ପୃଷ୍ଠା:Jati, Jagruti o Pragati.pdf/116

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଜାତି, ଜାଗୃତି ଓ ପ୍ରଗତି / ୧୧୭

ଆଜି ମନରେ ପ୍ରଶ୍ନ ଉଠେ, ସତରେ କ’ଣ ଭାରତରତ୍ନ ହେବାପାଇଁ ସ୍ୱାଭିମାନୀ ଓଡ଼ିଆ ଜାତିର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଯୋଗ୍ୟତା ନାହିଁ? ସେ କ’ଣ ତାମିଲ ଅଭିନେତା ଏମ୍.ଜି. ରାମଚନ୍ଦ୍ରନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିତ୍ୱଠାରୁ ବହୁ ନିମ୍ନରେ! ଜୀବନବ୍ୟାପୀ ସଂଗ୍ରାମରେ ବିଜୁବାବୁ କ’ଣ ପରାଧୀନ ଭାରତକୁ ଏକ ସ୍ୱାଧୀନ ଗଣତାନ୍ତ୍ରିକ ସଂଘୀୟ ରାଷ୍ଟ୍ର ଗଠନ କରିବାରେ କୌଣସି ଭୂମିକା ନେଇ ନ ଥିଲେ? ସ୍ୱାଧୀନ ଭାରତବର୍ଷର ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ତାଙ୍କର କ’ଣ କିଛି ଅବଦାନ ନ ଥିଲା? ଇଂରେଜ ଚାଲିଗଲା ପରେ ଦାରିଦ୍ର୍ୟର ବୋଝ ଛାଡ଼ି ଚାଲିଯାଇଥିବା ଏହି ଭାରତବର୍ଷର ସାମଗ୍ରିକ ବିକାଶପାଇଁ କ’ଣ ଆମର ପ୍ରିୟ ବିଜୁବାବୁ କିଛି କରି ନ ଥିଲେ? ବିଶ୍ୱଦୃଷ୍ଟିରେ ଭାରତର ପାରିବାପଣିଆକୁ ଜାହିର କରିବାରେ କ’ଣ ତାଙ୍କର କୌଣସି ଭୂମିକା ନ ଥିଲା? ଯଦି ନ ଥିଲା, ତେବେ ଆମେ ସବୁ ଯାହା ତାଙ୍କ ବିଷୟରେ ପଢ଼ୁଛୁ ଓ ଶୁଣୁଛୁ ତାହା କ’ଣ ମିଛ?

ଓଡ଼ଆ ଜାତିର ଜନନାୟକ ବିଜୁ ପଟ୍ଟନାୟକ ହେଉଛନ୍ତି ଭାରତମାତାର ଏପରି ଏକ ସୁଯୋଗ୍ୟ ସନ୍ତାନ, ଯିଏ ଦେଶର ସମ୍ମାନକୁ ବିଶ୍ୱସ୍ତରରେ ସମୃଦ୍ଧ କରାଇପାରିଥିଲେ । ଭାରତର ତ‌ତ୍କାଳୀନ ବଡ଼ଲାଟ ଲର୍ଡ ୱେଭେଲଙ୍କ ମୁଖ୍ୟ ବିମାନ ଚାଳକ ଭଳି ସମ୍ବେଦନଶୀଳ ପଦବୀରେ ଥାଇ ମଧ୍ୟ; ଏହାର ସୁଯୋଗ ନେଇ ତ‌ତ୍କାଳୀନ ଯୁବ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ, ଅଶୋକ ମେହେଟ୍ଟା, ଅରୁଣା ଆସିଫଅଲ୍ଲୀ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ରାମମନୋହର ଲୋହିଆ, ସୁଚେତା କୃପାଳିନୀ, ଛୋଟୁଭାଇ ପୁରାନିକ୍ ଭଳି ଅନେକ ନେତାଙ୍କୁ ଗୁପ୍ତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ନେଇ ପହଞ୍ଚାଇବା ସହିତ ଗୁପ୍ତ ତଥ୍ୟ, ଅର୍ଥ ଓ କାଗଜପତ୍ର ପଠାଉଥିଲେ । ସରକାରୀ ଚାକିରିରେ ଥାଇ ସରକାରଙ୍କ ଯାନରେ ସରକାର ବିରୁଦ୍ଧରେ ଏଭଳି ଦୁଃସାହସିକ କାର୍ଯ୍ୟ କରିବା କ୍ଷେତ୍ରରେ ବୋଧହୁଏ ତ‌ତ୍କାଳୀନ ସମୟରେ ଏକମାତ୍ର ବ୍ୟକ୍ତି ଥିଲେ ବିଜୁବାବୁ । ଶେଷରେ ଧରାପଡି ୨୩ ଜାନୁଆରୀ ୧୯୪୩ ଠାରୁ ୧୯୪୫ ମସିହା ପର୍ଯ୍ୟନ୍ତ ୨ ବର୍ଷ ଲାହୋର ଜେଲରେ ବନ୍ଦୀ ହେଲେ ।

କେବଳ ସେତିକି ନୁହେଁ, ବିଜୁ ପଟ୍ଟନାୟକଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ କେବଳ ଇତିହାସ ପାଲଟିନାହିଁ, ବରଂ ଲୋକ ପ୍ରବାଦରେ ପରିଣତ ହୋଇଯାଇଛି । ଯଦି ସେ ଦୁଃସାହସ କରି ନ ଥାନ୍ତେ, ତେବେ ଇଣ୍ଡୋନେସିଆ ସ୍ୱାଧୀନତା ପାଇପାରି ନ ଥାନ୍ତା, ଜାମ୍ମୁ କାଶ୍ମୀର ଆଜି ସଂପୂର୍ଣ୍ଣ ରୂପେ ପାକିସ୍ତାନ କବଳରେ ଥାଆନ୍ତା । ଭାରତ-ଚୀନ୍ ଯୁଦ୍ଧ ସମୟରେ ଉତ୍ତର-ପୂର୍ବ ହିମାଳୟର ବରଫାବୃତ ଉତ୍ତୁଙ୍ଗ ଶିଖରରେ ଲଢ଼େଇ କରୁଥିବା ଭାରତୀୟ ସୈନ୍ୟଗଣ ଗୁଳିଗୋଳା ଓ ଖାଦ୍ୟାଭାବଜନିତ ମୃତ୍ୟୁଲାଭ କରିଥା’ନ୍ତେ । ଏହି ଭୂଖଣ୍ଡ ଚୀନ୍ ଅଧିକାରରେ ଥା’ନ୍ତା ।