର୍ଥାତ୍ ଏହି ବର୍ଷ ଆତ୍ମହତ୍ୟା କରିଥିବା ମୋଟ୍ ୧ଲକ୍ଷ ୨୨ ହଜାର ୬୩୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୬.୬୩୨ ଜଣ କୃଷକ, ଯାହାକି ମୋଟ ଆତ୍ମହତ୍ୟାର ୧୪.୪ଭାଗ । ପୁଣି କୃଷକମାନଙ୍କଠାରେ ଏହି ଆତ୍ମହତ୍ୟା ପ୍ରବଣତା ଦେଶର ୭ଟି ପ୍ରମୁଖ କୃଷିରାଜ୍ୟ-ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଶ୍ଚିମବଙ୍ଗରେ ବୃଦ୍ଧି ପାଉଛି । ଅର୍ଥାତ୍ ଏଠାରେ ଆତ୍ମହତ୍ୟା ସଂଖ୍ୟା ୧୦୦୦ରୁ ଅଧିକ । ତେବେ ଦୁଃଖର ବିଷୟ ଏହି ଯେ, ୨୦୦୬ ମସିହାରେ ୨୧୫ଜଣ କୃଷକ ମହାରାଷ୍ଟ୍ର ରାଜ୍ୟରେ ଆତ୍ମହତ୍ୟା କରିଥିବା ବେଳେ ୨୦୦୭ରେ ୪,୨୩୮ଜଣ କୃଷକ ଏହି ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ।

ଓଡ଼ିଶା ଏ କ୍ଷେତ୍ରରେ ବି ପଛରେ ପଡ଼ିନାହିଁ । ଓଡ଼ିଶାରୁ ୨୦୦୬ ମସିହାରେ ୨୮୩ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଏଥିମଧ୍ୟରେ ୨୪୧ଜଣ ପୁରୁଷ ଓ ୪୨ଜଣ ମହିଳା ଅନ୍ତର୍ଭୁକ୍ତ । ତେବେ ଗରିବ ଓ ବିଶୃଙ୍ଖଳା ରାଜ୍ୟ ଭାବେ ଚିହ୍ନିତ ଉତ୍ତରପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ତଥା ଗୋଆ ରାଜ୍ୟରେ କୌଣସି କୃଷକ ଆତ୍ମହତ୍ୟା କରିନାହାନ୍ତି ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି । ସେହିପରି ବିଭିନ୍ନ ସହରରେ