ପୃଷ୍ଠା:Jati, Jagruti o Pragati.pdf/134

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୩୫

ତଥାପି ନଅଙ୍କ ଦୁର୍ଭିକ୍ଷରେ ଭାଙ୍ଗି ଯାଇଥିବା ମେରୁଦଣ୍ଡ ଆଉ ଅସ୍ଥିପଞ୍ଜରାକୁ ଧରି ଯେଉଁ କେତେକ ଓଡ଼ିଆ ବଞ୍ଚିଥିଲେ, ସେମାନଙ୍କଦ୍ୱାରା କେବଳ ଓଡ଼ିଆ ଭାଷା ଓ ସଂସ୍କୃତି ବଞ୍ଚି ନ ଥିଲା, ବରଂ ଓଡ଼ିଆ ଜାତି ନିଜପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିପାରିଥଲା; ଯାହା ଆଜି ପର୍ଯ୍ୟନ୍ତ ଭାରତର କୌଣସି ରାଜ୍ୟର ଅଧିବାସୀ କରିପାରିନାହାନ୍ତି ।

ଅଥଚ ଏହିଭଳି ଏକ ଗୌରବମୟ ରାଜ୍ୟର ଉତ୍ତରାଧିକାରୀ ହୋଇ ଆମେ ଯେଉଁ ବ୍ୟକ୍ତିକୁ ଉଚ୍ଚଶିକ୍ଷାମନ୍ତ୍ରୀର ଦାୟିତ୍ୱ ଦେଲେ, ସେ ବ୍ୟକ୍ତି ଆମ ଭାଷାର ବିକାଶ କରିବା ପରିବର୍ତ୍ତେ ଏହି ଭାଷା ଲୋପପାଇଁ ସର୍ବପ୍ରଥମେ ପଦକ୍ଷେପ ନେଇଥିଲେ । ପିଲାଙ୍କ ଆଗ୍ରହ ନାହିଁ କହି ୧୩୯ଟି ମହାବିଦ୍ୟାଳୟରୁ ଓଡ଼ିଆ ଭାଷାଶିକ୍ଷା ବ୍ୟବସ୍ଥା ହଟାଇ ୧୩୦ ବର୍ଷ ତଳେ ହୋଇଥିବା ଭାଷା ବିଲୋପର ଅଧୁରା ସ୍ୱପ୍ନକୁ ପୂର୍ଣ୍ଣ କରିବାରେ ଲାଗିପଡିଲେ । ମାତ୍ର ଆମ ପଖାଳଖିଆ ବୁଦ୍ଧିଜୀବୀଙ୍କ ନିଦ ଟିକେ ଭାଙ୍ଗିବାରୁ ଯଦିଓ ଏହି ଘୋଷଣାକୁ ସେ ପ୍ରତ୍ୟାହାର କରିନେଲେ, ମାତ୍ର ଶିକ୍ଷା ବ୍ୟବସ୍ଥାରେ ଥିବା ବାଧ୍ୟତାମୂଳକ ‘ଓଡ଼ିଆ’ ଭାଷା ଶିକ୍ଷା ସହିତ ସଂସ୍କୃତକୁ ଯୋଗ କରିଦେବାରୁ ଅଧିକ ନମ୍ବର ଲୋଭରେ ଆମ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଗଣ ଆଉ ଓଡ଼ିଆ ନ ପଢ଼ି ସଂସ୍କୃତଭାଷାକୁ ପଢ଼ିବାରେ ଲାଗିଲେ । ଅଭିଭାବକ ଗଣ ମଧ୍ୟ ଚୁପ୍ ।

ମାତୃଭାଷା ହତ୍ୟାକାରୀକୁ କ୍ଷମା !

ଓକିଲିଆ ବୁଦ୍ଧିରେ ପାରଙ୍ଗମ ଆମ ଉଚ୍ଚଶିକ୍ଷାମନ୍ତ୍ରୀ ଓଡ଼ିଆଭାଷା ବିଲୋପପାଇଁ ଏହି ଯେଉଁ ହାଲୁକା ବିଷ ପ୍ରୟୋଗ କଲେ, ତଦ୍ୱାରା ଆଗାମୀ ୨୦ ବର୍ଷ ଧରି ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ତା’ର ପୂର୍ବସ୍ଥିତିକୁ ଫେରିପାରିବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିକ୍ଷାମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯଦି ତାଙ୍କ ଜାତିଭାଇଙ୍କ ରାଜ୍ୟରେ ଲାଗୁ କରିଥାନ୍ତେ କିମ୍ବା ଭାରତର ଅନ୍ୟ କୌଣସି ରାଜ୍ୟରେ ଲାଗୁ କରିଥାନ୍ତେ, ତେବେ ହୁଏତ ମନ୍ତ୍ରୀଙ୍କ ଶରୀର ସହିତ ନାମ ମଧ୍ୟ ଧରାପୃଷ୍ଠରୁ ଲୋପ ପାଇଯାଇଥାନ୍ତା । କାରଣ ଏବେ ମାତୃଭାଷା ହିଁ ସବୁ ରାଜ୍ୟର ଏକ ମୁଖ୍ୟ ଅସ୍ତ୍ର ଓ ରୋଜଗାରର ମାଧ୍ୟମ ପାଲଟି ଯାଇଛି । ଆମ ଅପାରଗତା ଯୋଗୁଁ ଭାଷାକୁ ନେଇ ଭୂମିଟିଏ ପାଇଛୁ ସିନା, ଏହି ଭାଷାକୁ ଏପର୍ଯ୍ୟନ୍ତ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରାଇପାରିନାହୁଁ । ଯାହା ଫଳରେ ଆମେ ଗରିବ ଓ ଆମ ଭବିଷ୍ୟତ ବଂଶଧର ମଧ୍ୟ ଗରିବ ଭାବେ ଚିହ୍ନିତ ହେବାକୁ ଯାଉଛନ୍ତି ।

କେବଳ ସେତିକି ନୁହଁ ଆଜି ସମଗ୍ର ବିଶ୍ୱ ବିଜ୍ଞାନ, ଅର୍ଥନୀତିକୁ ନେଇ ପରିଚାଳିତ ହେଉଥିବାବେଳେ ଓଡ଼ିଶାର ୯୯ଟି କଲେଜରୁ ଅର୍ଥନୀତି, ଗଣିତ, ପରିସଂଖ୍ୟାନ, ଭୂଗୋଳ