ପୃଷ୍ଠା:Jati, Jagruti o Pragati.pdf/113

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୧୪ / ଜାତି, ଜାଗୃତି ଓ ପ୍ରଗତି
ଏପରି ଆହୁରି ମଧ୍ୟ ଅଭିଯୋଗ ଆସିବ । ଖାଇବାକୁ ପାଉ ନ ଥିବା ତଥା ବୁଲାକୁକୁର ଭଳି ଜୀବନଯାପନ କରୁଥିବା ଭାରତୀୟଙ୍କପାଇଁ ବିଦେଶରେ ଆମର ଏହି ଉଚ୍ଚଶିକ୍ଷିତଙ୍କୁ ଅପମାନିତ କରାଯିବା ଯେକୌଣସି ସଭ୍ୟ ରାଷ୍ଟ୍ରପାଇଁ ଅଶୋଭନୀୟ । ମାତ୍ର ଅନ୍ୟ ଦୃଷ୍ଟିକୋଣରୁ ଦେଖିଲେ, ଏହି ପ୍ରବାସୀ ଭାରତୀୟଙ୍କୁ ଅପମାନିତ କରିବା ଉଚିତ ମଧ୍ୟ । କାରଣ ଏହି ଗୋଷ୍ଠୀ କୌଣସି ବସ୍ତି ବା ଗ୍ରାମାଞ୍ଚଳର ଗରିବ ପରିବାରରୁ ଆସିନାହାନ୍ତି । ଏମାନେ ହେଉଛନ୍ତି ଗ୍ରାମ ତଥା ସହରର ପ୍ରତିଷ୍ଠିତ ଧନୀମାନଙ୍କର ଅଲିଅଳ ସନ୍ତାନ । ଯେଉଁମାନଙ୍କ ପିତାମାତା ଏହି ଗରିବମାନଙ୍କ ଧନକୁ ଶୋଷଣ କରି ବିଳାସ ଓ ଉଚ୍ଚଶିକ୍ଷା ନାମରେ ନିଜର ଅଲିଅଳ ସନ୍ତାନମାନଙ୍କୁ ବିଦେଶକୁ ପଠାନ୍ତି । ଆଉ କେତେକ ମେଧାବୀ ଡାକ୍ତର, ଇଂଜିନିୟର, ବୈଜ୍ଞାନିକଗଣ ନିଜ ଜ୍ଞାନ ଗାରିମାକୁ ପ୍ରୟୋଗ କରି ଭାରତର ଗୌରବ ବୃଦ୍ଧି କରିବା ପରିବର୍ତ୍ତେ ଅର୍ଥଲାଳସାରେ ସ୍ୱଭୂମିକୁ ଛାଡ଼ି ବିଦେଶକୁ ଚାଲିଯାଆନ୍ତି । ଆଉ ପଛକୁ ଫେରିଚାହାନ୍ତି ନାହିଁ । ଏମାନେ ଗଲାବେଳେ ଚିନ୍ତା କରନ୍ତିନାହିଁ ଯେ, ଯେଉଁ ଦେଶର ଅସଂଖ୍ୟ ଗରିବ ନିରନ୍ନ-ଜନତାଙ୍କ ପ୍ରଦତ୍ତ କରରୁ ସରକାର ଜଣପିଛା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଡାକ୍ତର, ଇଂଜିନିୟର କିମ୍ବା ବୈଜ୍ଞାନିକଟିଏ କରି ଗଢ଼ି ତୋଳିଛି, ସେହି ଦେଶର ଭୋକ-ରୋଗରେ ଆଉଟୁପାଉଟୁ ହେଉଥିବା ଅଭାବୀ ମଣିଷର ସେବା କରିବାପାଇଁ; ସେମାନେ କିନ୍ତୁ ଦେଶର ଏହି ମହାନ୍ ମନ୍ତ୍ରକୁ ଆଡ଼ଆଖି କରିଦେଇ ବିଦେଶକୁ ଚାଲିଯାଆନ୍ତି । ସେଠାରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବଞ୍ଚିରହି ଧଳାଚମଡ଼ାଧାରୀଙ୍କ ଗୁହମୂତ ସଫା କରିବାସହ ଆକାଶକୁ ଛୁଇଁଥିବା ବିଶାଳ କୋଠାଘରର ଶୀତତାପ ନିୟନ୍ତ୍ରିତ ଘରେ ସେମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ ଗୌରବ ବୋଲି ମନେ କରନ୍ତି । ଏପରିକି ଗତବର୍ଷ ପ୍ରାୟ ୨୦୦୦ ଡାକ୍ତରଙ୍କୁ ବ୍ରିଟିଶ୍ ସରକାର ତଡ଼ି ବାହାର କରିଦେଲେ ମଧ୍ୟ ଏମାନେ କୁକୁରଙ୍କ ଭଳି ପ୍ରବାସୀ ଭାରତୀୟଙ୍କ ଦାନରେ ଚଳୁଥିବା ମନ୍ଦିରମାନଙ୍କରେ ଦୀର୍ଘଦୀନ ଧରି ବ୍ରିଟିଶବାସୀଙ୍କ ଅନୁଗ୍ରହ ପାଇବାପାଇଁ ପଡ଼ି ରହିଥିଲେ । ଅଥଚ ଭାରତଭୂଇଁଙ୍କୁ ଫେରିଆସି ଗରିବ ଅସହାୟଙ୍କ ଚିକିତ୍ସା କରିବାକୁ ଆଗ୍ରହୀ ହେଲେନାହିଁ । ଯେଉଁ ଦେଶର ସନ୍ତାନଗଣଙ୍କୁ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାପି ଗରିୟସୀ” ଶିକ୍ଷା ପିଲାଟିବେଳୁ ଦିଆଯାଇ ‘ମାଆ ଓ ମାଟି’ ପ୍ରତି ନିଜ କର୍ତ୍ତବ୍ୟବୋଧକୁ ସୂଚାଇ ଦିଆଯାଉଛି, ସେହି ମାଟିର ଉଚ୍ଚଶିକ୍ଷିତ ସନ୍ତାନଙ୍କର ଏଭଳି ମାନସିକତା ଗୋଟିଏ ଜାତିର ଅଧଃପତନକୁ ହିଁ ସୂଚାଇଥାଏ । ନିଜ ଦେଶରେ ରାଜା ହେବା ଅପେକ୍ଷା ଅନ୍ୟ ଦେଶରେ ଶ୍ରମିକ ହେବାକୁ ଭଲପାଉଥିବା ଏହି ଉଚ୍ଚଶିକ୍ଷିତବର୍ଗ ଏପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ଯେ, ସ୍ୱାଧୀନତାର ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରାକୃତିକ ସଂପଦଭରା ଭାରତବର୍ଷରେ ଆଜି କାହିଁକି ଏଭଳି ବଡ଼ବଡ଼ ବସ୍ତି ଗଢ଼ି ଉଠିଛି? କାହିଁକି ଭାରତର ଆତ୍ମାଥିବା ଗ୍ରାମାଞ୍ଚଳର