ପୃଷ୍ଠା:Jati, Jagruti o Pragati.pdf/112

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୧୩
ଅଂଶଗ୍ରହଣ କରିବାକୁ ଆସିଥିବା ଧାରବୀ ବସ୍ତିର ଏକ ଗରିବ ବାଳକର ଜୀବନରେ ଘଟିଯାଇଥିବା ବିଭିନ୍ନ ଘଟଣା ସହିତ ଏଠାରେ ପଚରା ଯାଉଥିବା ପ୍ରଶ୍ନଗୁଡ଼ିକର ସହ ସାମଞ୍ଜସ୍ୟ ଥିବାରୁ, ସଠିକ୍ ଉତ୍ତର ପ୍ରଦାନ‌ଦ୍ୱାରା ଯେତେବେଳେ ସେହି ବାଳକଟି ଏକକୋଟି ଟଙ୍କାର ମାଲିକ ହେବାକୁ ଯାଉଛି; ସେତେବେଳେ ସହ୍ୟ କରିପାରିନାହିଁ ଆମ ସମାଜର ଉଚ୍ଚବର୍ଗ । ଫଳରେ ତା’ର ଗୋଡ଼ ଟାଣିବାକୁ ପ୍ରାଣପଣେ ପ୍ରୟାସ କରିଛନ୍ତି । ମାତ୍ର ଆମ ସମାଜରେ ଭଲ ଲୋକ ମଧ୍ୟ ବହୁତ ଅଛନ୍ତି । ଶେଷରେ ସେ ଜିତେ ଆଉ ଜିତେ । ଏପରିକି ଫିଲ୍ମାଙ୍କନ ପରେ ମଧ୍ୟ ଚଳଚ୍ଚିତ୍ର ରୂପରେ ସମଗ୍ର ବିଶ୍ୱବାସୀଙ୍କ ମନ ଜିଣିପାରିଥିବାରୁ ଏହା ଖୁବ୍ ଅଳ୍ପଦିନ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ପାଇପାରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ସମାଜରେ ଜାତି ଓ ଅର୍ଥନୀତି ଦୃଷ୍ଟିରୁ ନିମ୍ନଭାଗରେ ଜୀବନଧାରଣ କରୁଥିବା ବ୍ୟକ୍ତିଙ୍କ ସଫଳତାକୁ ଉଚ୍ଚଜାତି ବା ଧନୀକଗଣ ସହଜରେ ଗ୍ରହଣ କରିପାରନ୍ତିନାହିଁ । ଫଳରେ ନିଜର ଜ୍ଞାନଗାରିମା ଥିଲେ ମଧ୍ୟ ଏହି ନିମ୍ନଶ୍ରେଣୀର ଅବୋଧ ବାଳକମାନଙ୍କର ସ୍ୱପ୍ନ ପୂରଣ ହୋଇପାରେନାହିଁ । ଏହାର ଦୃଷ୍ଟାନ୍ତ କେବଳ ମୁମ୍ବାଇର ଧାରବୀ ବସ୍ତି ନୁହେଁ, ବରଂ ଭାରତର ଛୋଟବଡ଼ ସହରମାନଙ୍କରେ ଗଢ଼ିଉଠିଥିବା ଗ୍ରାମ୍ୟ ସଭ୍ୟତା (ଆଧୁନିକ ଅର୍ଥରେ କହିଲେ ବସ୍ତି’)ରେ ଦେଖିବାକୁ ମିଳିବ । ଆମ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ପ୍ରତିଭାକୁ ନିକଟରେ ହତ୍ୟା କରାଯାଇଛି । ଭୁବନେଶ୍ୱରସ୍ଥ ସାଲିଆସାହି ବସ୍ତିରେ ବାସ କରୁଥିବା ଏକ ଆଦିବାସୀ ପୁଅ ବୁଦ୍ଧିଆ ସିଂହ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଯାଇଥିଲା ନିଜର ଏହି ଅଲୌକିକ ପ୍ରତିଭା ଯୋଗୁଁ । ମାତ୍ର ଖୁବ୍ ଅଳ୍ପଦିନ ଭିତରେ ଏହି ପ୍ରତିଭାକୁ ହତ୍ୟା କରନ୍ତି ଆମ ସମାଜର ମଙ୍ଗୁଆଳଗଣ । ଦୁଇବର୍ଷ ବିତିଗଲା, ଆଉ ଚର୍ଚ୍ଚାକୁ ଆସୁନାହିଁ ବୁଦ୍ଧିଆ ସିଂହ, ଚର୍ଚ୍ଚିତ ହେଉନାହିଁ ଓଡ଼ିଶା ।

ଏହିଭଳି ଦୈନିକ ଅସଂଖ୍ୟ ବୁଦ୍ଧିଆ ଭଳି ପ୍ରତିଭା ଅକାଳରେ ଝରିପଡୁଛନ୍ତି । ସେମାନେ ବାଧ୍ୟ ହେଉଛନ୍ତି ଜରି ଗୋଟାଇବାକୁ, ଚାହାଗ୍ଲାସ୍ ଧୋଇବାକୁ, ହୋଟେଲର ଅଇଁଠା ଖାଦ୍ୟ ଖାଇବାକୁ କିମ୍ବା ନିଜ ମାଆଭଉଣୀଙ୍କ ଦେହବିକ୍ରିରେ ଦଲାଲ ସାଜିବାକୁ ।

ଏହାଠାରୁବଳି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ଚଳଚ୍ଚିତ୍ର ପୁରସ୍କାର ପାଇବାପରେ ଏବେ ବିଦେଶରେ ରହୁଥିବା ଭାରତୀୟଙ୍କଠାରେ ଆତ୍ମସମ୍ମାନ ସଂପର୍କରେ ଭାଳେଣି ପଡ଼ିଲାଣି । ଆମେରିକାରେ ପ୍ରତିଷ୍ଠିତ ଭାରତୀୟମାନଙ୍କୁ ସ୍ଲମ୍ ଡଗ୍ ବୋଲି ଡାକିବା ଆରମ୍ଭ କଲେଣି ସେଠାକାର ଆମେରିକୀୟଗଣ । ଏଥିପାଇଁ ଲଜ୍ଜାରେ ମୁଣ୍ଡତଳକୁ କରି ଗାଳି ଶୁଣିବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ ଏବଂ ବହୁ ପ୍ରବାସୀ ଭାରତୀୟ କ୍ଷୋଭ ପ୍ରକାଶ କଲେଣି । ଭବିଷ୍ୟତରେ