ପୃଷ୍ଠା:Jati, Jagruti o Pragati.pdf/126

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୨୭
ଦେଉଛନ୍ତି କିଛି ଅଭାଗା ରାଜନେତା, ଶିଳ୍ପପତି ଓ ମଧ୍ୟସ୍ଥି ସାଜିଥିବା କେତେକ ଓଡ଼ିଆ ଦଲାଲ ଓ ଟାଉଟର ଗୋଷ୍ଠୀ ନିଜର ସାମାନ୍ୟ ସ୍ୱାର୍ଥ ବିନିମୟରେ । ସଂଘୀୟ ରାଷ୍ଟ୍ର ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ଜଙ୍ଗଲ ଅଧିକାର’ ଆମ ଆଦିବାସୀ ପରିବାରକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଏହି ଟାଉଟର ଗୋଷ୍ଠୀ ଜାତିଆଣ ଭେଦଭାବ ସୃଷ୍ଟି କରି ହିଂସ୍ର ଦଙ୍ଗାଦ୍ୱାରା ପରୋକ୍ଷରେ ଏମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ବିତାଡ଼ିତ କରିବାର ହୀନ ଉଦ୍ୟମ ଜାରି ରଖିଛନ୍ତି । ଏଥିସହିତ ପଡ଼ୋଶୀ ଆନ୍ଧ୍ରରାଜ୍ୟର କୁମୁଟି ଓ କମାଜାତିର ସାହୁକାରଗଣ ଗଜପତି, କୋରାପୁଟ, ଗଞ୍ଜାମ ଆଦି ସୀମାନ୍ତ ଜିଲ୍ଲାର କୃଷକଙ୍କୁ ପ୍ରଲୋଭିତ କରି ଚାଷ କରିବା ନାମରେ ଜମି ଲିଜ୍ ନେଇ ପରବର୍ତ୍ତୀକାଳରେ ମାଲିକ ସାଜୁଛନ୍ତି । ଏପରିକି ଖୋଦ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବାହାର ରାଜ୍ୟର ବହୁ ଖୁନୀ ଆସାମୀଗଣ ଆସନ ଜମେଇ ମାଗଣାରେ ବହୁ ଅଞ୍ଚଳର ମାଲିକ ହୋଇଗଲେଣି । ଅର୍ଥାତ୍ ଆମ ଜମି ଓ ଜଙ୍ଗଲ ଏବେ ଆମ ହାତରୁ ଖସିବାକୁ ବସିଲାଣି, ଅଥଚ ଆମେ...!

ଆମ ଭାଷା ଆମଠାରୁ ବହୁ ଦୂରରେ

ଗୋଟିଏ ଜାତିକୁ ଶ୍ରେଷ୍ଠତ୍ୱର ଆସନରେ ପ‌ହଞ୍ଚାଇଥାଏ ତା’ର ଭାଷା । ଓଡ଼ିଆ ଏକ ଏଭଳି ଭାଷା, ଯାହାର ଇତିହାସ ସମୃଦ୍ଧ ଥିଲେ ମଧ୍ୟ ବର୍ତ୍ତମାନ ଏହାର ସ୍ଥିତି ସଂକଟାପନ୍ନ । ବର୍ତ୍ତମାନ ଭାରତର ପ୍ରମୁଖ ଭାଷାଗୁଡ଼ିକ କମ୍ପ୍ୟୁଟରୀକୃତ ହେବା ଫଳରେ ମୋବାଇଲ୍, ଇଣ୍ଟରନେଟ୍ ଆଦି ଆଜିର କ୍ଷିପ୍ର ବୈଦ୍ୟୁତିକ ଗଣମାଧ୍ୟମ ଓ ଯୋଗାଯୋଗର ଭାଷା ହୋଇପାରିଛି । ଓଡ଼ିଆଭାଷାରେ ଏହାର ବିକାଶପାଇଁ ବିଭିନ୍ନ କମ୍ପାନୀ ଏବଂ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଦେଇଥିବାବେଳେ, ଆମ ଦକ୍ଷ ଓଡ଼ିଆ ଅଧିକାରୀଗଣ ଏହାକୁ ଭଜନ ଓ ଭୋଜନରେ ଶେଷକରି ଗୁଡ଼ିଏ ତ୍ରୁଟିପୂର୍ଣ୍ଣ ସିଡି ପ୍ରସ୍ତୁତ କରି ନିଜେ ଧରି ବୁଲୁଛନ୍ତି । ଏହାଠାରୁ ବଳି ନିର୍ଲଜ କଥା ହେଲା ଆମ ଉଚ୍ଚଅଧିକାରୀଙ୍କ ସନ୍ତାନଗଣ କାଳେ ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ି ଓଡ଼ିଶାରେ ଚାକିରି କରି ନ ପାରିବେ, ସେହି ଭୟରେ ଇଂରେଜୀ ବିଦ୍ୟାଳୟରେ ନାମକୁ ମାତ୍ର ଓଡ଼ିଆଭାଷା ଶିକ୍ଷା ବ୍ୟବସ୍ଥା କରି ବାହାବାହା ନେଉଥିବାବେଳେ, ଓଡ଼ିଆ ବଳରେ ସମଗ୍ର ରାଜ୍ୟରେ ଇଂରେଜୀ ଭାଷାର ଧ୍ୱଜା ଉଡ଼ାଇବାରେ ଲାଗିଛନ୍ତି । ତଥାପି ଏଥିରେ ଶାନ୍ତ ନ ହୋଇ ପ୍ରଥମେ ହିନ୍ଦୀ ଓ ଏବେ ସଂସ୍କୃତର ବିକାଶପାଇଁ ଅଣ୍ଟାଭିଡ଼ି ବାହାରିଲେଣି । ଅଥଚ ଓଡ଼ିଆଭାଷା ଆଜି ଖୋଦ ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଓଡ଼ିଆଭୂଇଁରୁ ଲୋପ ପାଇବାକୁ ବସିଲାଣି ।

ଆମ ସାହିତ୍ୟ ଲୁପ୍ତପ୍ରାୟ

ଏ ସଂପର୍କରେ ଅଧିକ କହିବା ଅନାବଶ୍ୟକ । କାରଣ ପାଠ୍ୟପୁସ୍ତକ ଭାବରେ ଏହା କେବଳ ବଞ୍ଚି ରହିଥିବା ବେଳେ ଗପ, କବିତା, ଉପନ୍ୟାସ, ଆଦି ବିଭିନ୍ନ ସାହିତ୍ୟ