ପୃଷ୍ଠା:Jati, Jagruti o Pragati.pdf/124

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି/ ୧୨୫
ଆକ୍ରମଣକୁ ପ୍ରତିରୋଧ ନ କରି ନିରବରେ ସହିଯିବାଭଳି ଭୀରୁତା ଆଚରଣ କରୁଛି ।

ଯେଉଁ ଜାତିର ଇତିହାସ କହେ, ମାଟି ଆଉ ମାଆର ସମ୍ମାନପାଇଁ ନିଜ ରକ୍ତକୁ ନିଗାଡି ଦୟାନ‌ଦୀ ଭଳି ନ‌ଦୀର ଜଳକୁ ଲାଲ କରିପାରୁଥିବା ସୁଯୋଗ୍ୟ ସନ୍ତାନ ଏହି ମାଟିରେ ଜନ୍ମ ନେଇଥିଲେ, ସେହି ମାଟିର ଉତ୍ତର ପୁରୁଷ ହୋଇ ଆମେ ଆଜି କାହିଁକି ଭୀରୁ, ଭୟାଳୁ ଭଳି ଜୀବନଧାରଣକୁ ଆପଣେଇ ନେଉଛୁ?

ଆମ ସୀମା ସଂକୁଚିତ !

ବହୁ କଷ୍ଟ ସ୍ୱୀକାର କରି ଆମ ପୂର୍ବପୁରୁଷଗଣ ଇଂରେଜଦ୍ୱାରା ବିଖଣ୍ଡିତ ଓଡ଼ିଶା ଭୂମିକୁ ଏକାଠି କରି ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିଥିଲେ । ଯଦିଓ ଏହା ଭାଷାଭିତ୍ତିରେ ଗଠିତ ହୋଇଥିଲା, ତଥାପି ଆମେ ଆଗଙ୍ଗା-ଗୋଦାବରୀ ଓଡ଼ିଆ ରାଜ୍ୟ ଦେଖିପାରିଲେ ନାହିଁ- ଆମର କେତେକ ତ‌ତ୍କାଳୀନ ଦୁର୍ବଳମନା ନେତାଙ୍କ କାର୍ଯ୍ୟଶୈଳୀଯୋଗୁଁ । ଅଥଚ ଭାରତ ସ୍ୱାଧୀନତା ପରେ, ଆମେ ହରାଇଥିବା ଓଡ଼ିଆ ଭୂମି ଫେରିପାଇବାର ସୁବିଧା ଥିଲେ ମଧ୍ୟ, ପୁଣି ଆମ ଅପରିଣାମଦର୍ଶିତା ଯୋଗୁଁ ହରାଇଲୁ ଷଢ଼େଇକଳା, ଖରସୁଆଁ ଭଳି ବିସ୍ତୃତ ଓଡ଼ିଆ ଅଞ୍ଚଳ ସହିତ ଆଉ କେତେକ ଛୋଟବଡ଼ ପଡ଼ା, ଗ୍ରାମ ଆଉ ଜମିଦାରୀ । ଏବେ ଶୁଣାଗଲାଣି ଆମ ସୀମାନ୍ତ ଜିଲ୍ଲା ଅର୍ଥାତ୍ ମୟୂରଭଞ୍ଜର ୧୦ଟି ଗାଁ’, କେନ୍ଦୁଝରର ୫ଟି ଗ୍ରାମ, କୋରାପୁଟ ଜିଲ୍ଲାର ୨୨ଟି ଗ୍ରାମ, ରାୟଗଡ଼ା ଜିଲ୍ଲାର ୯ଟି ଗ୍ରାମ, ଗଞ୍ଜାମ ଜିଲ୍ଲାର ୧୪ଟି ଗ୍ରାମ, ଗଜପତି ଜିଲ୍ଲାର ୧୪ଟି ଗ୍ରାମ ଆଦି ଆମ ଓଡ଼ିଶା ଅଞ୍ଚଳର ହୋଇଥିଲେ ମଧ୍ୟ ଏଗୁଡ଼ିକ ବିବାଦୀୟ । ଅଥଚ ବିଶାଖାପାଟଣା (ବର୍ତ୍ତମାନର ଭାଇଜାଗ୍), ବସ୍ତର, ମେିନାପୁର, ଷଢ଼େଇକଳା, ଖରସୁଆଁ ଆଦି ଓଡ଼ିଶା ବାହାରେ ଥିବା ଓଡ଼ିଆ ଅଞ୍ଚଳ ବିବାଦୀୟ ନୁହେଁ ।

ଏହିସବୁ ଜିଲ୍ଲା ସହ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାର ଅଗମ୍ୟ ପାହାଡ଼ ଜଙ୍ଗଲ ଅଞ୍ଚଳ ଉପରେ ପଡ଼ୋଶୀ ରାଜ୍ୟଗୁଡ଼କ ନିଜନିଜର ଅଧିକାର ସାବ୍ୟସ୍ତ କରି ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ବିଭିନ୍ନ ହଇରାଣ ଓ ପ୍ରଲୋଭନ ମଧ୍ୟରେ ନିଜର କରିବାକୁ ଚେଷ୍ଟା କରୁଛନ୍ତି । ଆମ ସୀମାନ୍ତ ଅସୁରକ୍ଷିତ ଓ ଏହି ଅଞ୍ଚଳରେ ଆମ ଓଡ଼ିଆ ଭାଇଭଉଣୀ ଅସୁରକ୍ଷିତ ଥିବାବେଳେ ଆମେ ଓ ଆମ ପରିବାର ସୁରକ୍ଷିତ ଥିବାରୁ ଏସବୁ ପ୍ରତି ଆଖିବୁଜି ଦେଉଛୁ । ଏପରିକି କାଁ ଭାଁ ଯଦି ଖବରକାଗଜ ପୃଷ୍ଠାରେ ଏକଥା ବାହାରିଲା, ଏ ଖବରକୁ ଆମେ ନ ଦେଖିଲା ଭଳି ଆଡ଼େଇ ଯାଇ ରାଜନୀତି, ଦୁଃର୍ନୀତି ଆଉ ଧର୍ଷଣ ଭଳି ଖବରଗୁଡ଼ିକୁ ପଢ଼ିବାରେ ମନଯୋଗ କରୁଛୁ ।