ପୃଷ୍ଠା:Jati, Jagruti o Pragati.pdf/122

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୨୩
କିଣା ପରି ଜରୁରୀ ଆବଶ୍ୟକତାରେ ଖର୍ଚ୍ଚ କରିଦେଇଥାନ୍ତି । ସୁତରାଂ ଅଗ୍ରୀମ ବାବଦକୁ ଶ୍ରମିକ ଜଣକ ନେଇଥିବା ଟଙ୍କା ଫେରସ୍ତ କରିବାପାଇଁ ତାକୁ ତା’ର ପତ୍ନୀ ତଥା ପିଲାଛୁଆଙ୍କୁ ମାଲିକ ପାଖରେ ବନ୍ଧା ରଖି ଗାଁ’କୁ ଫେରିଥାଏ ।

ପଶ୍ଚିମାଞ୍ଚଳରୁ ଚାଲାଣ ହେଉଥିବା ୮୦ ପ୍ରତିଶତ ସରଳ ଓଡ଼ିଆ ଶ୍ରମିକଙ୍କ ନିଯୁକ୍ତିଦାତା ହେଉଛନ୍ତି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁର ଇଟାଭାଟି ମାଲିକ ଏବଂ ସେମାନଙ୍କ ବିରୋଧରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା, ଶୋଷଣ ତଥା ପ୍ରତାରଣାର ଅଭିଯୋଗ ସବୁଠାରୁ ବେଶୀ । ନିକଟରେ ଟିଟିଲାଗଡ଼ ଉପଖଣ୍ଡର ସିନ୍ଧେଇକେଲା ଅଞ୍ଚଳର ୬ଟି ଗ୍ରାମରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ବିଶାଖାପାଟଣାଠାରେ ଦାଦନ ଖଟିବାକୁ ଯାଇ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଏହାର ଏକ ବଳିଷ୍ଠ ପ୍ରମାଣ । ଏ ସମ୍ବନ୍ଧରେ ସେଠାରେ କାର୍ଯ୍ୟରତ ରାଧାକାନ୍ତ ସାହୁ ନାମକ ଜଣେ ଶ୍ରମିକ ଅଭିଯୋଗ କରିବାରୁ ଗତ ୨୦ ତାରିଖରେ ତାଙ୍କୁ ପ୍ରବଳ ମାଡ଼ ମାରି ମୁହଁ ବନ୍ଦ କରି ଦିଆଯାଇଛି । ଏହିଭଳି ଅସଂଖ୍ୟ ଘଟଣା ଦୈନିକ ଘଟୁଛି ଆମର ଏହି ଅନଗ୍ରସର ଅଞ୍ଚଳର ଓଡ଼ିଆ ପରିବାର ଉପରେ।

ଚାଳିଶ/ପଚାଶ ବର୍ଷ ତଳେ ସ୍ଥିତି କିନ୍ତୁ ଏମିତି ନ ଥିଲା । ପେଟ ପୋଷିବାପାଇଁ ଏ ଅଞ୍ଚଳବାସୀଙ୍କୁ ବାହାରକୁ ଯିବାକୁ ପଡୁ ନ ଥିଲା । ପେଟପାଇଁ ଗାଁ’ ଭିଟାମାଟି ଛାଡ଼ି ବାହାରକୁ ଯିବା ଥିଲା ସେମାନଙ୍କ ମର୍ଯ୍ୟାଦାବିରୁଦ୍ଧ । ତା’ର କାରଣ ହେଲା ଯେତେ ଗରିବ ହେଲେ ମଧ୍ୟ କୌଣସି ପରିସ୍ଥିତିରେ ବି ସେମାନଙ୍କର ପେଟ ଅପୋଷା ରହୁ ନ ଥିଲା । କିଛି ନ ହେଲେ ଗୌନ୍ତିଆ କି ସାହୁକାରର ଜମିରେ ସେମାନଙ୍କୁ ମିଳିଯାଉଥିଲା ଅତିକମରେ ୬ ମାସର ନିଯୁକ୍ତି । ବାକି ୬ ମାସର ଖୋରାକି ଯୋଗାଇ ଦେଉଥିଲା ଗାଁ’ ମୁଣ୍ଡର ଜଙ୍ଗଲ । କେନ୍ଦୁ, ମହୁଲ, ଝୁଣା, ଲାଖ ପ୍ରକୃତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେମାନେ କଷ୍ଟେମଷ୍ଟେ ଚଳିଯାଉଥିଲେ । ଆଜି ଜଙ୍ଗଲ ନାହିଁ, କି ଅବଲମ୍ବନ ବି ନାହିଁ । ରାଉରକେଲା ଓ ହୀରାକୁଦ ପରି ଗଢ଼ି ଉଠିଥିବା ଅସଂଖ୍ୟ ଶିଳ୍ପନଗରୀ ଓଡ଼ିଶା ବେକାରୀଙ୍କୁ ନିଯୁକ୍ତି ଦେଇପାରୁନାହିଁ । ଫଳରେ ଗରିବୀ ବଢ଼ୁଛି । ଆଉ ଏହି ଗରିବଙ୍କ ନିକଟରେ ଗରିବୀ ହଟାଇବାର ଏକମାତ୍ର ସମାଧାନ ହେଉଛି ଦାଦନ ଯାତ୍ରା ।

ସତେ କ’ଣ ଓଡ଼ିଶା ମାଟିରୁ ଏହି ଯାତ୍ରା ବନ୍ଦ ହେବନାହିଁ । ଓଡ଼ିଆ ପୁଅଝିଅ କ’ଣ ଏମିତି ଅନ୍ୟ ରାଜ୍ୟରେ କିଣା ବିକା ହୋଇ ଅତ୍ୟାଚାରିତ ହୋଇଚାଲିଥିବେ । ଆମେ କେବଳ ନୀରବଦ୍ରଷ୍ଟା ହୋଇ ଚାହିଁଥିବା ଆଉ ଆମ ରାଜନେତା, ସମାଜଚିନ୍ତକଗଣ ପିଣ୍ଡା ଉପରେ ବସି ଭାଷଣବାଜିଦ୍ୱାରା କୁମ୍ଭୀର କାନ୍ଦଣା କାନ୍ଦୁଥିବେ !


***