ପୃଷ୍ଠା:Jati, Jagruti o Pragati.pdf/136

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୩୭
ନିର୍ଣ୍ଣୟ କରିଛନ୍ତି । ବାକି ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ସ୍ତର ସର୍ବନିମ୍ନ ବୋଲି ନାକ୍ କମିଟି ମତ ଦେଇଛନ୍ତି । ଅର୍ଥାତ୍ ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯାହାର ଉଚ୍ଚଶିକ୍ଷା ବ୍ୟବସ୍ଥା ସବୁଠାରୁ ନିମ୍ନମାନର । ଯାହାକୁ ଆମେ ଅନୁଭବ କରୁଥିଲେ ମଧ୍ୟ କହିପାରୁ ନ ଥିଲେ, ତାହା ଆଜି ନାକ୍ କହିଛି । ତଥାପି ଆମେ ନିରୁତ୍ତର, ପ୍ରତିକ୍ରିୟାହୀନ ।

ଏହି ୫ବର୍ଷ ହେଉଛି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗପାଇଁ କଳଙ୍କର ବର୍ଷ । ଅର୍ଥ ଯୋଗାଡ଼ରେ ବ୍ୟସ୍ତ ଆମର ଏହି ତଥାକଥିତ ଉଚ୍ଚଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବାର ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ତାହାର ଆଜି ଦୃଢ଼ ଜବାବ୍ ଦେଇସାରିଛନ୍ତି ତାଙ୍କରି ଅଞ୍ଚଳର ଜନସାଧାରଣମାନେ ଭୋଟ ମାଧ୍ୟମରେ । ୧୫ ବର୍ଷ ତଳେ ଧତଡ଼ା ସ୍କୁଟର ଚଳାଇ ଭଙ୍ଗା ଟାଇଲ ଛପର ଘରେ ଓକିଲାତି କରୁଥିବା ଜଣେ ବ୍ୟକ୍ତି ଆଜି କଳାଟଙ୍କାର ଗାଦି ଉପରେ ଛିଡ଼ାହୋଇ ନଗରର ଉପକଣ୍ଠରେ ଏକ ବିଶାଳ ସୁଦୃଶ୍ୟ ଭବନରେ ବିଳାସିତ ଜୀବନଚର୍ଯ୍ୟା ଅତିବାହିତ କରି ଓଡ଼ିଆଙ୍କୁ ଭୂଆଁ ଭୁଲାଇବାର ସ୍ୱପ୍ନ ଖେୁଥିବା ଏହି ବ୍ୟକ୍ତିଙ୍କୁ ସଂସ୍କୃତିସଂପନ୍ନ ସ୍ୱାଭିମାନୀ କଟକବାସୀ ପ୍ରତ୍ୟାଖ୍ୟାତ କରିଛନ୍ତି । ଆଉ ସେଇଥିପାଇଁ ନିଜ କଲାକର୍ମର ପ୍ରାୟଶ୍ଚିତ ସ୍ୱରୂପ ମନ୍ତ୍ରୀପଦ ତ୍ୟାଗ କରିଛନ୍ତି । କିନ୍ତୁ ତଥାପି ଏହି ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଓଡ଼ିଆ ଜନଜୀବନ, ଓଡ଼ିଆ ଶିକ୍ଷା ବ୍ୟବସ୍ଥା, ଓଡ଼ିଆ ଭାଷା କ୍ଷେତ୍ରରେ ସେ ଯେଉଁ ସଂକଟ ସୃଷ୍ଟି କରିଯାଇଛନ୍ତି, ତାହା ପୂରଣ କରିବାକୁ ଆଉ କେତେ ଯେ ବର୍ଷ ଲାଗିବ, ଆମ ନିରୀହ ଓଡ଼ିଶାବାସୀ ସ୍ଥିର କରନ୍ତୁ ଓ ଏହିଭଳି ଓଡ଼ିଆ ଜାତିର ପ୍ରଗତି ପ୍ରତି ପିଠି ଖୋଉଥିବା ନେତାମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବାପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଯାହାଫଳରେ ଏକ ସୁସ୍ଥ ସୁନ୍ଦର ସଂସ୍କୃତିସମ୍ପନ୍ନ ଓଡ଼ିଶା ଗଢ଼ି ଉଠିବ । ଆମେ ଆମର ପୂର୍ବ ଗୌରବ ଫେରି ପାଇବା ।


***