ପୃଷ୍ଠା:Jati, Jagruti o Pragati.pdf/120

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଜାତି, ଜାଗୃତି ଓ ପ୍ରଗତି / ୧୨୧

ଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ!

ଓଡ଼ିଶା ପରି ପ୍ରାକୃତିକ ସଂପଦରେ ପୂର୍ଣ୍ଣ ରାଜ୍ୟରେ ଦାଦନଯାତ୍ରା ଏକ ନିୟମିତ ପ୍ରକ୍ରିୟା । ବିଶେଷ କରି ଅତୀତରେ ଉପକୂଳ ଏବଂ ମଧ୍ୟ ଓଡ଼ିଶାରେ ଏହା ଏକ ସାଧାରଣ ଘଟଣା ଥିଲା । କାମଧନ୍ଦା ଅନ୍ୱେଷଣରେ ଏହିସବୁ ଅଞ୍ଚଳର ବହୁ ଲୋକ ଆଧୁନିକ ଶିଳ୍ପର ବିକାଶ ଫଳରେ ରେଙ୍ଗୁନ, କଲିକତା, ସୁରଟ ପରି ସହରକୁ ଚାଲିଯାଉଥିଲେ । ସେତେବେଳେ ଓଡ଼ିଶାର ଅର୍ଥନୀତି ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ଥିଲା କୃଷି ଉପରେ । ଯାହା ମାତ୍ର ୪ ମାସପାଇଁ କାମଧନ୍ଦା ଯୋଗାଇଦିଏ । ବାକି ଆଠମାସପାଇଁ ସହର ଉପରେ ନିର୍ଭର କରିବାକୁ ହୁଏ ଗରିବ ଓଡ଼ିଶାକୁ । ବ୍ୟାପକ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଧାନଚାଷ ପରେ ଜମି ପଡ଼ିଆ ପଡ଼ୁଥିବାରୁ, ସେଥିରେ ନିୟୋଜିତ କୃଷି ଶମିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ହାତ ବାନ୍ଧି ବସି ରହୁଥିଲେ । ନିଜ ଗାଁ’ରେ ବା ନିଜ ରାଜ୍ୟରେ ନିଯକ୍ତିର ଅନ୍ୟ ବିକଳ୍ପ ନ ଥିବାରୁ ପେଟ ପୋଷିବାପାଇଁ ଦେଶାନ୍ତରୀ ହେବା ଥିଲା ସେମାନଙ୍କର ଏକମାତ୍ର ପନ୍ଥା । ବିଶେଷ କରି ଯୁବକମାନେ ହିଁ ପରିବାରର ବୋଝମୁଣ୍ଡାଇ ପ୍ରବାସ ଯାତ୍ରା କରୁଥିଲେ । ମାତ୍ର ଏବେ ସମୟ ବଦଳିଛି । ଏ ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ।

ପୌଷ ପୂଣ୍ଣିର୍ମା ପରେ ପରେ ଆରମ୍ଭ ହୁଏ ଏହି ଦାଦନ ଯାତ୍ରା । ଭୋକିଲା ପେଟର ଆହ୍ୱାନ ସେମାନଙ୍କୁ ବାଧ୍ୟ କରେ ଦେଶାନ୍ତରୀ ହେବାକୁ । ଘରେ ତାଲା ପକାଇ, ପିଲାଛୁଆଙ୍କ ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅଳ୍ପକିଛି ସାମଗ୍ରୀ ସହ ସେମାନେ ଦଳ ଦଳ ହୋଇ ବାହାରନ୍ତି ଦାଦନ ଖଟିବାପାଇଁ । ଟ୍ରେନ୍ ସେମାନଙ୍କୁ ବୋହିନିଏ ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳ, କର୍ଣ୍ଣାଟକ ପରି ରାଜ୍ୟକୁ । ଜୀବନ ସଂଗ୍ରାମପାଇଁ ସେମାନେ ନିଜ ଘର, ଗାଁ’ ଭିଟାମାଟି ଛାଡ଼ି ଡେଇଁପଡ଼ନ୍ତି କେଉଁ ଏକ ଅନିଶ୍ଚିତ ଭବିଷ୍ୟତକୁ । ଯେଉଁଠାରୁ ଫେରିବାର କୌଣସି ବାଟ ନ ଥାଏ । ନ ଥାଏ ମଧ୍ୟ ସୁରକ୍ଷାର ଭରସା । ସେମାନଙ୍କ ଅନୁପସ୍ଥିତିରେ ଖାଁ ଖାଁ ଲାଗେ ଗାଁ’ଦାଣ୍ଡ- ଶୂନ୍ୟ ହୁଏ କୂଅ, ଚଉରା । ଗୋବରଲିପା ଘରର ମାଟିକାନ୍ଥ ଉପରେ ଠିଆ ହୁଏ ଉଈ ହୁଙ୍କା ।