ପୃଷ୍ଠା:Jati, Jagruti o Pragati.pdf/121

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


୧୨୨ / ଜାତି, ଜାଗୃତି ଓ ପ୍ରଗତି
ସାଧାରଣତଃ ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଡିସେମ୍ବର/ଜାନୁୟାରୀରୁ ବୃଦ୍ଧିପାଇ ମାର୍ଚ୍ଚ/ଏପ୍ରିଲ ଆଡ଼କୁ ଚରମ ସୀମାରେ ପହଞ୍ଚେ । ସେଇଥିପାଇଁ ଏଇ ଦୁଇମାସକୁ କୁହାଯାଏ ଶ୍ରମିକଚାଲାଣ ଋତୁ । ଏହି ସମୟରେ ପଶ୍ଚିମାଞ୍ଚଳର ରେଳଷ୍ଟେସନ୍‌ଗୁଡ଼ିକ ଭର୍ତ୍ତି ହୋଇଯାଏ ଏମାନଙ୍କ ଭିଡ଼ରେ । ମୁଖରିତ ହୋଇଉଠେ ପ୍ଲାଟଫର୍ମ । ଶୁଖିଲା ମୁହଁ, ଭୋକିଲା ପେଟରେ ଦୂରଗାମୀ ଟ୍ରେନ୍‌କୁ ଅପେକ୍ଷା କରି ବସି ରହିଥା’ନ୍ତି ଏହି ଉପେକ୍ଷିତ ମଣିଷମାନେ ।

ଅବିଭକ୍ତ କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର (କେବିକେ) ସମେତ ଅବିଭକ୍ତ ବୌଦ, ଫୁଲବାଣୀ, ସୁନ୍ଦରଗଡ଼, ସମ୍ବଲପୁର ପରି ଜିଲ୍ଲାର ବହୁଲୋକ ପେଟ ପୋଷିବାପାଇଁ ଅନ୍ୟ ରାଜ୍ୟର ଇଟାଭାଟି, ନିର୍ମାଣ ସଂସ୍ଥା କିମ୍ବା ନୂଆ କରି ମୁଣ୍ଡ ଟେକିଥିବା ଶିଳ୍ପାନୁଷ୍ଠାନରେ ନିଯୁକ୍ତିପାଇଁ ଚାଲିଯାଆନ୍ତି । ବିଶେଷକରି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲାର ସଦର ବ୍ଲକ୍ ସମେତ ଗୋଲାମୁଣ୍ଡା ଏବଂ ନୂଆପଡ଼ା ଜିଲ୍ଲାର କୋମନା, ଖରିଆର ତଥା ସିନାପାଲି ଅଞ୍ଚଳରେ ଶ୍ରମିକ ଚାଲାଣ ଏକ ସାଧାରଣ ଘଟଣା । ଗତ କିଛବିର୍ଷ ହେଲା ବରଗଡ଼ ପରି କୃଷି ସମୃଦ୍ଧ ଅଞ୍ଚଳରୁ ମଧ୍ୟ ଲୋକେ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖାଯାଉଛି । ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ପଶ୍ଚିମ ଓଡ଼ଶା ଏବେ ମ୍ରିୟମାଣ ଏଇ ଦାଦନ ଦୁଃଖରେ ।

ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲାରେ ସହସ୍ରାଧିକ ସଂଖ୍ୟାରେ ସକ୍ରିୟ ଥିବା ଶ୍ରମିକ ଦଲାଲମାନେ ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କେବଳ ବଲାଙ୍ଗୀର ଜିଲ୍ଲାରେ ପଞ୍ଜିକୃତ ଦଲାଲଙ୍କ ସଂଖ୍ୟା ୪ଶହରୁ ଅଧିକ । ଏମାନଙ୍କ ସହ ବିନା ପଞ୍ଜିକରଣରେ ମଧ୍ୟ ବହୁ ଦଲାଲ ବାହାରକୁ ଶ୍ରମିକ ଚାଲାଣ କରନ୍ତି । ଏମାନେ ପ୍ରଥମେ ଗାଁ’ ଗାଁ’ ବୁଲି ଦରିଦ୍ର ପରିବାରଗୁଡକୁ ଠାବ କରନ୍ତି । ତା’ ପରେ ବେଳଉଣ୍ଡି ସେମାନଙ୍କୁ ମୋଟା ମଜୁରି, ଉପଯୁକ୍ତ ଆଶ୍ରୟ, ଚିକତ୍ସା ସୁବିଧା ପ୍ରଭୃତି ବହୁ ଲୋଭନୀୟ ଆଶ୍ୱାସନା (ମାତ୍ର ଅନେକ କ୍ଷେତ୍ରରେ ସେଗୁଡକ ମିଥ୍ୟା ଓ ପ୍ରତାରଣା ପ୍ରମାଣିତ ହୁଏ) ଦେଇ ଅଗ୍ରୀମ ବାବଦକୁ ଆଗତୁରା କିଛି ଟଙ୍କା ଦେଇଦିଅନ୍ତି । ଶ୍ରମିକ ଜଣକ ଅଗ୍ରୀମ ଗ୍ରହଣ କରିସାରିଲା ପରେ ତା’ର ଆଉ ମୁକୁଳିବାର ଯୁ’ ନ ଥାଏ । ନିଜ ଗାଁ, ନିଜ ରାଜ୍ୟଠାରୁ ହଜାର ହଜାର କିଲୋମିଟର ଦୂରରେ, ସେହି ଅଜଣା ମାଟିରେ ନିଜର ବୋଲି ସେମାନଙ୍କର କେହି ନ ଥାନ୍ତି । ଏକମାତ୍ର ନିଯୁକ୍ତିଦାତା ହିଁ ସେମାନଙ୍କର ଭାଗ୍ୟବିଧାତା । କମ୍ ମଜୁରି ଦେଇ ଗଧ ପରି ସେମାନଙ୍କୁ ଖଟାଯାଏ । କୌଣସି ସୀମା ନ ଥାଏ ନିର୍ଦ୍ଧାରିତ କାମ ବା ସମୟର । ଅଗ୍ରୀମ ଟଙ୍କା ନେଇଥିବାରୁ ସେମାନେ କାମ ଛାଡ଼ିପାରନ୍ତି ନାହିଁ । କାରଣ କର୍ମକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଉକ୍ତ ଟଙ୍କାର ବହୁଳ ଅଂଶ ସେମାନେ ଗାଁ’ ମହାଜନର ଦେଣା, ଘର ମରାମତି, ଦରକାରୀ ଆସବାବ ଓ ଚାଷ ଉପକରଣ