ପୃଷ୍ଠା:Jati, Jagruti o Pragati.pdf/125

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


୧୨୬ / ଜାତି, ଜାଗୃତି ଓ ପ୍ରଗତି

ଆମ ଜଳ କ’ଣ ପଡ଼ୋଶୀଙ୍କ ପାଇଁ?

କୁହାଯାଏ ଜଳ ହିଁ ଜୀବନ, ଆଉ ଆମ ଓଡ଼ିଶାପାଇଁ ଏହା ଶତପ୍ରତିଶତ ପ୍ରଯୁଜ୍ୟ । ମାତ୍ର ପ୍ରକୃତିଦ୍ୱାରା ସମଗ୍ର ଓଡ଼ିଶା ଭୂଖଣ୍ଡରେ ଜାଲ ପରି ବିଚ୍ଛେଇ ହୋଇଥିବା ନ‌ଦୀନାଳ ଉପରେ ଏବେ ଲୋଲୁପ ଦୃଷ୍ଟି ପଡିଛି ବିଦେଶୀ କମ୍ପାନୀ, କେନ୍ଦ୍ର ସରକାର ଏବଂ ଆମ ପଡ଼ୋଶୀ ରାଜ୍ୟଙ୍କର । ଆମ ପଖାଳଖିଆ ପଛବୁଦ୍ଧିଆକୁ ଏକ ସୁଯୋଗ ଭାବରେ ଧରିନେଇ ଏହି ପଡ଼ୋଶୀ ରାଜ୍ୟ ମଧ୍ୟରୁ ପ୍ରଥମେ ଆନ୍ଧ୍ରପ୍ରଦେଶ ନିଜ ରାଜ୍ୟ କୃଷିର ବିକାଶ ନାମରେ ଆମ ନ‌ଦୀ ସିଲେରୁ, ବଂଶଧାରା, ମହେନ୍ଦ୍ରତନୟା ଆଦି ପୁରାଣପ୍ରସିଦ୍ଧ ନ‌ଦୀଗୁଡ଼ିକର ଜଳକୁ ପୂର୍ଣ୍ଣ ବିନିଯୋଗ କରି ଶସ୍ୟଶ୍ୟାମଳା କରୁଥିବାବେଳେ, ଏହି ନ‌ଦୀକୂଳରେ ଥିବା ଆମ ଓଡ଼ଶାର ଗ୍ରାମବସତିଗୁଡ଼ିକୁ ପାଣି ଭିତରେ ବୁଡ଼ାଇ ଆଉ ମୂଳ ଓଡ଼ିଶା ଭୂଖଣ୍ଡରୁ ବିଚ୍ଛିନ୍ନ କରାଇ ନିଜ ସୀମା ଅନ୍ତର୍ଭୁକ୍ତ କରିବାର କୁତ୍ସିତ ପ୍ରୟାସ ଆରମ୍ଭ କରିଛି । ଆନ୍ଧ୍ରର ଏହି ଅନ୍ୟାୟ କାର୍ଯ୍ୟକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରି ବିପୁଳ ଅର୍ଥ ଯୋଗାଇ ଦେଉଥିବାବେଳେ ବିକାଶ ଉନ୍ମୁଖ ଓଡ଼ିଶା ପ୍ରତି ଆଖି ବୁଜି ଦେଉଛି । ଏ ଦିଗରେ ଆମ ଓଡ଼ିଆ ନେତା ଓ ଜନତାଙ୍କ ଶାନ୍ତ ଓ ନିର୍ବିକାର ଭାବମୂର୍ତ୍ତି ଦେଖି ଏବେ ଛତିଶଗଡ଼ ସରକାର ସୀମାନ୍ତ ଓଡ଼ିଶାବାସୀଙ୍କ ଅସୁବିଧାକୁ ଦୃଷ୍ଟି ନ ଦେଇ ଏକ ନ‌ଦୀବନ୍ଧ ନିର୍ମାଣ କରି ଚାଲିଛନ୍ତି । ଠିକ୍ ଅନୁରୂପ ପଥର ପଥିକ ସାଜିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡ । ଦେଖିବାକୁ ବାକି ରହିଲା; କେଉଁଦିନ ମହାନ‌ଦୀ, ବୈତରଣୀ, ବ୍ରାହ୍ମଣୀ ଆଉ ଋଷିକୂଲ୍ୟାର ଜଳ ଉପରେ ଏହି ପଡ଼ୋଶୀ ରାଜ୍ୟଗଣ ନିଜ ନିଜର ଅଧିକାର ସାବ୍ୟସ୍ତ କରିବେ ।

ଆମ ଜଙ୍ଗଲ ଆଉ ଜମିର ମାଲିକ କିଏ?

ମୌର୍ଯ୍ୟ ସମ୍ରାଟ ଅଶୋକଙ୍କଦ୍ୱାରା ହୋଇଥିବା ବିଭତ୍ସ କଳିଙ୍ଗଯୁଦ୍ଧର ଦୁର୍ଦ୍ଦାନ୍ତ ଆଟବିକ ବା ଓଡ଼ିଶାର ଆଦିବାସୀବର୍ଗ ଆଜି ନିଜର ବାସସ୍ଥାନର ଅଧିକାରପାଇଁ ସଂଘର୍ଷରତ । ଯଦିଓ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ହେଉଛନ୍ତି ଆଦିବାସୀ ଦେବତାଙ୍କ ପରିବର୍ଦ୍ଧିତ ରୂପ ଏବଂ ଯାହାକୁ ରୁଢ଼ୀବାଦୀ ହିନ୍ଦୁସମାଜ ଗ୍ରହଣ କରିନେଇ ଆଦିବାସୀଙ୍କୁ ହିନ୍ଦୁ ଅନ୍ତର୍ଭୁକ୍ତ କରିସାରିଲେଣି ।

ମାତ୍ର ଏମାନଙ୍କ କୃଷିଭୂମି, ବିଚରଣ ଓ ଉପାସନାସ୍ଥଳୀ ତଥା ଜୀବନଜୀବିକାର ମୁଖ୍ୟକ୍ଷେତ୍ର ନିଘଞ୍ଚାଜଙ୍ଗଲ ଏମାନଙ୍କଠାରୁ ଛଡ଼େଇ ନିଆଯାଉଛି । ଗମନାଗମନର ସୁବିଧା ନ ଥିବାରୁ ଆମ ସୀମାନ୍ତ ଅଞ୍ଚଳର ନିଘଞ୍ଚ ଜଙ୍ଗଲର ଅଞ୍ଚଳଗୁଡ଼ିକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ଅଧିକାର କରି ନେଇଥିବାବେଳେ, ବ୍ୟାପକ ଶିଳ୍ପ ନାମରେ ଜଙ୍ଗଲ ଓ ପାହାଡ଼ ତଳେ ଲୁଚି ରହିଥିବା ଅପର୍ଯ୍ୟାପ୍ତ ଖଣିଜପିଣ୍ଡକୁ ବିଦେଶୀ କମ୍ପାନୀଙ୍କୁ ଶାଗମାଛ ମୂଲ୍ୟରେ ଟେକି